ଓଡିଶା

odisha

ETV Bharat / state

ପବିତ୍ର ଜନ୍ମାଷ୍ଟମୀ: ନଟଖଟିଆ କାହ୍ନାର ଖଟା-ମିଠା କାହାଣୀ...

ଅଣ୍ଟାରେ ବଂଶୀ, ଲହୁଣୀବୋଳା ମୁହଁ, ମୁଚୁକୁନ୍ଦା ହସ, ମୁଣ୍ଡରେ ମୟୂରଚୁଳ, ଏହି ଚିତ୍ରକୁ ମନେ ପକାଇଲେ ହୃଦୟରେ ଭକ୍ତିର ଭାବନା ଉତ୍ପନ୍ନ ହୋଇଥାଏ। ଆଖିରୁ ଭାବର ଲୋତକ ବୋହିଯାଏ। କହ୍ନେଇ ଭାରି ପ୍ରେମ ବିକଳ। ଯିଏ ତାଙ୍କୁ ଭକ୍ତିର ସହ ପ୍ରେମ କଲା, ସେ କ୍ଷଣିକ ମଧ୍ୟରେ ତାର ହୋଇଯିବେ। ତାର ସମସ୍ତ ହାନିଲାଭ-ଦୁଃଖସୁଖ ତାଙ୍କର। ଶ୍ରୀକୃଷ୍ଣ ହେଉଛନ୍ତି ଲୀଳାମୟ ପୁରୁଷ । ନୀତି, ଆଦର୍ଶ ଓ ମାର୍ଗଦର୍ଶନର ମୂର୍ତ୍ତୀମନ୍ତର ପ୍ରତୀକ ହେଉଛନ୍ତି ସେ ।

By

Published : Aug 11, 2020, 6:30 AM IST

Updated : Aug 11, 2020, 8:05 AM IST

ପବିତ୍ର ଜନ୍ମାଷ୍ଟମୀ: ନଟଖଟିଆ କାହ୍ନାର ଖଟା-ମିଠା କାହାଣୀ...
ପବିତ୍ର ଜନ୍ମାଷ୍ଟମୀ: ନଟଖଟିଆ କାହ୍ନାର ଖଟା-ମିଠା କାହାଣୀ...

ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ହିନ୍ଦୁମାନଙ୍କର ଏହା ଏକ ମୁଖ୍ୟ ପର୍ବ । ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବ ମହାସମାରୋହରେ ପାଳନ କରାଯାଏ। ଆଜିର ଦିନରେ ଘରେଘରେ ଆବାଳବୃଦ୍ଧବନିତା ଜନ୍ମାଷ୍ଟମୀ ବ୍ରତ ପାଳନ କରିଥାଆନ୍ତି । ରାତ୍ରି ୧୨ ଘଟିକାରେ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାନ୍ତି । କାକରା, ମଣ୍ଡା, ଆରିସା, ଗଇଁଠା ଓ ମିଠାରେ ସମଗ୍ର ପରିବେଶ ମହକୁଥାଏ। ପ୍ରତ୍ୟେକଙ୍କ ଘରେ ବାଲଗୋପାଳଙ୍କ ସୁମଧୁର ଭଜନ ଭାସି ଆସିବା ସହ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ। ଜନ୍ମାଷ୍ଟମୀ ବ୍ରତ ପାଳନ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ତେଣୁ ସମସ୍ତେ ଏହି ଓଷା କରିଥାନ୍ତି। ନିଃସନ୍ତାନ ପିତା ଓ ମାତାଙ୍କ ପାଇଁ ଜନ୍ମାଷ୍ଟମୀ ବ୍ରତ ଖୁବ୍ ଫଳପ୍ରଦ ହୋଇଥାଏ।

ଇସ୍କନ ମନ୍ଦିରରେ ସୁସଜ୍ଜିତ ରାଧା-କୃଷ୍ଣ
ଅଣ୍ଟାରେ ବଂଶୀ, ଲହୁଣୀବୋଳା ମୁହଁ, ମୁଚୁକୁନ୍ଦ ହସ, ମୁଣ୍ଡରେ ମୟୂରଚୂଳ, ଏହି ଚିତ୍ରକୁ ମନେ ପକାଇଲେ ହୃଦୟରେ ଭକ୍ତିର ଭାବନା ଉତ୍ପନ୍ନ ହୋଇଥାଏ। ଆଖିରୁ ଭାବର ଲୋତକ ବୋହିଯାଏ। କହ୍ନେଇ ଭାରି ପ୍ରେମ ବିକଳ। ଯିଏ ତାଙ୍କୁ ଭକ୍ତିର ସହ ପ୍ରେମ କଲା, ସେ କ୍ଷଣିକ ମଧ୍ୟରେ ତାର ହୋଇଯିବେ। ତାର ସମସ୍ତ ହାନିଲାଭ-ଦୁଃଖସୁଖ ତାଙ୍କର। ଶ୍ରୀକୃଷ୍ଣ ହେଉଛନ୍ତି ଲୀଳାମୟ ପୁରୁଷ । ନୀତି, ଆଦର୍ଶ ଓ ମାର୍ଗଦର୍ଶନର ମୂର୍ତ୍ତୀମନ୍ତର ପ୍ରତୀକ ହେଉଛନ୍ତି ସେ।
ନାଲିଆ ଅଧରରୁ ଲହୁଣୀ ବୋହିପଡୁଛି



ଶ୍ରୀକୃଷ୍ଣ ଜନ୍ମ ବୃତ୍ତାନ୍ତ:
ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ ଦ୍ବାପର ଯୁଗର ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହେଇଥିଲେ । ତାଙ୍କର ଲୀଳା ଅବଧି ଥିଲା ୧୨୫ ବର୍ଷ ୭ ମାସ । ଯେଉଁ ଦିନ କୃଷ୍ଣଙ୍କର ପରଲୋକ ହେଲା, ସେଦିନ ଠାରୁ କଳି ଯୁଗ ଆରମ୍ଭ ହେଇଛି । ତେଣୁ ଆଜକୁ ୫୨୩୮ ବର୍ଷ ପୂର୍ବେ ଲୀଳା ପୁରୁଷୋତ୍ତମ ଏହି ଧରାଧାମରେ ଅବତରଣ କରିଥିଲେ । ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ତାଙ୍କର ଜନ୍ମ ହୋଇଥିଲା । କଂସଦ୍ବାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ଅର୍ଦ୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମ ଲାଭ କରିଥିଲେ ।
ବନ୍ଦୀଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣର ଉଦ୍ଦେଶ୍ୟ । ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ । ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷା କରି ସେ ଜନ୍ମ ନେଇଛନ୍ତି । ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣିତ କଥାମୃତ ଅନୁଯାୟୀ ବନ୍ଦୀଶାଳା ଦିବ୍ୟ ଆଲୋକରେ ଆଲୋକିତ ହୋଇଗଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦୀଶାଳାର ଦ୍ବାର ମଧ୍ୟ ଆପେଆପେ ଖୋଲିଗଲା ।
ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହୋଇ ଗୋପପୁର ଗଲେ । ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକୀ ନିଜର ବିଶାଳ ଫଣା ଢାଙ୍କି ଚାଲିଲେ। ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ ।

ଭରା ନଦୀରେ କାହ୍ନାକୁ ନନ୍ଦଙ୍କ ଘରକୁ ନେଉଛନ୍ତି ବସୁଦେବ


ଶ୍ରୀକୃଷ୍ଣଙ୍କ ବିଭିନ୍ନ ରୂପ:
ମାନବ ଜାତିର ଉନ୍ନତିକଳ୍ପେ ଭଗବାନ ଶ୍ରୀକୃଷ୍ଣ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇ ଲୀଳା କରିଥିଲେ । ମହାଭାରତ ଯୁଦ୍ଧକୁ ଏଡେଇବା ପାଇଁ ଶାନ୍ତିର ବାର୍ତ୍ତା ନେଇ ଦୁର୍ଯ୍ୟୋଧନଙ୍କ ନିକଟକୁ ଗମନ କରିଥିଲେ। ଏଠାରେ ପରଂବ୍ରହ୍ମ ଶ୍ରୀକୃଷ୍ଣ ଶାନ୍ତିଦୂତର ଭୂମିକା ନିଭାଇ ଥିଲେ । ମହାଭାରତ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ରଥର ସାରଥୀ ହୋଇ ରଥକୁ ସୁଚାରୁ ରୂପେ ଚାଳନା କରିଥିଲେ । ଯୁଦ୍ଧର ପ୍ରାରମ୍ଭରେ ନିଜର ଜ୍ଞାତି କୁଟୁମ୍ବମାନଙ୍କୁ ଅବଲୋକନ କରି ଅର୍ଜୁନଙ୍କ ମନରେ ବିଷାଦ ଆସିଥିଲା ଓ ଯୁଦ୍ଧ ନକରିବା ପାଇଁ ଶ୍ରୀକୃଷ୍ଣଙ୍କୁ ମନା କରିଦେଇଥିଲେ । ଏଠାରେ ଭଗବାନ ଗୁରୁ ରୂପରେ ଅବତୀର୍ଣ୍ଣ ହେଇ ଅର୍ଜୁନଙ୍କୁ ଗୀତାଜ୍ଞାନ ପ୍ରଦାନ କରି ଧର୍ମସ୍ଥାପନ ପାଇଁ ଯୁଦ୍ଧ କରିବା ଲାଗି ତାଙ୍କୁ ମନେଇବାରେ ସକ୍ଷମ ହୋଇଥିଲେ। କୂଟନୀତି ପ୍ରୟୋଗ କରି ପାଣ୍ଡବମାନଙ୍କୁ ଯୁଦ୍ଧରେ ଜିତାଇଥିଲେ । ଏଠାରେ ତାଙ୍କୁ ବିଚକ୍ଷଣ କୂଟନୀତିଜ୍ଞ ରୂପରେ ମାନ୍ୟତା ଦିଆଯାଏ ।

ଟଣାଟଣା ଆଖିକୁ ବେକରେ ଗଜରା ମାଳ



କାହିଁକି କରିବେ ଜନ୍ମାଷ୍ଟମୀ ପୂଜା:
ଏହିଦିନ ପ୍ରଭୁ ଶ୍ରୀକୃଷ୍ଣଙ୍କର ପୂଜା କରିବା ଦ୍ବାରା ସନ୍ତାନ ପ୍ରାପ୍ତି, ଆୟୁ ତଥା ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଗ୍ରହଦୋଷ ଥିଲେ ଏହି ବ୍ରତ ଅତି ନିଷ୍ଠାର ସହ କରିବାଦ୍ବାରା ସୁଫଳ ମିଳିଥାଏ । ଜନ୍ମାଷ୍ଟମୀର ଅନ୍ୟ ଏକ ବିଶେଷତ୍ବ ମଧ୍ୟ ରହିଛି, ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମତିଥିକୁ ବା ‘ଜନ୍ମାଷ୍ଟମୀ’କୁ ‘ବ୍ରତରାଜ’ ବୋଲି କୁହାଯାଏ । ବିଶ୍ବାସ ରହିଛି, ଯଦି ଆପଣ ନିଷ୍ଠାର ସହ ଏହି ବ୍ରତ ପାଳନ କରନ୍ତି ତେବେ ଏହାଦ୍ବାରା ଆପଣଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ଜୀବନରୁ ସମସ୍ତ ଦୁଃଖ ଦୂରେଇଯିବା ସହ ଘରକୁ ସୁଖ ସମୃଦ୍ଧି ଆସିଥାଏ।

ଆଭୂଷଣରେ ସଜ୍ଜିତ କାଳିଆ କାହ୍ନୁ



କେମିତି କରିବେ ପୂଜା:
କାଳିଆ କାହ୍ନୁକୁ ଯେମିତି ପୂଜା କରିବେ, ସେ ସେମିତି ପ୍ରୀତ ହେବେ। ଏମିତି କିଛି ନାହିଁ ଯେ, ଏହି ଦ୍ରବ୍ୟ ହେଲେ ହିଁ ଆପଣ ଜନ୍ମାଷ୍ଟମୀ ବ୍ରତ କରିପାରିବେ, ସେ ପା କଳା-କଳେବର-କହ୍ନେଇ। ତାଙ୍କୁ ଯେମିତି ଓ ଯେଉଁଭଳି ଆରାଧନା କରିବେ, ସେ ଖୁବ୍ ଖୁସି ହୋଇଯିବେ। ମନରେ ଭକ୍ତିର ରସ ଆବଶ୍ୟକ। ଅର୍ଥର ନୁହେଁ। ପିତ୍ତଳ ଦୋଳି ନ ଥିଲେ, ଆପଣ କପଡା ଦୋଳିରେ ବାଲଗୋପାଳଙ୍କୁ ଝୁଲାଇ ପାରିବେ। ଲହୁଣୀ ନ ଥିଲେ ବି ମିଶିରି ଭୋଗ କରିପାରିବେ। ଭକ୍ତି ଓ ପ୍ରେମ ବିକଳିଆ ସିଏ। ତାର ତିଳେମାତ୍ର ଅର୍ଥର ଆବଶ୍ୟକତା ନାହିଁ।

1) ସକାଳେ ସ୍ନାନ ପରେ ମନ୍ଦିର ଘରକୁ ପରିଷ୍କାର କରି ଶ୍ରୀକୃଷ୍ଣଙ୍କ ମୂର୍ତ୍ତୀ ମନ୍ଦିରରେ ରଖି ପୂଜା କରନ୍ତୁ । ଏହା ପରେ ରାତି ୧୨ଟାରେ ଭଗବାନ କୃଷ୍ଣଙ୍କର ଜନ୍ମୋତ୍ସବ ପାଇଁ ପୂଜା କରନ୍ତୁ ।
2) ପ୍ରଥମେ ଭଗବାନ କୃଷ୍ଣଙ୍କୁ ପଞ୍ଚାମୃତରେ ସ୍ନାନ କରାଇ ହଳଦିଆ ବସ୍ତ୍ର ପିନ୍ଧାନ୍ତୁ ।
3) ହାତରେ ବଇଁଶୀ ଲଗାଇ ଚୁଡି ଓ କାନଫୁଲ ପିନ୍ଧାଇ ଦିଅନ୍ତୁ।
4) ପରେ ମଥାରେ ଟିପାଟିଏ ଲଗାଇ ଦେଇ ମୟୂରଚୂଳ ଖୋସି ଦିଅନ୍ତୁ।
5) ଏହାପରେ ଭଳିକିଭଳି ଫୁଲରେ କାହ୍ନାକୁ ସଜାଇ ଦିଅନ୍ତୁ ।
6) ପରେ ଲହୁଣୀ ଓ ପେଡା ଭୋଗ ଲଗାଇ ପୂଜା କରନ୍ତୁ। ଏହାକୁ ପରେ ସମସ୍ତଙ୍କ ଭିତରେ ବାଣ୍ଟି ଦିଅନ୍ତୁ ।
7) ଧୂପ-ଦୀପ, ଅର୍ଘ୍ୟ ଦେଇ ପ୍ରଭୁଙ୍କ ଆଳତୀ କରନ୍ତୁ ।
8) ଏହାପରେ ପିତ୍ତଳ ଦୋଳିରେ କୃଷ୍ଣଙ୍କୁ ଧୀରେ ଧୀରେ ଝୁଲାନ୍ତୁ।
9) ଏହାପୂର୍ବରୁ ଦୋଳିରେ ଛୋଟ ଗଦି ଓ ତକିଆ ପକାଇ ଦିଅନ୍ତୁ। ଫଳରେ କାହ୍ନାର ଆଣ୍ଠୁ ଯେପରି ନ କାଟେ।
10) ତୁଳସୀ ତାଙ୍କର ଭାରି ପ୍ରିୟ। ତେଣୁ ତୁଳସୀ ପତ୍ରରେ ଛୋଟ ହାରଟିଏ କରି କୃଷ୍ଣଙ୍କ ବେକରେ ପକାଇ ଦିଅନ୍ତୁ।

ବାଙ୍କ ଚାହାଁଣୀରେ ମନ ମୋହୁଛି



ଲହୁଣୀ ଓ ମୟୂରଚୂଳ ପ୍ରିୟ କହ୍ନେଇ:
ନନ୍ଦଲାଲାର ମୟୂରଚୂଳ ଓ ଲହୁଣୀ ଭାରି ପ୍ରିୟ। ଶ୍ୟାମଳ ବଦନ ସହ କୁଞ୍ଚକୁଞ୍ଚିଆ କେଶରେ ଫରଫର ହୋଇ ଉଡୁଥିବା ମୟୂରଚୂଳ କେଡେ ସୁନ୍ଦର ଦେଖାଯାଏ। ବିନା ମୟୂରଚୂଳରେ କାହ୍ନା କେଶ ବାନ୍ଧେ ନାହିଁ। ଯଶୋଦାଙ୍କ ପାଖରେ ସବୁବେଳେ ଅଳି କରୁଥାଏ, ମା' ମୋ କେଶରେ ମୟୂରପୁଚ୍ଛ ଲଗାଇ ଦିଅ। ଆଉ ଏହି ମୟୂରଚୂଳ ଲଗାଇ ଯେତେବେଳେ କହ୍ନେଇ ଗୋପପୁର ଦାଣ୍ଡକୁ ବାହାରି ଆସେ, ସହସ୍ର ଗୋପାଙ୍ଗନାଙ୍କ ନଜର ତାଙ୍କ ଉପରେ ହିଁ ପଡିଥାଏ। ସେ ନଟଖଟିଆ ମୁହଁକୁ ଦେଖିଲେ ଏମିତି ଲାଗେ, ସତେ ଯେମିତି ଏହି ମୟୂରପୁଚ୍ଛ ତାଙ୍କ ପାଇଁ ହିଁ ବନା ହୋଇଛି। ଏହାକୁ କୃଷ୍ଣ-ରାଧାଙ୍କର ପ୍ରେମର ପ୍ରତୀକ ବୋଲି କୁହାଯାଏ। କୁହାଯାଏ କି କୃଷ୍ଣଙ୍କ ଜନ୍ମ ଜାତକ କୁଣ୍ଡଳୀରେ ସର୍ପ ଦୋଷ ରହିଥିଲା। ଏହି ଦୋଷକୁ ଦୂର କରିବା ପାଇଁ ସେ ମୟୂର ପଙ୍ଖରେ ତିଆରି ମୁକୁଟ ପିନ୍ଧୁଥିଲେ। ଏହାପରେ କୃଷ୍ଣଙ୍କର ସବୁଠୁ ପ୍ରିୟ ହେଉଛି ଲହୁଣୀ। ମାତା ଯଶୋଦାଙ୍କ ହାତର ଲହୁଣୀ ଖାଇବାକୁ କହ୍ନେଇ ଯେମିତି ପାଗଳ। ସକାଳୁ ଉଠିଲାମାତ୍ରେ ହିଁ ରୂପା ଗିନାରେ ଭରା ଲହୁଣୀ ତାଙ୍କ ପାଇଁ ରଖା ହୋଇ ଯାଇଥିବ। ଏହି ଲହୁଣୀ ପାଇଁ ଯଶୋଦାଙ୍କ ନିକଟରେ ପ୍ରତିଦିନ କୃଷ୍ଣଙ୍କ ନାଁରେ ଅଭିଯୋଗ ଆସିଥାଏ। ଗୋପୀଙ୍କ ପାଖରୁ ମାଖନ ଚୋରି କରି ଖାଉଥିବାରୁ ତାଙ୍କୁ ମାଖନ ଚୋର ମଧ୍ୟ କୁହାଯାଏ। ତେଣୁ ପ୍ରସାଦରେ ଲହୁଣୀ-ମିଶ୍ରି ଭୋଗ ଲଗାନ୍ତୁ ।

ଗୁଲୁଗୁଲିଆ ଚେହେରା ସାଙ୍ଗକୁ ମୁଚୁକୁନ୍ଦା ହସ
ବଂଶୀ ବିନା ଅଧୁରା କୃଷ୍ଣ:ବଂଶୀ ବାଜୁଛିରେ ବଂଶୀ ବାଜୁଛି....ରାଧା ନାଚୁଛିରେ ରାଧା ନାଚୁଛି......ସ୍ବର୍ଗତ ଭିକାରୀ ବଳଙ୍କ କଣ୍ଠରେ ଏହି ଗୀତଟି କୃଷ୍ଣଙ୍କ ବଂଶୀ ବାଦନକୁ ଖୁବ୍ ସୁନ୍ଦର ଭାବେ ପ୍ରତିପାଦିତ ହୋଇପାରିଥିଲା। ବଂଶୀ ବିନା କାହ୍ନା ଦଣ୍ଡେ ରହିପାରେ ନାହିଁ। ହଳଦିଆ ପାଟ ପିନ୍ଧିଥିବା କହ୍ନେଇ ଅଣ୍ଟାରେ ବଂଶୀ ଖୋସି ଦେଇଥାଏ। ଗାଈ ଜଗିବାକୁ ଯିବା ସମୟରେ କଦମ୍ବ ଗଛ ମୂଳେ ବସି ବଂଶୀନାଦ କରିଥାଏ । ଆଉ ତାର ସେଇ ସୁମଧୁର ବଂଶୀ ସ୍ବରରେ ଶହ ସହସ୍ର ଗୋପୀ ସବୁ କାମ ଛାଡି କୃଷ୍ଣ ପାଖକୁ ପଳେଇ ଆସିଥାନ୍ତି । କାହ୍ନା ବଂଶୀର ମଧୁର ସ୍ବର ସମଗ୍ର ଗୋପପୁରକୁ ଶୁଭୁଥାଏ। ଆଉ ଏହି ସ୍ବରରେ ହିଁ ରାଧା ନାଚିଥାନ୍ତି। ବଂଶୀକୁ ଆନନ୍ଦ ଓ ପ୍ରେମର ପ୍ରତୀକ ବୋଲି କୁହାଯାଏ।


ଝୁଲଣ:
ଝୁଲଣ ବିନା ଜନ୍ମାଷ୍ଟମୀ ଅଧୁରା। ପୂଜା ସରିଲା ପରେ ଝୁଲଣରେ ବାଳଗୋପାଳଙ୍କୁ ଝୁଲାଇଲେ ଦୀର୍ଘ ଦିନର ମାନସିକ ପୂରଣ ହୋଇଥାଏ । ଏହି ଦୃଶ୍ୟ ଅତି ମନୋରମ ହୋଇଥାଏ। ସତେ ଅବା ଆଖିରୁ ଲୁହ ଝରିଆସେ। ଏମିତି ଲାଗେ ଯେମିତି କାହ୍ନା କହୁଛି ଆଉ ଟିକେ ଝୁଲାଅ। ଭଳିକିଭଳି ଫୁଲରେ ସଜା ହୋଇଥିବା ଝୁଲଣରେ ଯେତେବେଳେ ବାଳଗୋପାଳଙ୍କୁ ଝୁଲାଯାଏ, ସେତେବେଳେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ। କହ୍ନେଇକୁ ଝୁଲଣରେ ବେଶ ଆନନ୍ଦ ମିଳିଥାଏ। ଆଣ୍ଠୁଆ ଗୋପାଳଙ୍କୁ ଝୁଲଣରେ ଝୁଲାଇବା ଦ୍ବାରା ସୁଖ ଓ ଶାନ୍ତି ପ୍ରାପ୍ତ ହୋଇଥାଏ।

ରୂପା ଦୋଳିରେ ଆଣ୍ଠୁଆ ଗୋପାଳ


ଗାଈଙ୍କୁ ପୂଜା କରନ୍ତୁ:
ଭଗବାନ ଶ୍ରୀକୃଷ୍ଣ ଗାଈଙ୍କୁ ଅଧିକ ସ୍ନେହ ଓ ଆଦର କରୁଥିଲେ ଓ ସେମାନଙ୍କ ରକ୍ଷକ ମଧ୍ୟ ଥିଲେ । କୁହାଯାଏ କି ଜନ୍ମାଷ୍ଟମୀ ଦିନ ଗାଈ ବା ବାଛୁରୀଙ୍କୁ ପୂଜା କରିଲେ, ବହୁତ ଶୁଭ ହୋଇଥାଏ । ତେଣୁ ସେଦିନ ଗାଈଙ୍କୁ ଖାଇବା ଦିଅନ୍ତୁ। ଯଦି ଗାଈ ନାହିଁ, ତେବେ ଗାଈର ଫଟୋକୁ ରଖି ମଧ୍ୟ ପୂଜା କରିପାରିବେ ।

ଗାେମାତା ପ୍ରିୟ କହ୍ନେଇ


କହ୍ନେଇ ପାଇଁ ଦୁଇ ପଦ ଗୀତ:

"ବଡା ନଟଖଟ ହୈ ରେ କ୍ରିଷ୍ଣ କହ୍ନୈୟା...କା କରେ ୟଶୋଦା ମୈୟା....

ଢୁଢେଁ ରେ ଅଖିୟାଁ ଉସେ ଚହୁଁ ଔର....ଜାନେ କାହାଁ ଛୁପ ଗୟା ନନ୍ଦ କିଶୋର...."

"ଆନନ୍ଦ ଉମଙ୍ଗ ଭୟୌ...ଜୟ ହୋ ନନ୍ଦ ଲାଲ କୀ....
ନନ୍ଦ କେ ଆନନ୍ଦ ଭୟୌ....ଜୟ କହ୍ନୈୟା ଲାଲ କୀ.."


"ୟଶୋମତୀ ମୈୟାଁ ସେ ବୋଲେ ନନ୍ଦଲାଲା...
ରାଧା କିୟୁଁ ଗୋରୀ....ମେଁ କ୍ୟୁଁ କାଲା...."

"ତୋର ମୟୂରଚୁଳିଆ ଜଟ....ତୋର ରୁମୁକୁଝୁମୁକୁ ନାଟ....

ତୋର ନାଲି ଟୁକୁଟୁକୁ ଓଠ, ପୁଣି ହଳଦୀ ରଙ୍ଗର ପାଟ....



ଓଡିଶାରେ ଜନ୍ମାଷ୍ଟମୀ:
ଓଡିଶାର ବିଭିନ୍ନ ସ୍ଥାନରେ ବଡ ଜାକଜମକରେ ଜନ୍ମାଷ୍ଟମୀ ପାଳିତ ହୁଏ। ସମସ୍ତ ମଠ, ମନ୍ଦିର ରଙ୍ଗୀନ ଆଲୋକମାଳାରେ ସଜ୍ଜିତ ହୋଇଥାଏ । ଘରେ ଘରେ ପିଠା-ପଣା ତିଆରି ହୋଇଥାଏ । ବିଭିନ୍ନ ମଠରେ ଭଗବତ-ଗୀତା ପାଠ କରାଯାଇଥାଏ। ଏହି ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ହୋଇଥାଏ । ମନ୍ଦିରରେ ପୂଜା ସହ ପ୍ରବଳ ଭିଡ ପରିଲକ୍ଷିତ ହୋଇଥାଏ। ବିଶେଷ କରି ସହରମାନଙ୍କରେ ଥିବା ଇସ୍କନ ମନ୍ଦିରରେ ବିଶେଷ ପୂଜା ହୋଇଥାଏ । ଗାଁ ଓ ସହରମାନଙ୍କରେ ଛୋଟ ଛୋଟ ପିଲାଙ୍କୁ କୃଷ୍ଣ ଓ ରାଧା ବେଶରେ ସଜାଯାଇ ନଗର ପରିକ୍ରମା କରାଯାଇଥାଏ। ଏହିଦିନ ଗାଁର ଭାଗବତ ଟୁଙ୍ଗୀମାନଙ୍କରେ ଅଥବା କାହାରି ଘର ବା ମଠ ମନ୍ଦିରରେ ହରିବଂଶ ପୁରାଣ ପାଠ କରାଯାଏ । ହରିବଂଶ ପୁରାଣ ଅତି ଦୀର୍ଘ ହୋଇଥିବାରୁ କେଉଁଠି କେଉଁଠି ଖଣ୍ଡିକିଆ ହରିବଂଶ ପଢ଼ିଥାନ୍ତି । ଶ୍ରୀମନ୍ଦିରରେ ପାଳିତ ପର୍ବପର୍ବାଣୀମାନଙ୍କ ଭିତରେ ଜନ୍ମାଷ୍ଟମୀ ଅନ୍ୟତମ। ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନ ନନ୍ଦୋତ୍ସବ ପାଳନ କରାଯାଏ ।

ପବିତ୍ର ଜନ୍ମାଷ୍ଟମୀ: ନଟଖଟିଆ କାହ୍ନାର ଖଟା-ମିଠା କାହାଣୀ...

ପବିତ୍ର ଜନ୍ମାଷ୍ଟମୀ ଅବସରରେ ସମସ୍ତଙ୍କୁ 'ଇଟିଭି ଭାରତ' ପରିବାର ପକ୍ଷରୁ ବିପୁଳ ଅଭିନନ୍ଦନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 11, 2020, 8:05 AM IST

ABOUT THE AUTHOR

...view details