କଟକ: ଲୋଭନୀୟ ଅଫର ଦେଖାଇ ଲୋକଙ୍କୁ ଚୁନ ଲଗାଇଲା ଭୁବନେଶ୍ୱରର ଲୁମେକ୍ସ ରିସୋର୍ସ ପ୍ରାଇଭେଟ ନାମକ ଏକ ସଂସ୍ଥା । କମ ଦିନରେ ଅଧିକ ଲାଭ ଆଶା ଦେଖାଇ ଜମାକାରୀଙ୍କ ଠାରୁ ଲୁଟି ନେଲା କୋଟି କୋଟି ଟଙ୍କା। ଠକାମିର ଶିକାର ହେବା ପରେ ଥାନାରେ ଅଭିଯୋଗ କରାଯାଇଥିଲା ସୁଦ୍ଧା ଏପର୍ଯ୍ୟନ୍ତ ହୋଇପାରିନି କାର୍ଯ୍ୟାନୁଷ୍ଠାନ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ଯ ସ୍ଥାଣୁ ପାଲଟିଛି ପୋଲିସ। ଥାନାରେ ଗତ 4 ମାସ ଧରି ଏନେଇ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗହଣ କରାଯାଇ ନଥିବାରୁ ନ୍ୟାୟ ଅପେକ୍ଷାରେ ଠକାମୀର ଶିକାର ହୋଇଥିବା ଜମାକାରୀ ।
ଏକ ବର୍ଷ ପୂର୍ବେ ବିଭିନ୍ନ ଜାଲ କାଗଜପତ୍ର ଦେଖାଇ କ୍ରୋମ ବ୍ୟବସାୟ କରୁଥିବାରୁ ଲୋକଙ୍କ ନିକଟରେ ବିଶ୍ବାସ ଜନ୍ମାଇଥିଲା ଲୁମେକ୍ସ ରିସୋର୍ସ ପ୍ରାଇଭେଟ ସଂସ୍ଥା । କମ ଅର୍ଥ ବିନିଯୋଗରେ ବହୁଗୁଣା ଅର୍ଥ ଫେରସ୍ତ ଲୋଭ ଦେଖାଇବାରୁ ବହୁ ଲୋକେ ଏଠାରେ କୋଟି କୋଟି ଟଙ୍କା ଜମା କରିଥିଲେ। ନିଶାରାଣୀ ମହାପାତ୍ର ନାମକ ଜଣେ ମହିଳା ଏହି ସଂସ୍ଥାରେ 5 କୋଟି ଟଙ୍କା ଜମା କରିବା ପରେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏହା ପରେ ଟଙ୍କା ଫେରସ୍ତ ପାଇଁ ବାରମ୍ବାର ଏହି ସଂସ୍ଥାକୁ ଦୌଡିଥିଲେ ଜମାକାରୀ ଜଣଙ୍କ। କିନ୍ତୁ କୌଣସି ସୁଫଳ ନମିଳିବାରୁ ମହିଳା ଜଣଙ୍କ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ଅଭିଯୋଗ ନରଖିବାରୁ ବାଧ୍ୟ ହୋଇ ସେ ସ୍ଥାନୀୟ ଏସ୍ଡିଜେଏମ୍ କୋର୍ଟରେ ଜଣାଇବା ପରେ ଦୀର୍ଘ ଦିନ ପରେ ପୋଲିସ ମାମଲା ରୁଜୁ କରିଥିଲା।