ଓଡିଶା

odisha

ETV Bharat / state

ରୁଚିକା ପାହାଡରେ ଅଷ୍ଟଭୂଜା ଚାମୁଣ୍ଡା ମା' ଚର୍ଚ୍ଚିକା - ଶକ୍ତିପୀଠ

ମହାନଦୀ ମୁହାଣରେ ଥିବା ରୁଚିକା ପାହାଡ଼ରେ ଅବସ୍ଥିତ କଟକ ବାଙ୍କୀ ଚର୍ଚ୍ଚିକାଙ୍କ ପୀଠ ଏକ ପ୍ରାଚୀନ ଶକ୍ତି ପୀଠ । ସେଠାରେ ମା' ଚର୍ଚ୍ଚିକା ଅଷ୍ଟଭୁଜା ଚାମୁଣ୍ଡା ରୂପରେ ପୂଜିତା । ଏହି ତାନ୍ତ୍ରିକ ପୀଠକୁ ନେଇ ଅନେକ କିମ୍ବଦନ୍ତୀ ରହିଛି, ଅଧିକ ପଢନ୍ତୁ...

ମା' ଚର୍ଚ୍ଚିକା

By

Published : Oct 11, 2019, 8:03 AM IST

Updated : Oct 11, 2019, 8:21 AM IST

କଟକ: ବାଙ୍କୀଗଡେ ମା' ଚର୍ଚ୍ଚିକା ସିନ୍ଦୂର ମଣ୍ଡିତା
ଅଷ୍ଟଚଣ୍ଡୀ ମଧ୍ୟେ ନାମ ଉତ୍କଳ ବନ୍ଦିତା...


ମାତୃଶକ୍ତି ଯୁଗେ ଯୁଗେ ବନ୍ଦନୀୟା । ସେ ସୃଷ୍ଟିକାରିଣୀ, ପାଳନକାରିଣୀ ଓ ସଂହାରକାରିଣୀ । ସକଳ ଜୀବଜଗତ ମାତୃଶକ୍ତିର ପ୍ରଭାବରେ ହୁଏ ଚଳଚଞ୍ଚଳ। ଶକ୍ତିପୀଠର ମହାସ୍ଥଳ ଆମ ଓଡ଼ିଶା ମାଟିରେ ମାତୃଶକ୍ତିର ଉପାସନା ସର୍ବତ୍ର ଦୃଶ୍ୟମାନ । ଏଠାରେ ମାତୃଶକ୍ତି ଅଷ୍ଟଚଣ୍ଡୀରୂପେ ପୂଜିତା । ଏହି ଅଷ୍ଟଚଣ୍ଡୀ ମଧ୍ୟରୁ କଟକ ବାଙ୍କୀ ଚର୍ଚ୍ଚିକାଙ୍କ ପୀଠ ଏକ ପ୍ରାଚୀନ ଶକ୍ତି ପୀଠ । ମହାନଦୀ ମୁହାଣରେ ଥିବା ରୁଚିକା ପାହାଡ଼ରେ ଅବସ୍ଥିତ ମା' ଚର୍ଚ୍ଚିକା ଅଷ୍ଟଭୁଜା ଚାମୁଣ୍ଡା ରୂପରେ ସର୍ବଦା ପୂଜିତା ।

କିମ୍ବଦନ୍ତୀ ଅନୁସାରେ, ମା' ଚର୍ଚ୍ଚିକାଙ୍କ କ୍ଷେତ୍ର ପର୍ଶୁରାମଙ୍କ କ୍ଷେତ୍ର । କାହିଁ କେଉଁ କାଳରୁ ରୁଚିକା ପର୍ବତରେ ମା' ପୂଜା ପାଇଆସୁଛନ୍ତି ସେ ନେଇ କୌଣସି ସଠିକ୍ ତଥ୍ୟ ନାହିଁ । ଜନଶ୍ରୁତି ଅନୁସାରେ, ପର୍ଶୁରାମ ପିତୃ ହତ୍ୟାର ପ୍ରତିଶୋଧ ପାଇଁ ପୃଥିବୀରୁ କ୍ଷେତ୍ରୀୟମାନଙ୍କୁ ନିପାତ କରୁଥିଲେ, ଏହି ସମୟରେ ତାଙ୍କ ଯିବା ବାଟରେ ରୁଚିକା ପାହାଡ ପଡିଥିଲା । ମାତ୍ର ସେ ଏହି ପାହାଡକୁ ଅତିକ୍ରମ କରି ଯାଇପାରିନଥିଲେ । ତାଙ୍କ ମନରେ ସନ୍ଦେହ ହେବାରୁ ସେଠାରେ ସେ ଧ୍ୟାନ କରିଥିଲେ । ଧ୍ୟାନ ସମୟରେ ପାହାଡରେ କିଏ ଅଛନ୍ତି ତାହା ସେ ଜାଣିବାକୁ ପାଇଥିଲେ । ସେ ସମୟରେ ମା' ଚର୍ଚ୍ଚିକା ତାଙ୍କୁ ଏକ ବୁଢୀ ବେଶରେ ଦର୍ଶନ ଦେଇଥିଲେ । ଆଉ ପର୍ଶୁରାମଙ୍କୁ ଉକ୍ତ ପାହାଡରେ ତପସ୍ୟା କରି ସିଦ୍ଧି ଲାଭ କରିବାକୁ ଆଦେଶ ଦେଇଥିଲେ । ସେବେ ଠାରୁ ଏହି ପୀଠ ତାନ୍ତ୍ରିକ ଶକ୍ତି ପୀଠ ଭାବେ ମଧ୍ୟ ପରିଚିତ । ବହୁ ସାଧକ ଏହି ଶକ୍ତିପୀଠରେ ସାଧନା କରିଥିବାର କିମ୍ବଦନ୍ତୀ ରହିଛି ।

ଅଷ୍ଟଭୁଜା ଚାମୁଣ୍ଡା ବାଙ୍କୀ ମା' ଚର୍ଚ୍ଚିକା

ରାଜା ରାଜୁଡା ଅମଳରୁ ମା' ଚର୍ଚ୍ଚିକାଙ୍କ ପୀଠ ଭାବେ ଖ୍ୟାତ ସେଇ ରୁଚିକଗିରି ପାହାଡରେ ପଞ୍ଚମହାଦେବ, ମଙ୍ଗଳା, ସନ୍ତୋଷୀ ମା', ରଘୁନାଥ, ଜଗନ୍ନାଥ, ତ୍ରିନାଥଦେବଙ୍କ ମନ୍ଦିରମାନ ରହିଛି । ସର୍ବଦେବୀଦେବୀଙ୍କ ଗହଣରେ ମା' ରୁଚିକଗିରି ପାହାଡ ଉପରେ ବନ୍ଦିତା । ମାଙ୍କ ମନ୍ଦିରକୁ ଲାଗି କାଷ୍ଠ ନିର୍ମିତ ଏକ ମଣ୍ଡପ ରହିଛି । ଯାହା ବେଶ ମନଲୋଭା । ଏହି ପୁରାତନ ମଣ୍ଡପରେ 12ଟି କଳା କାରୁକାର୍ଯ୍ୟପୂର୍ଣ୍ଣ ସ୍ତମ୍ଭ ରହିଛି । ଏହି ମଣ୍ଡପଟି ସର୍ବଦା ପର୍ଯ୍ୟଟକଙ୍କ ଆକର୍ଷଣୀୟ କେନ୍ଦ୍ରବିନ୍ଦୁ ପାଲଟିଥାଏ ।

ବର୍ଷା ସାରା ମା'ଙ୍କ ପୂଜାର୍ଚ୍ଚନା ଓ ନୀତିକାନ୍ତି ନିର୍ଦ୍ଦିଷ୍ଟ ସମୟରେ ଅନୁଷ୍ଠିତ ହୋଇଥାଏ । ପ୍ରତିଦିନ ମା'ଙ୍କୁ 4 ଥର ଭୋଗ ଅର୍ପଣ କରାଯାଇଥାଏ । ଦିନ 10ଟାରେ ଦେବୀଙ୍କୁ ମାଜଣା କରାଯାଇ ସକାଳ ଧୂପ ଅର୍ପଣ କରାଯାଏ । ଦ୍ବିପ୍ରହର ଧୂପ ପରେ ମନ୍ଦିର ବନ୍ଦ ରହେ, ପୁନର୍ବାର ସନ୍ଧ୍ୟା ପୂର୍ବରୁ ମନ୍ଦିର ଖୋଲିଥାଏ । ସନ୍ଧ୍ୟା ଧୂପ ଓ ରାତ୍ରି ଧୂପ ପରେ ମା'ଙ୍କ ବିଶ୍ରାମ ପାଇଁ ବ୍ୟବସ୍ଥା କରାଯାଏ ।

ମା' ଚର୍ଚ୍ଚିକାଙ୍କ ପୀଠରେ ଝାମୁଯାତ୍ରା, ଦୁର୍ଗା ପୂଜା, କୁମାର ପୂର୍ଣ୍ଣିମା, ବାସନ୍ତୀ ପୂଜା, ଦୋଳ ଯାତ୍ରା, ଚନ୍ଦନ ଯାତ୍ରା ଭଳି 12 ମାସରେ ବିଭିନ୍ନ ଉତ୍ସବ ପାଳିତ ହୁଏ । ଦଶହରା ମହାଷ୍ଟମୀରେ ମା' ଚର୍ଚ୍ଚିକା 108 ମୁଣ୍ଡ ମାଳରେ ସଜ୍ଜିତ ହୋଇ ଭକ୍ତଙ୍କୁ ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେଇଥାନ୍ତି । ସେହିପରି କୁମାରୀପୂର୍ଣ୍ଣିମା ଦିନ ମା'ଙ୍କ କୁମାରୀ ବେଶ ଅନୁଷ୍ଠିତ ହୋଇଥାଏ ।

ଦୈନନ୍ଦିନ ମା'ଙ୍କ ପୀଠରେ ଅନ୍ନପ୍ରସାଦ ଭୋଗ ହୋଇଥାଏ । ଚର୍ଚ୍ଚିକା ଗ୍ରାମର ମାଳିସାହି ଦ୍ଵାରା ମା'ଙ୍କ ପୀଠର ପରିଚାଳନା କାର୍ଯ୍ୟ ସମ୍ପାଦିତ ହୋଇଥାଏ । ଏଇ ମହାର୍ଘ ପୀଠର ଆକର୍ଷଣ ଭକ୍ତ ପାଇଁ ତୀବ୍ର । ମା' ପ୍ରତି ସନ୍ତାନର ଭକ୍ତି ଓ ସନ୍ତାନର ମା' ପ୍ରତି ଅନାବିଳ ଶ୍ରଦ୍ଧା, ପ୍ରେମ, ବାତ୍ସଲ୍ୟ ଅନୁଭୂତ ହୁଏ ଏଇ ପୀଠରେ ।

ବିଶ୍ବାସ ରହିଛି, ମା'ଙ୍କ ଏହି ଶକ୍ତି ପୀଠକୁ ଦର୍ଶନ କଲେ କୋଟି କୋଟି ଜନ୍ମର ପୁଣ୍ୟ ମିଳିଥାଏ । ଖାଲି ସେତିକି ନୁହେଁ, ମା'ଙ୍କ ପାଖରେ ଯିଏ ଯାହା ମାନସିକ କରେ ,ତାହା ପୂରଣ ହୋଇଥାଏ । ସେଥିପାଇଁ ତ ମା'ଙ୍କ ନିକଟରେ ଅନୁଷ୍ଠିତ ବିଭିନ୍ନ ଉତ୍ସବରେ ସାମିଲ ହେବାକୁ ଶହ ଶହ ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ ବାଙ୍କୀଗଡକୁ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 11, 2019, 8:21 AM IST

ABOUT THE AUTHOR

...view details