କଟକ: ଜଗତଜନନୀଙ୍କ ଭଷାଣ ଉତ୍ସବରେ ହିନ୍ଦୁ ଭାଇଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ମୁସଲିମ ଭାଇମାନେ। ମିଠା ପ୍ୟାକେଟ ଓ ଗାମୁଛା ପକାଇ କରିଛନ୍ତି ସମ୍ବର୍ଦ୍ଧିତ । ଏଭଳି ନିଆରା ଭାଇଚାରର ପରମ୍ପରା ଦେଖିବାକୁ ମିଳିଛି ଭାଇଚାର ସହର କଟକରେ।
ଭଷାଣ ଉତ୍ସବରେ ଭାଇଚାରାର ବାର୍ତ୍ତା ବୁଧବାର ମା’ ଜଗତଜନନୀଙ୍କ ଭଷାଣ ଉତ୍ସବ ଚାଲିଥିବା ବେଳେ ମୁସଲିମ ଭାଇମାନେ ଉତ୍ସବରେ ସାମିଲ ହୋଇଛନ୍ତି। ହାଓଡା ମଟର ଛକ ଠାରେ ଏକ ମଞ୍ଚ କରି ସମସ୍ତ ପୂଜା ମଣ୍ଡପର ସଭାପତି ଓ ସମ୍ପାଦକଙ୍କୁ ମଞ୍ଚକୁ ଡାକି ସେମାନଙ୍କୁ ମିଠା ପ୍ୟାକେଟ ସହ ବେକରେ ଗାମୁଛା ପକାଇ ସମ୍ବର୍ଦ୍ଧିତ କରିଛନ୍ତି। ଏଭଳି ଭାଇଚାର ପୂର୍ବରୁ ରହି ଆସିଛି ଓ ଏହାକୁ ବଜାୟ ରଖାଯିବ ବୋଲି ମୁସଲିମ ଭାଇ ମାନେ କହିଛନ୍ତି।
କେବଳ ସେତିକି ନୁହେଁ, ହିନ୍ଦୁଙ୍କ ପର୍ବ ଏହି ଦଶହରାରେ ସେମାନେ ଅଂଶ ଗ୍ରହଣ କରିଥାଆନ୍ତି। ଦଶହରା ପର୍ବରେ ହିନ୍ଦୁଙ୍କ ଭଳି ସେମାନେ ମଧ୍ୟ ନୂଆ ପୋଷାକ ପିନ୍ଧନ୍ତି। ଏହି ପର୍ବରେ ସାମିଲ ହୋଇ ସେମାନେ ବେଶ ଖୁସି ମଧ୍ୟ ପ୍ରକଟ କରିଛନ୍ତି। ଉଭୟ ପରସ୍ପରଙ୍କ ପର୍ବରେ ସାମିଲ ହୋଇ ଭାଇଚାରାର ସନ୍ଦେଶ ଦେଉଛନ୍ତି। ସେହିପରି ମୁସଲିମ ଭାଇଙ୍କ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସ୍ବାଗତ କରିଛନ୍ତି ସମ୍ବର୍ଦ୍ଧିତ ହୋଇଥିବା ପୂଜା ମଣ୍ଡପର କର୍ମକର୍ତ୍ତା। ଭାଇଚାରାର ସହର କଟକରେ ସମସ୍ତେ ସମସ୍ତଙ୍କ ପର୍ବରେ ସାମିଲ ହୋଇଥାଆନ୍ତି। ଯାହାଦ୍ବାରା କଟକବାସୀ ଏକତ୍ର ହୋଇ ରହିବେ ବୋଲି ବଣିଆ ସାହି ପୂଜା ମଣ୍ଡପର ଯୁଗ୍ମ ସମ୍ପାଦକ କହିଛନ୍ତି ।
ସାରା ଦେଶରେ ହିନ୍ଦୁ ମୁସଲମାନ ମୁହାଁ ମୁହିଁ ହେଉଥିଲେ ହେଁ ଆଜି ମଧ୍ୟ ଭାଇଚାରାକୁ ଉଜ୍ଜିବୀତ ରଖିଛି କଟକ ସହର । ଆଉ ଦେଶବାସୀଙ୍କୁ ଦେଉଛି ଭାଇଚାରା ଓ ସଦଭାବନାର ସନ୍ଦେଶ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ