ନିଆଳି:ଧାନ ମଣ୍ଡି ଖୋଲୁନଥିବାରୁ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି ଚାଷୀ । ସେପଟେ ବାହାର ରାଜ୍ୟର ଧାନ ବ୍ୟବସାୟୀ ଓଡ଼ିଶା ଧାନ ନେଇ ଛୁ ମାରିଥିବା ଅଭିଯୋଗ ହୋଇଛି । କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି । ଡିସେମ୍ବର ମାସ ଯାଇ ଜାନୁଆରୀ ମାସର ପ୍ରଥମ ସପ୍ତାହ ବିତିବାକୁ ବସିଲାଣି । ହେଲେ ଧାନ ମଣ୍ଡି ଖୋଲୁନାହିଁ । ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ବ୍ଳକରେ ୧୧ଟି ସେବା ସମବାୟ ସମିତି ରହିଥିବାବେଳେ କଣ୍ଟାପଡ଼ା ବ୍ଲକ ଅଞ୍ଚଳରେ ୭ଟି ସେବା ସମବାୟ ସମିତି ରହିଛି । ମାତ୍ର ନିଆଳି ବ୍ଳକର ଅଁଳୋ ସେବା ସମବାୟ ଏବଂ କଣ୍ଟାପଡ଼ା ବ୍ଲକର ବ୍ରାହ୍ମଣ ସାଇଲୋ ଗୋଟିଏ ଲେଖାଏଁ ସରକାରୀ ଧାନ ମଣ୍ଡି ବୁଧବାର ଦିନ ଉଦଘାଟନ ହୋଇଥିବା ସୂଚନା ମିଳିଛି ।
ଚଳିତ ବର୍ଷ ସରକାରୀ ଧାନ ମଣ୍ଡି ଖୋଲିବାରେ ବହୁ ବିଳମ୍ବ ଯୋଗୁଁ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରୁ ଦଲାଲମାନେ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଆସି ଧାନ କ୍ରୟ କରି ନେଉଥିବା ଧାନ ଚାଷୀ କହିଛନ୍ତି । ଶହେ ଟଙ୍କା କମରେ ବାହାର ରାଜ୍ୟରୁ ଦଲାଲ ଧାନ ବ୍ୟବସାୟୀ ଧାନ କ୍ରୟ କରୁଥିବା କାରଣରୁ ଚାଷୀମାନେ ଧାନ ଦେବା ପାଇଁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି ଧାନ ଚାଷୀ । ଏଭଳି ଘଟଣା ନିଆଳି, କଣ୍ଟାପଡ଼ା ଏବଂ ବାଲିପାଟଣା ଓ ବାଲିଅନ୍ତା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି । ନିଆଳି ବ୍ଳକର ବିଳାଶୁଣୀ ସେବା ସମବାୟ ସମିତିର ସଭାପତି ପ୍ରଭାତ କୁମାର ଜେନା କହିଛନ୍ତି, "ସରକାରୀ ଗାଇଡଲାଇନ ଅଛି, ସବୁଥିରେ ବିଳମ୍ବ ଘଟିଛି । ଯେଉଁଥିପାଇଁ ଚାଷୀ ବାହାର ରାଜ୍ୟର ଧାନ ବ୍ୟବସାୟୀଙ୍କୁ ଧାନ ବିକୁଛି ।"
ଏହା ମଧ୍ୟ ପଢନ୍ତୁ...ଧାନ କ୍ରୟରେ ଅବ୍ୟବସ୍ଥା ଅଭିଯୋଗ, ଆନ୍ଦୋଳନ ଚେତାବନୀ ଦେଲେ ଚାଷୀ