ନିଆଳି:ପୁଣି ଅଜଣା ଜନ୍ତୁ ଆତଙ୍କ । କିଛି ଦିନର ନିରବତା ପରେ ଗୁହାଳରେ ପଶି ୬ ମେଣ୍ଢାଙ୍କ ଜୀବନ ନେଲା ଅଜଣା ଜନ୍ତୁ । କଟକ ଜିଲ୍ଲା ନିଆଳି ଅଞ୍ଚଳରେ ପୂର୍ବଖଣ୍ତ ଗାଁର ଚର୍ତୁଭୂଜ ସେଠୀଙ୍କ ଗୁହାଳରେ ଅଜଣା ଜନ୍ତୁଙ୍କ ଆକ୍ରମଣରେ ୬ ମେଣ୍ଢାଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ସ୍ଥାନୀୟ ଲୋକ ଅଜଣା ଜନ୍ତୁଙ୍କୁ ଦେଖିଥିବା ନେଇ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ନିଆଳି ଅଞ୍ଚଳରେ ଅଜଣା ଜନ୍ତୁଙ୍କ ଆକ୍ରମଣର କମିବାର ନାଁ ଥମୁନି । ଗତକାଲି ପୁଣି ଅଜଣା ଜନ୍ତୁ ଆକ୍ରମଣରେ ନିଆଳି ପୂର୍ବଖଣ୍ତ ଗାଁର ଚର୍ତୁଭୂଜ ସେଠୀଙ୍କ ମେଣ୍ଢା ଗୁହାଳରେ ସାତ ଜଙ୍ଗଲି ଜନ୍ତୁ ପଶି ୬ ମେଣ୍ଢାଙ୍କୁ ମାରିବା ସହିତ ଦୁଇଟି ମେଣ୍ଢା ଛୁଆଙ୍କୁ ନେଇ ପଳାଇଛନ୍ତି । ଗତକାଲି ବିଳମ୍ବିତ ରାତି ୧ଟା ପରେ ସାତଟି ଅଜଣା ଜନ୍ତୁ ଗୁହାଳ କାନ୍ଥ ଡେଇଁ ମେଣ୍ଢା ମାନଙ୍କୁ ଶିକାର କରିଥିବା ନେଇ ମେଷପାଳକ କହିଛନ୍ତି । ତେବେ ମେଣ୍ଢାଙ୍କ ପ୍ରଥମେ ବେକ ଓ ପେଟକୁ ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଗୁହାଳ ନିକଟରେ ଅଜଣା ଜନ୍ତୁଙ୍କ ପାଦ ଚିହ୍ନ ରହିଛି ।
ଅନ୍ୟପଟେ ପୂର୍ବରୁ ବହୁବାର ସ୍ଥାନୀୟ ଲୋକମାନେ ରାତିରେ ଉଠିଥିବା ସମୟରେ ଅଜଣା ଜନ୍ତୁଙ୍କୁ ଦେଖିଥିବା ନେଇ ଦାବି କରିଛନ୍ତି । ଅଜଣା ଜନ୍ତୁ ଗୁଡିକ ଦେଖିବା ପାଇଁ ମୋଟା,କାନ ଲମ୍ବା ଏବଂ ଦେଖିବା ପାଇଁ କୁକୁର ଓ ଗଧିଆ ଭଳି ଦେଖାଯାଉଥିବା ନେଇ ଦେଖାଣାହାରି ମାନେ କହିଛନ୍ତି । ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ନିଆଳି ବନପାଳକ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।