କଟକ:ରାଜ୍ୟରେ ଗଜରାଜ ଅସୁରକ୍ଷିତ ହୋଇ ପଡ଼ିଛନ୍ତି । ଏହି ବିଷୟକୁ ଓଡିଶା ହାଇକୋର୍ଟରେ ଗୁରୁତ୍ୱର ସହ ନେଇଛନ୍ତି । ହାତୀ ମୃତ୍ୟୁ ମାମଲାର ଶୁଣାଣି କରିବା ବେଳେ ହାଇକୋର୍ଟ ରାଜ୍ୟର ବିଭିନ୍ନ ବନଖଣ୍ଡରେ ଗତ ଜାନୁଆରୀ ୧୮ରୁ ଏପର୍ଯ୍ୟନ୍ତ କେତେ ହାତୀ ମରିଛନ୍ତି ଓ କେତେ ମଣିଷ ଜୀବନ ଯାଇଛି ସେ ସମ୍ପର୍କରେ ତଥ୍ୟ ମାଗିଛନ୍ତି । ହାଇକୋର୍ଟ ମାମଲାର ଷ୍ଟାଟସ ରିପୋର୍ଟ ମାଗିଥିବା ବେଳେ ଏହି ସମୟ ମଧ୍ୟରେ ୧୪ଟି ହାତୀ ମରିଥିବା ଜଣାଇଛନ୍ତି ଜଏଣ୍ଟ ଟାସ୍କ୍ଫୋର୍ସ ଟିମ ।
ତେବେ ମୃତକ ୧୪ଟି ହାତୀଙ୍କ ମଧ୍ୟରୁ ଶିକାରୀଙ୍କ ଦ୍ୱାରା 2ଟି ହାତୀ ଶିକାର ହୋଇଥିବା ବେଳେ ବିଦ୍ୟୁତ ଆଘାତରେ ୪ଟି, ରୋଗାଗ୍ରସ୍ତ ହୋଇ ୩ଟି ହାତୀଙ୍କର ମୃତ୍ୟୁ ହୋଇଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଛି । ଏହା ସହିତ ହାତୀ ଆକ୍ରମଣରେ ୧୪ରୁ ୧୮ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ଜଏଣ୍ଟ ଟାସ୍କ୍ଫୋର୍ସର ଆବାହକ ମନୋଜ ନାୟର ଏହି ତଥ୍ୟ ହାଇକୋର୍ଟଙ୍କୁ ପ୍ରଦାନ କରିଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ, ପରବର୍ତ୍ତୀ ଶୁଣାଣି ପାଇଁ ଏପ୍ରିଲ ୨୦ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି ।
ଏଥିସହ ବନ କର୍ମଚାରୀ ତୁରାମ ପୁର୍ତ୍ତି ଆତ୍ମହତ୍ୟା ମାମଲାରେ ତାଙ୍କ ପତ୍ନୀଙ୍କ ଅଭିଯୋଗ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ତଥ୍ୟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ଜଶିପୁର ଥାନା ଅଧିକାରୀ ହାଜର ହୋଇ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । କେବଳ ସେତିକି ନୁହେଁ, ବିଦ୍ୟୁତ ଆଘାତ ଯୋଗୁଁ ହେଉଥିବା ହାତୀ ମୃତ୍ୟୁ ଘଟଣାରେ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ରାଜ୍ୟର ୫ଟି ବିଦ୍ୟୁତ ବିତରଣ କମ୍ପାନୀକୁ ନୋଟିସ ମଧ୍ୟ ଜାରି କରିଛନ୍ତି କୋର୍ଟ । ବିଶେଷକରି ବନ ବିଭାଗ ଅଞ୍ଚଳରେ କିପରି ବିଦ୍ୟୁତ ବଣ୍ଟନ କରାଯାଇଛି ଓ କାହିଁକି ହାତୀ ମୃତ୍ୟୁ ହେଉଛି, ସେ ସମ୍ପର୍କରେ ହାଇକୋର୍ଟରେ ତଥ୍ୟ ରଖିବାକୁ ବିଦ୍ୟୁତ ବିତରଣ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ ।