ନିଆଳି:ଉଦଯାପିତ ହୋଇଯାଇଛି ଜୟଦେବ ଗୌରବ ସମ୍ମାନ ୨୦୨୩ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ହାଇସ୍କୁଲ ଖେଳ ପଡିଆ ସଭା ମଣ୍ଡପରେ ତିନି ଦିନ ଧରି ଚାଲିଥିବା ଜୟଦେବ ଗୌରବ ସମ୍ମାନ-୨୦୨୩ ଗତକାଲି ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମର ଶେଷ ସଂନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ ଏବଂ ଓଡିଆ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ବିଦୁସ୍ମିତା । ଶୀତୁଆ ସନ୍ଧ୍ୟା ସାଙ୍ଗକୁ ଅଭିନେତ୍ରୀ, ଅଭିନେତା ତଥା ଅନ୍ୟାନ୍ୟ କଳାକାରଙ୍କ ଦ୍ବାରା ଅଭିନୟ ଏବଂ ନାଚ ଗୀତରେ ଦୁଲୁକି ଉଠିଥିଲା ମଞ୍ଚ ।
ତେବେ ଦୁଇ ଅଭିନେତାଙ୍କ ଡାଇଲଗ ଏବଂ ବିଦୁସ୍ମିତାଙ୍କ ଠୁମୁକା ଉପସ୍ଥିତ ଦର୍ଶକ ଢେର ମନୋରଞ୍ଜନ ଖୋରାକ ପାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କମେଡିଆନ ଗୁଲୁଆ ନିଜ ଚିରାଚରିତ ଢଙ୍ଗରେ ଉପସ୍ଥିତ ଦର୍ଶକମାନଙ୍କୁ ହସାଇଥିଲେ । କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କ ରୋମାଣ୍ଟିକ ଗୀତରେ ଉପସ୍ଥିତ ଦର୍ଶକ ଝୁମିଥିଲେ । ସେହିପରି ଡ୍ୟାନ୍ସ ଗ୍ରୃପ ଏବଂ ଅନ୍ୟ କଳାକାରମାନଙ୍କ ନୃତ୍ୟ ଉପସ୍ଥିତ ଦର୍ଶକ ଭରପୁର ଉପଭୋଗ କରିଥିଲେ । ଜୟଦେବ ଅଞ୍ଚଳ ତଥା ଆଖପାଖ ବ୍ଲକର ମେଧାବୀ ପ୍ରତିଭା ଏବଂ କୃତି ଛାତ୍ରଛାତ୍ରୀ, କଳା, ସାହିତ୍ୟ, କବି, ଲେଖକ, କଳାକାର, ପ୍ରଶାସନିକ ଅଧିକାରୀ ଏବଂ ସମାଜସେବୀମାନଙ୍କୁ 'ଜୟଦେବ ଗୌରବ ସମ୍ମାନ-୨୦୨୩'ରେ ସମ୍ମାନିତ କରାଯାଇଥିଲା ।
'ଜୟଦେବ ଗୌରବ ସମ୍ମାନ ୨୦୨୩' ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଗୁଁ ଅଞ୍ଚଳର ବହୁ ପ୍ରତିଭା ନିଜର ପାରିଦର୍ଶିତା ପ୍ରଦର୍ଶନ ସହିତ ଅଞ୍ଚଳର ଭାଇଚାରା ସୃଷ୍ଟି ହେବ ବୋଲି କହିଥିଲେ ମଞ୍ଚ ଉପରେ ଉପସ୍ଥିତ ଅତିଥି । ତେବେ ଗତକାଲିର ଶେଷ ସନ୍ଧ୍ୟାରେ ବଲିଉଡ ତାରକା ସୁନୀଲ ଶେଟ୍ଟୀ ଓଡିଶା ଆସି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶେଷ ସନ୍ଧ୍ୟାରେ ଜମିଥିଲା ଦର୍ଶକଙ୍କ ଭିଡ ।