ଓଡିଶା

odisha

ହଜାର ବର୍ଷର ପୁରାତନ ପରମହଂସନାଥ ଶୈବପୀଠ, ଜାଗରରେ ଲାଗିଲା କଟକଣା

କଟକ ମହାନଦୀ ପ୍ରାଙ୍ଗଣରେ ରହିଛି ପୁରାତନ ଶୈବପୀଠ ପରମହଂସନାଥ ମନ୍ଦିର । ଏହି ପୀଠରେ ଯାହା ନିଷ୍ଠାର ସହ ମାନସିକ କରାଯାଏ, ତାହା ନିଶ୍ଚିତ ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି । ବିଶେଷକରି ପୀଠରେ ଜାଗର ମହାଆଡମ୍ବରରେ ପାଳିତ ହେଉଥିବାବେଳେ ଚଳିତ ବର୍ଷ କଟକଣା ପାଇଁ ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଅଧିକ ପଢନ୍ତୁ....

By

Published : Mar 10, 2021, 10:56 PM IST

Published : Mar 10, 2021, 10:56 PM IST

Updated : Mar 10, 2021, 11:03 PM IST

ହଜାର ବର୍ଷର ପୁରାତନ ପରହଂସନାଥ ଶୈବପୀଠ, ଜାଗରରେ ଲାଗିଲା କଟକଣା
ହଜାର ବର୍ଷର ପୁରାତନ ପରହଂସନାଥ ଶୈବପୀଠ, ଜାଗରରେ ଲାଗିଲା କଟକଣା

କଟକ: ପୁରାତନ ଶୈବପୀଠ ମଧ୍ୟରେ କଟକ ସ୍ଥିତ ପରମହଂସନାଥ ମନ୍ଦିର ଅନ୍ୟତମ । ରାଜା ପ୍ରତାପ ଚନ୍ଦ୍ର ଦେବଙ୍କ ଅମଳରେ ଏହି ମନ୍ଦିରଟି ନିର୍ମାଣ କରାଯାଇଥିଲା । କାହିଁ କେବେ ଠାରୁ ଏହି ଶୈବପୀଠଟି ପରମହଂସନାଥ ପୀଠ ଭାବେ ପରିଚିତ । ହଜାର ହଜାର ପୁରୁଣା ଏହି ମନ୍ଦିରର ଅନେକ ଅଲୌକିକ କିମ୍ବଦନ୍ତୀ ରହିଛି । ତେବେ ଏଠାରେ ଯାହା ନିଷ୍ଠାର ସହ ମାନସିକ କରାଯାଏ, ତାହା ନିଶ୍ଚିତ ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି । ସେଥିପାଇଁ ପୀଠକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ବିଶେଷ କରି ପ୍ରଭୁ ଭୋଳାନାଥଙ୍କ ଜାଗର ଏଠାରେ ମହାଆଡମ୍ବରରେ ପାଳିତ ହୁଏ ।

ହଜାର ବର୍ଷର ପୁରାତନ ପରମହଂସନାଥ ଶୈବପୀଠ, ଜାଗରରେ ଲାଗିଲା କଟକଣା

ମହାନଦୀ ପ୍ରାଙ୍ଗଣରେ ରହିଛି ଏହି ପୁରାତନ ପରମହଂସ ନାଥ ମନ୍ଦିର । ବର୍ତ୍ତମାନ ଦେବତ୍ତୋର ବିଭାଗ ଏହି ମନ୍ଦିରର ପରିଚାଳନା ଦାୟିତ୍ବ ତୁଳାଉଛନ୍ତି । ପରମ୍ପରା ଅନୁଯାୟୀ, ପ୍ରତ୍ୟେକ ଦିନ ସକାଳୁ ପହଡ ଖୋଲିବା ପରେ ମନ୍ଦିରରେ ନୀତିକାନ୍ତି କରାଯାଇଥାଏ । ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସକାଳେ ବାଳ ଭୋଗ ଲାଗି ହୋଇଥାଏ । ଅପରାହ୍ନ 12ଟାରୁ 12ଟା 30ରେ ମନ୍ଦିରର ସେବକମାନେ ପ୍ରସାଦ ଭୋଗ ଲାଗି କରିଥାନ୍ତି । ଏହାର ଦୁଇ ଘଣ୍ଟା ପରେ ଖେଚେଡି ଭୋଗ ରୂପେ ଲାଗି ହୋଇଥାଏ । ଅପରାହ୍ନ 2ଟା 30ରୁ 4ଟା ଯାଏ ମନ୍ଦିରରେ ପହଡ ପଡିଥାଏ । ତେବେ ଏହି ଆଧ୍ୟାତ୍ମିକ ପୀଠର ଅନେକ ଆଲୌକିକ କାହିଣୀ ରହିଛି । କୁହାଯାଏ, ଏହି ମନ୍ଦିରରେ ଜଣେ ପୂଜକ ପୂଜା କରି ପ୍ରତ୍ୟେକ ଦିନ ଘରକୁ ଫେରିବା ସମୟରେ ଉଖୁଡା ଭୋଗ ନେଇ ଘରକୁ ଯାଇଥାନ୍ତି । ତାଙ୍କୁ ଚିଙ୍ଗୁଡି ମାଛ ପସନ୍ଦ ଥିବାରୁ ସେ ବାଟରୁ ଚିଙ୍ଗୁଡି ମାଛ ମଧ୍ୟ ନେଇଥାନ୍ତି । ଏହି ଖବର ପ୍ରଘଟ ହେବାରୁ ରାଜା ଘଟଣାର ସତ୍ୟାସତ୍ୟ ଜାଣିବାକୁ ନିଜେ ଉକ୍ତ ସ୍ଥାନକୁ ଯାଇଥିଲେ । ପୂଜକ ଏକା ସାଙ୍ଗରେ ଭୋଗ ଓ ଚିଙ୍ଗୁଡି ନେଇ ଫେରୁଥିବାବେଳେ ସେ ରାଜାଙ୍କ ହାବୁଡରେ ପଡି ଯାଇଥିଲେ । ଏହାପରେ ସଙ୍ଗେ ସଙ୍ଗେ ପୂଜକ ଜଣକ ପ୍ରଭୁ ପରମହଂସନାଥଙ୍କୁ ସ୍ମରଣ କରି ଚିଙ୍ଗୁଡି ଉଖୁଡା ହୋଇଯାଉ ବୋଲି କହିବାରୁ ସତକୁ ସତ ଚିଙ୍ଗୁଡି ଉଖୁଡାରେ ପରିଣତ ହୋଇଯାଇଥିଲା । କେବଳ ସେତିକି ନୁହେଁ ରାଜା ଦିନେ ଉଖୁଡା ଭୋଗ ଖାଉଥିବା ସମୟରେ ଉଖୁଡାରୁ ବାଳ ବାହାରିଥିଲା । ତେବେ ଏହା ପରମହଂସନାଥଙ୍କ ବାଳ ବୋଲି ପୂଜକ କହିବାରୁ ରାଜା ଏହାର ଯାଞ୍ଚ କରିଥିଲେ । ପୂଜକ କିଛି ବାଟ ନ ପାଇ ଭୟରେ ହେ ପ୍ରଭୁ ରକ୍ଷା କର କହିବାରୁ ପ୍ରଭୁ ପରମହଂସନାଥ ତାଙ୍କୁ ରକ୍ଷା କରିଥିଲେ । ତତକ୍ଷଣାତ୍ ପ୍ରଭୁଙ୍କ ମୁଣ୍ଡରେ ବାଳ ଉଠିଥିଲା । ରାଜା ମଧ୍ୟ ଏହାକୁ ସନ୍ଦେହ କରି ବାଳଟିକୁ ଉପାଡିବାରୁ ସେଥିରୁ ରକ୍ତ ବାହାରିଥିଲା ବୋଲି ବିଶ୍ବାସ ରହିଛି ।

ତେବେ ସାଧାରଣତଃ ଜାଗର ଦିନ ପରମହଂସନାଥ ପୀଠରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏହି ଦିନ ପୀଠ ପରିସରରେ ମେଳା ମଧ୍ୟ ପଡିଥାଏ । ମାତ୍ର ଚଳିତ ବର୍ଷ କୋରୋନା ପାଇଁ ଏସବୁରେ କଟକଣା ଲାଗିଛି । ଭକ୍ତମାନେ ସାମାଜିତ ଦୂରତା ରକ୍ଷା କରି ଅଧିକ ଭିଡ ନ ଜମାଇ ଯେପରି ଦର୍ଶନ କରିବେ, ସେନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତେବେ ଜାଗର ଦିନ ଭୋର 2ଟା 30ରୁ ମନ୍ଦିରର ପହଡ ଖୋଲାଯାଏ । ଶ୍ରଦ୍ଧାଳୁ ଦର୍ଶନ କରିବା ପରେ ଭୋର 5ଟାରେ ପୁଣି ମନ୍ଦିର ପହଡ ପଡେ । ନୀତିକାନ୍ତି ସରିବା ପରେ ସକାଳ 6ଟାରୁ ପହଡ ଖୋଲା ହୁଏ । ଠିକ ମଧ୍ୟରାତ୍ରି 12ଟାରୁ ପହଡ ପଡି ରାତ୍ର 12 ଟା 30ରେ ପହଡ ଖୋଲିଥାଏ । ଏହାପରେ ମନ୍ଦିରରେ ରୁଦ୍ରଭିଷେକ କରାଯାଏ ଏବଂ ଭୋର 4ଟାରେ ଏଠାରେ ମହାଦ୍ବୀପ ଉଠିବାର ପରମ୍ପରା ରହିଛି ।

ଜାଗର ଉପଲକ୍ଷେ ପରମହଂସ ନାଥ ଶୈବ ପୀଠରେ ଏଥର ଭଜନ ସମାରୋହ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ଭକ୍ତଙ୍କ ସମାବେଶକୁ ଦୃଷ୍ଟିରେ ରଖି ୫ ପ୍ଲାଟୁନ ପୋଲିସ, ୧୬ ଅଫିସର ନିୟୋଜିତ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାର

Last Updated : Mar 10, 2021, 11:03 PM IST

ABOUT THE AUTHOR

...view details