ଓଡିଶା

odisha

ETV Bharat / state

ଚଳିତ ବର୍ଷ ଓଡିଶା ହାଇକୋର୍ଟର ବଢିଛି କେସ କ୍ଲିୟରାନ୍ସ ହାର, ୧,୩୬୫୯୯ଟି ମାମଲା ସାମାଧାନ

ଚଳିତ ବର୍ଷ ଓଡିଶା ହାଇକୋର୍ଟ ଦ୍ବାରା ମୋଟ ୧, ୩୬,୫୯୯ଟି ମାମଲା ଫଇସଲା କରାଯାଇଛି ( odisha high court solved cases in 2022 ) । ଫଳରେ ମାମଲା ଫଇସଲା ହାର ୧୩୩.୬୦ପ୍ରତିଶତ ହୋଇଛି । ଅଧିକ ପଢନ୍ତୁ

odisha high court clears cases in 2022
ଚଳିତ ବର୍ଷ ହାଇକୋର୍ଟ ଦ୍ବାରା ୧,୩୬,୫୯୯ଟି ମାମଲାର ଫଇସଲା

By

Published : Dec 30, 2022, 11:10 AM IST

କଟକ: ଚଳିତ ବର୍ଷ ଜାନୁଆରୀ ପହିଲାରୁ ଡିସେମ୍ବର ୨୩ ତାରିଖ ମଧ୍ୟରେ ହାଇକୋର୍ଟରେ ମୋଟ ୧,୦୨,୨୪୭ଟି ମାମଲା ରୁଜୁ ହୋଇଛି (Orissa High Court records 133 per cent clearance rate of cases in 2022 )। ହାଇକୋର୍ଟରେ ଥିବା ସମସ୍ତ ମାମଲାରୁ ୧,୩୬,୫୯୯ଟି ମାମଲା ଫଇସଲା କରାଯାଇଛି । ଫଳରେ କେସ କ୍ଲିୟରାନ୍ସ ହାର ୧୩୩.୬୦ ପ୍ରତିଶତ ହୋଇଛି । ବର୍ତ୍ତମାନ ବିଚାର ନହୋଇ ପଡ଼ିରହିଥିବା ମାମଲା ଯଥେଷ୍ଟ ହ୍ରାସ ପାଇଛି । ଚଳିତ ବର୍ଷ ୧୦ ବର୍ଷରୁ ଅଧିକ ପୁରୁଣା ୮୭୬୯ଟି ମାମଲା ଫଇସଲା କରାଯାଇଛି ବୋଲି ଓଡ଼ିଶା ଉଚ୍ଚନ୍ୟାୟାଳୟ ପକ୍ଷରୁ ସୂଚନା ମିଳିଛି।

୨୦୨୨ ମସିହାରେ ରୁଜୁ ହୋଇଥିବା ମାମଲା ସଂଖ୍ୟା ୨୦୨୧ ମସିହା ତୁଳନାରେ ଅଧିକ ବୋଲି ଓଡ଼ିଶା ଜିଲ୍ଲା ନ୍ୟାୟପାଳିକା ପରିସଂଖ୍ୟାନରୁ ଜଣାପଡ଼ିଛି । ୨୦୨୧ ମସିହା ତୁଳନାରେ ୨୦୨୨ ମସିହାରେ ୫୩.୨୮ ପ୍ରତିଶତ ଅଧିକ ମାମଲା ଫଇସଲା ହୋଇଥିବାବେଳେ ଉଭୟ ଦେୱାନୀ ଓ ଫୌଜଦାରୀ ମାମଲାରେ ନ୍ୟାୟପାଳିକାର ଫଇସଲା ପୂର୍ବ ବର୍ଷ ତୁଳନାରେ ଶତକଡ଼ା ୫୧ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି । ଅଧିକ ସଂଖ୍ୟକ ବିଚାର ବିଭାଗୀୟ ଅଧିକାରୀ ରହିଲେ ମାମଲା ଫଇସଲା ପରିମାଣ ଅଧିକ ହୋଇପାରନ୍ତା । ୨୦୨୧ରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୯୬୨ ଥିବାବେଳେ ୭୬୭ ଜଣ କାର୍ଯ୍ୟ କରୁଥିଲେ । ସେହିପରି ୨୦୨୨ରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୯୭୭ ଥିବାବେଳେ ୭୭୬ ଜଣ କାର୍ଯ୍ୟ କରୁଛନ୍ତି । ୨୦୨୧ରେ ବିଚାରପତି ମୁଣ୍ଡ ପିଛା ଫଇସଲା ସଂଖ୍ୟା ୩୧୧ ଥିଲାବେଳେ ୨୦୨୨ରେ ତାହା ୫୭୭ରେ ପହଞ୍ଚିଛି ।

ଦୁଷ୍କର୍ମ ଓ ପୋକ୍ସୋ ମାମଲା ଗୁଡ଼ିକର ଫାଷ୍ଟଟ୍ରାକ ସମାଧାନ କରାଯାଉଛି । ୨୦୨୨ ଜାନୁଆରୀ ୧ରୁ ୨୬ ଡିସେମ୍ବର ମଧ୍ୟରେ ୧୦୪୨ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିବାବେଳେ ୧୨୫ଟି ମାମଲାର ସମାଧାନ କରାଯାଇଛି । ସେହିପରି ସେହି ସମୟ ମଧ୍ୟରେ ୩୩୦୯ଟି ମାମଲା ଜିଲ୍ଲା ଅଦାଲତଗୁଡ଼ିକରେ ଫଇସଲା ହୋଇଥିବାବେଳେ ସେଥିରୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ୬୬୦ଟି ମାମଲା ଫଇସଲା ହୋଇଛି । ମୋଟାମୋଟି ଏହି ସମୟ ମଧ୍ୟରେ ପୋକ୍ସୋ ଏବଂ ଦୁଷ୍କର୍ମ ସମ୍ବନ୍ଧୀୟ ୪୩୫୧ଟି ମାମଲାର ଫଇସଲା ହୋଇଛି, ସେଥିରୁ ୭୮୫ ମାମଲା ରୁଜ୍ଜୁ ହେବାର ବର୍ଷକ ମଧ୍ୟରେ ଫଇସଲା କରାଯାଇଛି । ପୋକ୍ସୋ ଆଇନ ଅଧିନରେ ବିଚାର ବ୍ୟବସ୍ଥା ପାଇଁ ୮ଟି ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯାଇଛି । ସେହିପରି ଭୁବନେଶ୍ବରରେ ମଧ୍ୟ ଗୋଟିଏ ପରିବାର ଅଦାଲତ ପ୍ରତିଷ୍ଠିତ ହୋଇଛି। ବରିଷ୍ଠ ନାଗରିକଙ୍କୁ ନେଇ ୩ଟି ଲିଭ ରିଜର୍ଭ କୋର୍ଟ ଏବଂ ୨ଟି ମହିଳା କୋର୍ଟ ପ୍ରତିଷ୍ଠା କରାଯାଇଛି ।

ସିଭିଲ ଜଜ କ୍ୟାଡରରେ ୬ଟି କୋର୍ଟ ପ୍ରତିଷ୍ଠା କରାଯିବା ସହ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ବରୂପ ୨୫ଟି ନୂତନ କୋର୍ଟ କାର୍ଯ୍ୟକ୍ଷମ ହୋଇଛି । ଏହା ସମଗ୍ର ରାଜ୍ୟରେ ଅଦାଲତର ସମାନ୍ତରାଳ କେସ୍‌ ବଣ୍ଟନରେ ଏକ ବଡ଼ ପଦକ୍ଷେପ, ଯାହାକି ମାମଲାଗୁଡ଼ିକର ଉଚିତ ବଣ୍ଟନରେ ସାହାଯ୍ୟ କରିବ । ୨୦୨୨ କ୍ୟାଲେଣ୍ଡର ବର୍ଷରେ ଆଉଟଲେଇଙ୍ଗ ଷ୍ଟେସନଗୁଡ଼ିକ ମଧ୍ୟରେ ଭଦ୍ରକ ସିଭିଲ୍‌ ଜଜ୍‌-କମ୍‌-ଜେଏମ୍‌ଏଫ୍‌, (ଚାନ୍ଦବାଲି), ଭଦ୍ରକ ସିଭିଲ୍‌ ଜଜ୍‌-କମ୍‌-ଜେଏମ୍‌ଏଫ୍‌, (ଧାମନଗର), କେଉଁଝର ଗ୍ରାମ୍ୟ ନ୍ୟାୟାଳୟ, (ଘସିପୁରା), ବାଲେଶ୍ୱର ଗ୍ରାମ୍ୟ ନ୍ୟାୟାଳୟ, (ଭୋଗରାଇ), ନୟାଗଡ଼ ସିଭିଲ୍‌ କୋର୍ଟ, (ଭାପୁର)ରେ ୧୦ଟି ନୂଆ ଅଦାଲତ ଗୃହର ଉଦ୍‌ଘାଟନ କରାଯାଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ କୋର୍ଟ ଓ ତାଲୁକା କୋର୍ଟର ରକ୍ଷଣାବେକ୍ଷଣ ପାଇଁ ଜିଲ୍ଲା ଜଜମାନେ ଘରୋଇ ସଂସ୍ଥାରୁ ଆଉଟସୋର୍ସିଂ ମାଧ୍ୟମରେ ସମସ୍ତ କାର୍ଯ୍ୟ ପରିଚାଳନା କରୁଛନ୍ତି ।

୨୦୨୨ ମଇ ୧୪ରେ ୧୭ଟି ଜିଲ୍ଲା ଏବଂ ପରେ ୩୦ଟି ଜିଲ୍ଲାରେ ଇ-ଫାଇଲ୍‌ ଷ୍ଟେସନ୍‌ ପ୍ରତିଷ୍ଠା କରାଯାଇଛି । କାଗଜବିହୀନ କୋର୍ଟ ୨୦୨୧ ମସିହାରେ ପ୍ରଧାନ ବିଚାରପତି ଏସ୍‌. ମୁରଲିଧରଙ୍କ ବେଞ୍ଚରୁ ଆରମ୍ଭ ହୋଇ କ୍ରମେ ହାଇକୋର୍ଟର ୭ଟି ବେଞ୍ଚ ଏବଂ ପରବର୍ତ୍ତୀ ସମୟରେ ଓଡ଼ିଶାର ୩୦ଟି ଜିଲ୍ଲାରେ ୩୪ଟି ପେପରଲେସ୍‌ କୋର୍ଟ କାର୍ଯ୍ୟକ୍ଷମ ହୋଇଛି । ଯାହାକି କେସ ଫାଇଲ୍‌ ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଯେଉଁ ବ୍ୟୟବହୁଳ ଏବଂ କଷ୍ଟଦାୟକ ପ୍ରକ୍ରିୟା ଥିଲା ତାହାକୁ ଦୂର କରି ନ୍ୟାୟପାଳିକା କାର୍ଯ୍ୟକୁ ଆଧୁନିକୀକରଣ କରାଯାଇ ପାରିଛି । ଇତି ମଧ୍ୟରେ ଓଡ଼ିଶାର ୩୦ଟି ଜିଲ୍ଲାରେ ସ୍ପର୍ଶକାତର ସାକ୍ଷୀ ସୁରକ୍ଷା କେନ୍ଦ୍ର (ଭିଡବ୍ଲୁ୍ୟଡିସି) ଗଠନ କରାଯାଇଛି । ଏତେ ପରିମାଣରେ ଭିଡବ୍ଲୁଡିସି ସ୍ଥାପନ କରିବାରେ ଓଡ଼ିଶା ଦେଶରେ ତୃତୀୟ ରାଜ୍ୟ ବୋଲି ଜଣାପଡ଼ିଛି ।

ବିଭିନ୍ନ ଇ-ସେବାରେ ପରିଚିତ ହେବା ପାଇଁ ଜୁଡିସିଆଲ୍‌ ଅଫିସର, ଆଡଭୋକେଟ ଏବଂ ତାଙ୍କର କ୍ଲର୍କମାନଙ୍କୁ ବର୍ଷସାରା ଆବଶ୍ୟକ ତାଲିମ ପ୍ରଦାନ କରାଯାଇଛି । ୩୫ଟି ତାଲିମ କାର୍ଯ୍ୟକ୍ରମରେ ଏହି ତାଲିମ ପ୍ରଦାନ କରାଯାଇଛି । ୨ ଅପ୍ରେଲ ୨୦୨୨ରେ ଓଡ଼ିଶା ଜୁଡ଼ିସିଆଲ୍ ୱାର୍କଫ୍ଲୋ ଅଟୋମେସନ୍‌ ସିଷ୍ଟମ୍‌ (ଓଜେଡବ୍ଲଏଏସ୍) ପ୍ରବର୍ତ୍ତିତ ହୋଇଥିଲା । ଫଳସ୍ୱରୂପ ପ୍ରଶାସନିକ କାର୍ଯ୍ୟରେ ସମୟ ନଷ୍ଟ ହ୍ରାସ ପାଇଛି ।

୧୯୪୮ରେ ଓଡ଼ିଶା ହାଇକୋର୍ଟ ପ୍ରତିଷ୍ଠା ଦିନରୁ ରେକର୍ଡ ରୁମ୍‌ରେ ଥିବା ପୁରୁଣା ରେକର୍ଡର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ବହୁ ଆହ୍ବାନର ମୁକାବିଲା କରିବାକୁ ପଡ଼ୁଥିଲା । ରେକର୍ଡ ଡିଜିଟାଇଜଡ୍‌ କରାଯାଇ ସିଭିଲ୍‌ ଏବଂ ଅପରାଧିକ ଏବଂ ବିଚାରାଧୀନ ରେକର୍ଡର ଡିଜିଟାଇଜେସନ୍‌ କରାଯାଇଛି । ଦେଢ଼ ବର୍ଷ ପାଇଁ 4ଟି ଜିଲ୍ଲାର କୋର୍ଟ ଡିଜିଟାଇଜେସନରୁ ଉତ୍ସାହଜନକ ଫଳାଫଳ ପାଇବା ପରେ ହାଇକୋର୍ଟ ଜିଲ୍ଲାକୋର୍ଟ ଡିଜିଟାଇଜେସନ କେନ୍ଦ୍ରକୁ ଡିଜିଟାଇଜେସନ ହବରେ ନବୀକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସମଗ୍ର ରାଜ୍ୟରେ ଚାଲିଥିବା କାଗଜହୀନ ଅଦାଲତ ଲକ୍ଷ୍ୟ ହାସଲ କରିବାରେ ଏହା ସହାୟକ ହେବ ।

୨୬ ଡିସେମ୍ବର ୨୦୨୨ ସୁଦ୍ଧା ପ୍ରାୟ ୬ ଲକ୍ଷ ୯୭ ହଜାର ୮୩୮ଟି ନ୍ୟାୟିକ ରେକର୍ଡର ଡିଜିଟାଇଜେସନ ହୋଇଛି । ୨୩ ଡିସେମ୍ବର ୨୦୨୨ ସୁଦ୍ଧା ପ୍ରାୟ ୭୪୯୦୪ଟି ପଡ଼ିରହିଥିବା ରେକର୍ଡର ଡିଜିଟାଇଜେସନ କରାଯାଇଛି । ପ୍ରଶାସନିକ ଫାଇଲ୍‌ଗୁଡ଼ିକର ଡିଜିଟାଇଜେସନ ଓ ଓଡ଼ିଶା ଜୁଡ଼ିସିଆଲ ୱାର୍କଫ୍ଲୋ ଅଟୋମେସନ୍‌ ସିଷ୍ଟମ (ଓଜେଡବ୍ଲୁଏଏସ୍‌)ର ପରିବର୍ତ୍ତନ ସହିତ ଉଚ୍ଚ ନ୍ୟାୟାଳୟର ୨୦ ହଜାର ୧୬୫ ପ୍ରଶାସନିକ ଫାଇଲକୁ ଡିଜିଟାଇଜେସନ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ବାରା ନ୍ୟାୟିକ ଅଭିଲେଖାଗାର ପ୍ରତିଷ୍ଠା କରାଯାଇଛି । ନ୍ୟାୟପାଳିକାର ଐତିହ୍ୟ ଏବଂ ଇତିହାସକୁ ସଂରକ୍ଷଣ କରିବା ପାଇଁ ହାଇକୋର୍ଟଙ୍କ ପ୍ରସ୍ତାବ ଉପରେ ରାଜ୍ୟ ସରକାରଙ୍କ ଦ୍ବାରା ଏହା ପ୍ରତିଷ୍ଠା କରାଯାଇଛି । ଐତିହାସିକ ଗୁରୁତ୍ବପୂର୍ଣ୍ଣ ଘଟଣାଗୁଡ଼ିକର ଅନୁସନ୍ଧାନ ତଥା ଗବେଷଣାକୁ ସହଜ କରିବା ଏହି କେନ୍ଦ୍ରର ଉଦ୍ଦେଶ୍ୟ ।

ବାରବାଟୀ ଦୁର୍ଗ ପରିସରରେ ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ପୂର୍ବତନ ସରକାରୀ ବାସଭବନରେ ଥିବା ସଂଗ୍ରହାଳୟର ନୀବକରଣ କରାଯାଇଛି । ଏହାକୁ ଅଧିକ ଶିକ୍ଷଣୀୟ ଏବଂ ନ୍ୟାୟିକ ବ୍ୟବସ୍ଥାର ସଠିକ୍‌ ପ୍ରତିଫଳନ କରିବା ପାଇଁ ବ୍ୟବସ୍ଥା କରାଯିବା ସଙ୍ଗେ ସଙ୍ଗେ ଭର୍ଚୁଆଲ୍‌ ଭ୍ରମଣ ପାଇଁ ସୁବିଧା ବ୍ୟତୀତ ପ୍ରଦର୍ଶନ ପାଇଁ ପ୍ରସ୍ତାବ ଦିଆଯାଇଛି । ହାଇକୋର୍ଟ ପରିସରରେ କର୍ମଚାରୀମାନଙ୍କ ନିମନ୍ତେ ସ୍ଥାନାଭାବ ଦୃଷ୍ଟିରୁ କର୍ମଚାରୀମାନଙ୍କୁ ୱାର୍କଷ୍ଟେସନ ଏବଂ ଗୁଣାତ୍ମକ ଆସବାବପତ୍ର ଯୋଗାଇ ଦିଆଯାଇଛି । ଅନୁଶାସନ ଏବଂ ଏକତାର ଭାବନା ଜାଗ୍ରତ କରିବା ପାଇଁ ଗ୍ରୁପ-ଏ, ଗ୍ରୁପ-ବି ଏବଂ ଗ୍ରୁପ-ସି କର୍ମଚାରୀଙ୍କ ପାଇଁ ୟୁନିଫର୍ମ ସହିତ ହାଇକୋର୍ଟ ଲୋଗୋର ବ୍ୟବସ୍ଥା କରାଯାଇଛି । ହାଇକୋର୍ଟର ୭୫ତମ ବର୍ଷ ପାଳନର ଏକ ଅଂଶ ଭାବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ୨୦୨୩ ଜାନୁଆରୀ ୮ରେ ସମସ୍ତ କ୍ରୀଡ଼ା କାର୍ଯ୍ୟକ୍ରମ ଜବାହରଲାଲ ଇଣ୍ଡୋର ଷ୍ଟାଡିୟମରେ ଆୟୋଜନ କରିବାର ଲକ୍ଷ୍ୟ ରଖାଯାଇଛି । ଏହି ବର୍ଷ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ୨୫ ବର୍ଷ ସେବା ସମାପ୍ତି ପାଇଁ ୧୯୮ ଜଣ କର୍ମଚାରୀ ଏବଂ ଅବସର ଗ୍ରହଣ କରିବା ପରେ ୩୦ ଜଣଙ୍କୁ ଓଡ଼ିଶା ଜୁଡ଼ିସିଆଲ ଏକାଡେମୀରେ ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କ ଦ୍ବାରା ସମ୍ମାନିତ କରାଯାଇଛି ।

ଜନସାଧାରଣଙ୍କ ନିକଟରେ ପହଞ୍ଚିବା ନିମନ୍ତେ ହାଇକୋର୍ଟ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ପିଲାମାନଙ୍କୁ ହାଇକୋର୍ଟ ବିଷୟରେ ସମ୍ୟକ ଧାରଣା ଦେବା ଉଦ୍ଦେଶ୍ୟରେ ଛୁଟିଦିନରେ ହାଇକୋର୍ଟ ପରିସର ଖୋଲାଯାଇଛି । ୨୦୨୨ ମସିହାରେ ୧୧ଟି ଅନୁଷ୍ଠାନର ସ୍କୁଲ ଛାତ୍ରଛାତ୍ରୀ ହାଇକୋର୍ଟ ପରିଦର୍ଶନ କରିଛନ୍ତି । ରାଜ୍ୟ ନ୍ୟାୟପାଳିକାର ନାଗରିକ-କେନ୍ଦ୍ରିକ ସେବା ବିଷୟରେ ସଚେତନତା ନେଇ ବାଲିଯାତ୍ରା ଅବସରରେ ଏକ ସ୍ୱତନ୍ତ୍ର ଷ୍ଟଲ ପ୍ରଦର୍ଶିତ ହୋଇଛି । ଦୀର୍ଘ ୬ ବର୍ଷ ପରେ ୨୦୨୧ ମସିହାରେ ରାଜ୍ୟ ନ୍ୟାୟପାଳିକାର କାର୍ଯ୍ୟଦକ୍ଷତା ଏବଂ ବିଭିନ୍ନ ଆହ୍ୱାନଗୁଡ଼ିକ ବିଷୟରେ ବିସ୍ତୃତ ସୂଚନା ସହିତ ବାର୍ଷିକ ରିପୋର୍ଟ ପ୍ରକାଶନ କରାଯାଇଛି । ଏଥିରେ ହାଇକୋର୍ଟର ସଂକ୍ଷିପ୍ତ ଐତିହାସିକ ବିବରଣୀ, ଭିତ୍ତିଭୂମି ବିକାଶ ସମ୍ବନ୍ଧୀୟ ସୂଚନା, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ମାମଲା ପରିସଂଖ୍ୟାନ ଆଦି ବିଷୟରେ ବିଶଦ ବିବରଣୀ ସ୍ଥାନ ପାଇଛି । ହାଇକୋର୍ଟର ୱେବସାଇଟରେ ରାଜ୍ୟ ନ୍ୟାୟପାଳିକାର ବିସ୍ତୃତ କେସ ପରିସଂଖ୍ୟାନ ପ୍ରକାଶ ପାଉଛି । ହାଇକୋର୍ଟର ରେକର୍ଡ ରୁମ ଡିଜିଟାଇଜେସନ ସେଣ୍ଟର ଓ ଜିଲ୍ଲା କୋର୍ଟ ଡିଜିଟାଇଜେସନ୍‌ ସେଣ୍ଟରରେ ଡିଜିଟାଇଜେସନ କାର୍ଯ୍ୟକଳାପ ସମ୍ବନ୍ଧୀୟ ପରିସଂଖ୍ୟାନ ଏହି ୱେବସାଇଟରେ ଉପଲବ୍ଧ ହେଉଛି ।

୨୦୨୨ ନଭେମ୍ବର ୧୨ ତାରିଖରେ ଓଡ଼ିଶା ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଜିଲ୍ଲା କୋର୍ଟ ଦ୍ବାରା ‘ପ୍ରକୃତି ଓ ବନ୍ୟଜନ୍ତୁ’ ବିଷୟବସ୍ତୁ ଉପରେ ରାଜ୍ୟର ସପ୍ତମରୁ ଦଶମ ଶ୍ରେଣୀର ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏଥିରେ ରାଜ୍ୟର ୧୪୭୭ ପିଲା ଅଂଶଗ୍ରହଣ କରିଛନ୍ତି । ୨୦୨୨ ଆରମ୍ଭରେ ହାଇକୋର୍ଟରେ ୧୮ ଜଣ ବିଚାରପତି ଥିବାବେଳେ ୨ ଜଣ ବିଚାରପତି ଅବସର ଗ୍ରହଣ କରିଛନ୍ତି । ଜଣେ ବିଚାରପତି ଓଡ଼ିଶା ହାଇକୋର୍ଟରୁ ଅନ୍ୟ ହାଇକୋର୍ଟକୁ ସ୍ଥାନାନ୍ତରିତ ହୋଇଛନ୍ତି । ଜଣେ ବିଚାରପତି ଅନ୍ୟ ହାଇକୋର୍ଟରୁ ଓଡ଼ିଶାକୁ ସ୍ଥାନାନ୍ତରିତ ହୋଇଛନ୍ତି । ଚଳିତ ବର୍ଷ ୬ ଜଣ ନୂତନ ବିଚାରପତି ଶପଥ ଗ୍ରହଣ କରିଛନ୍ତି ।

ବର୍ତ୍ତମାନ ହାଇକୋର୍ଟରେ ୨୨ ଜଣ ବିଚାରପତି ଅଛନ୍ତି । ୨୦୨୨ ଜୁଲାଇ ୨୬ ତାରିଖରେ ହାଇକୋର୍ଟ ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶାର ୨୨ ଜଣ ଯୁବ ଟ୍ରାଏଲ୍‌ କୋର୍ଟ ଓକିଲଙ୍କୁ ‘ଆଇନଜୀବୀ,୨୦୨୧’ ପୁରସ୍କାର ପ୍ରଦାନ କରାଯାଇଛି । ହାଇକୋର୍ଟର ୭୫ତମ ବର୍ଷ ପାଳନ କରିବା ପାଇଁ ଏକ ସ୍ୱତନ୍ତ୍ର ଡାକ ଲଫାପା ଏବଂ ରବ୍ଦ ମୋହର ସହିତ ୬ଟି ଓଡ଼ିଶା ହାଇକୋର୍ଟର ଚିତ୍ରଥିବା ପୋଷ୍ଟକାର୍ଡକୁ ଭାରତର ପ୍ରଧାନ ବିଚାରପତିଙ୍କ ଦ୍ବାରା ୨୦୨୨ ସେପ୍ଟେମ୍ବର ୧୭ ତାରିଖରେ ଉନ୍ମୋଚିତ କରାଯାଇଥିଲା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details