କଟକ: ପାର୍ବଣର ପରିବେଶରେ ପରିପୂର୍ଣ୍ଣ ପୃଥିବୀପୃଷ୍ଠ । ଶରତ ଋତୁ ଆସିବା ସହ ସାଙ୍ଗରେ ଜଗତଜନନୀ ମା' ମହାମାୟାଙ୍କୁ ମଧ୍ୟ ସାଙ୍ଗରେ ନେଇ ଆସିଛି । ଧରାପୃଷ୍ଠରେ ମା' ଦୁର୍ଗାଙ୍କୁ ସ୍ବାଗତ କରିବା ପାଇଁ ଆତୁର ନୟନରେ ଚାହିଁ ରହିଛନ୍ତି ଭକ୍ତ । ସବୁଠାରେ ସାଜ୍ଜସଜ୍ଜା କରିବାରେ ଲାଗିପଡ଼ିଛନ୍ତି ଶ୍ରଦ୍ଧାଳୁ । ଏନେଇ ଚଳଚଞ୍ଚଳ ହୋଇଉଠିଛି ରୌପ୍ୟ ନଗରୀ । ମା'ଙ୍କ ମୃର୍ତ୍ତିରେ ଶେଷ ସ୍ପର୍ଷ ଦିଆଯାଉଥିବା ବେଳେ ବ୍ୟବହାର ହେଉଛି ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ରଙ୍ଗ ।
ହଜାରେ ବର୍ଷର ସହର କଟକରେ ଆଜି ବି ରହିଛି ବହୁ ପୁରୁଣା ପରମ୍ପରାର ଛାପ । ବିଶେଷକରି ଦଶହରା ସମୟରେ ଏହି ପରମ୍ପରାର ଝଲକ ଆଜି ଯାଏଁ ଦେଖିବାକୁ ମିଳୁଛି । ନା ପରିବର୍ତ୍ତନ ହୋଇଛି ମା' ଦୁର୍ଗାଙ୍କ ମୃଣ୍ମୟୀ ମୃର୍ତ୍ତିର ଗଠନ ନା ପରିବର୍ତ୍ତନ ହୋଇଛି ମା' ଦୁର୍ଗାଙ୍କ ପୂଜା ରିତିନିତୀ । ଶହ ଶହ ବର୍ଷ ଧରି ସେହି ଏକା ଶୈଳୀରେ ସ୍ଥାପିତ କରାଯାଇ ପୂଜା ପାଇଆସୁଛନ୍ତି ମା' ଦୁର୍ଗା । କଟକ ବାଲୁବଜାରର ବିନୋଦ ବିହାରୀ ପିଠରେ ଦେଖିବାକୁ ମିଳିଛି କିଛି ଭିନ୍ନ ଦୃଶ୍ୟ । ଏହି ମଣ୍ଡପର ବିଶେଶ୍ୱତ ହେଉଛି ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣରେ କୌଣସି ରାସାୟନିକ ରଙ୍ଗର ବ୍ୟବହାର ହୁଏ ନାହିଁ । ପ୍ରାକୃତିକ ଭାବରେ ରଙ୍ଗ ପ୍ରସ୍ତୁତ କରି ମା'ଙ୍କ ରଙ୍ଗ କାର୍ଯ୍ୟ ହୋଇଥାଏ । ରଥଯାତ୍ରା ସମୟରୁ ରଙ୍ଗ ପାଇଁ ବିଭିନ୍ନ ପ୍ରାକୃତିକ ସାମଗ୍ରୀ ଗୁଡିକ ପ୍ରସ୍ତୁତ କରାଯାଇଥାଏ । ତେନ୍ତୁଳି ମଞ୍ଜି, ତେନ୍ତୁଳି ଗୁଣ୍ଡ, କଇଁଥ ଅଠା, ଶଙ୍ଖ ଗୁଣ୍ଡ, ମନ୍ଦାର ଏବଂ ହଳଦୀ ଆଦି ବିଭିନ୍ନ ପ୍ରକାର ପ୍ରାକୃତିକ ସାମଗ୍ରୀକୁ ପ୍ରଥମେ ପ୍ରସ୍ତୁତ କରାଯାଏ । ଏହାକୁ ଶୁଖାଇ ଗୁଣ୍ଡ କରି ଏଥିରୁ ରଙ୍ଗ ପ୍ରସ୍ତୁତ କରାଯାଏ । ପରେ ମା'ଙ୍କ ରଙ୍ଗରେ ବ୍ୟବହାର କରାଯାଇଥାଏ । ସବୁଠାରୁ ବଡ଼ କଥା ହେଉଛି ଏହି ମଣ୍ଡପର ଯିଏ ମୂର୍ତ୍ତି କାରିଗର ସେ ମଧ୍ୟ ପୂଜକ । ବଂଶାନୁ କ୍ରମେ ଏମାନେ ମା'ଙ୍କ ମୂର୍ତ୍ତି ନିର୍ମାଣ ଆଉ ପୂଜା କରିଆସୁଛନ୍ତି ।