କଟକ:ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀ । ରାଜ୍ୟ ଅଗ୍ନିଶମ ଗୃହରକ୍ଷୀ ବିଭାଗର ୫୪ ତମ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି ସୁଧାଂଶୁ ଷଡ଼ଙ୍ଗୀ । ୧୯୯୦ ମସିହା ବ୍ୟାଚର ଏହି ଆଇପିଏସ ଅଧିକାରୀଙ୍କୁ କିଛି ଦିନ ତଳେ ଡିଜି ପଦକୁ ପଦୋନ୍ନତି ଦେଇ ଥିଲେ ରାଜ୍ୟ ସରକାର । ଗତ ସପ୍ତାହରେ ତାଙ୍କୁ ଅଗ୍ନିଶମ ଡିଜି ଭାବେ ନୂଆ ନିଯୁକ୍ତି ମିଳିଥିଲା । ସୁଧାଂଶୁ ଷଡ଼ଙ୍ଗୀ ପୂର୍ଵରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ସହ ପୋଲିସ କମିଶନର ଭାବେ ଦକ୍ଷତାର ସହ କାର୍ଯ୍ୟ କରିସାରିଛନ୍ତି ।
ଆଜି ସକାଳ ପ୍ରାୟ ୮ଟା ସମୟରେ କଟକ ସ୍ଥିତ ଅଗ୍ନିଶମ ବିଭାଗର ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ଓଡିଶା ଅଗ୍ନିଶମ ବିଭାଗର କାର୍ଯ୍ୟ ଦକ୍ଷତା ଦେଶରେ ସୁନାମ ଅର୍ଜନ କରିଛି । ଆଗାମୀ ଦିନରେ ଏହାକୁ ବଜାୟ ରଖାଯିବ ବୋଲି କହିବା ସହ ବିଭାଗର ଆଗାମୀ କାର୍ଯ୍ୟପନ୍ଥା ବାବଦରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ସୁଧାଂଶୁ ଷଡ଼ଙ୍ଗୀ ।
ଡ଼ଃ ଷଡଙ୍ଗୀ ଆଜି ବିଧିବଦ୍ଧ ଭାବରେ କାର୍ଯ୍ୟରେ ଯୋଗଦେବା ପରେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ''ଓଡିଶା ଅଗ୍ନିଶମ ଏବଂ ଗୃହରକ୍ଷୀ ବିଭାଗର କାୟା ଓ ସାମର୍ଥ୍ୟ ବିଗତ ଦୁଇ ଦଶନ୍ଧିରେ ବ୍ୟାପକ ଭାବରେ ବୃଦ୍ଧି ଘଟିଛି ।୨୦୦୦ ମସିହା ବେଳକୁ ରାଜ୍ୟରେ ମାତ୍ର ୧୧୨ଟି ଅଗ୍ନିଶମ କେନ୍ଦ୍ର ଥିଲା । ଵର୍ତ୍ତମାନ ଏହା ତିନିଗୁଣ ବୃଦ୍ଧି ପାଇ ୩୪୫ରେ ପହଞ୍ଚିଛି । ଏହି କେନ୍ଦ୍ର ଗୁଡିକ ଅଗ୍ନି ନିର୍ବାପକ ଛଡା ବିଭିନ୍ନ ଆପାତ୍ତକାଳୀନ ପରିସ୍ଥିତିର ମଧ୍ୟ ମୁକାବିଲା କରୁଛନ୍ତି । ଓଡିଶା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଦେଶ ଓ ବିଦେଶରେ ସୁନାମ ଅର୍ଜନ କରିଛି । ସେଥିପାଇଁ ଅଗ୍ନିଶମ ସଂସ୍ଥାକୁ ସକ୍ଷମ କରିବା ପାଇଁ ରାଜ୍ୟ ସରକାର ସମସ୍ତ ଉଦ୍ୟମ କରୁଛନ୍ତି । ରାଜ୍ୟ ଅଗ୍ନିଶମ ସଂସ୍ଥାର କର୍ମଚାରୀ ମାନେ ଅତୀତରେ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ, କେରଳ ଆଦି ପ୍ରଦେଶରେ ଦାୟିତ୍ୱ ସମ୍ପନ୍ନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ବୋଲି ଡିଜି କହିଛନ୍ତି । ''