କଟକ: ହାଇକୋର୍ଟରେ ଶିଶୁପାଳ ଗଡ ଜବରଦଖଲ ଓ କୀର୍ତ୍ତିରାଜି ସୁରକ୍ଷା ପ୍ରସଙ୍ଗ । ମାମଲାର ଶୁଣାଣି କରି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ହାଇକୋର୍ଟ । ଚଳିତ ବର୍ଷ ଅକ୍ଟୋବର ୨୦ ତାରିଖରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ କରାଯାଇଥିବା ବୈଠକରେ ଯେଉଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ତାହାର କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୬ ମାସ ଭିତରେ ଉକ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସେହିପରି ଏଥିରେ ସମସ୍ତ ପକ୍ଷ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
୨୦୨୨ ଅକ୍ଟୋବର ୨୦ରେ ଅନୁଷ୍ଠିତ ବୈଠକରେ ଶିଶୁପାଳ ଗଡ଼ର ବିଜ୍ଞାପିତ ଅଞ୍ଚଳର ଯୁଗ୍ମ ସର୍ଭେ, ଜବରଦଖଲ ଉଚ୍ଛେଦ, ଏଏସଆଇକୁ ଜମି ହସ୍ତାନ୍ତର, ପାଚେରୀ ନିର୍ମାଣ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି ବୈଠକରେ କରାଯାଇଥିବା ବିବରଣୀକୁ ରାଜ୍ୟ ସରକାର ହାଇକୋର୍ଟରେ ଦାଖଲ କରିଥିଲେ ।
ସୂଚନା ଅନୁଯାୟୀ, ଏଏସଆଇର ସମୁଦାୟ ଜମି ୫୬୨.୬୮୧ ଏକର ଥିବାବେଳେ ରାଜ୍ୟ ସରକାର ପକ୍ଷରୁ ମାତ୍ର ୭୭୫ ଡିସିମିଲ ଜମି ଚିହ୍ନଟ କରାଯାଇଛି । ଗଡ ସୁରକ୍ଷା ପାଇଁ ବାରମ୍ବାର କୁହାଯାଉଥିବାବେଳେ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ସରକାର ମଧ୍ୟ ଅଦାଲତରେ ତଥ୍ୟ ଲୁଚାଉଥିବା ଏଏସଆଇ ପକ୍ଷରୁ ଦର୍ଶାଯାଇଥିଲା । ତେବେ ଏଏସଆଇ ସତ୍ୟପାଠ ଉପରେ ଜବାବ ରଖିବାକୁ ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଐତିହାସିକ ଗଡର ବର୍ତ୍ତମାନ କଣ ସ୍ଥିତି ରହିଛି, ସମୁଦାୟ ଜାଗାରୁ କେତେ ଜବରଦଖଲ ରହିଛି ସେନେଇ ଫଟୋ ସହ ସ୍ଥିତି ସଂକ୍ରାନ୍ତ ରିପୋର୍ଟ ସତ୍ୟପାଠ ମାଧ୍ୟମରେ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ କହିଥିଲେ।
ପରିଚୟ ହରାଇବାକୁ ବସିଲାଣି ପ୍ରାଚୀନ ଐତିହ୍ୟ ଶିଶୁପାଳ ଗଡ । ଏହି ଐତିହାସିକ ଗଡର ସୁରକ୍ଷା ଠିକ ଭାବେ ହେଉ ନଥିବାରୁ ଜବରଦଖଲ ମାତ୍ରା ବଢିଯାଇଛି । ଜବର ଦଖଲକାରୀ କୀର୍ତ୍ତିରାଜିକୁ ଖୋଳିତାଡି ଘରଦ୍ବାର ବନାଇ ଦେବାରୁ ୫୬୨.୬୮୧ ଏକର ପରିବ୍ୟାପ୍ତ ଏହି ସ୍ଥାନ ଏବେ ସଙ୍କୁଚିତ ହୋଇଯାଇଛି । ଇଣ୍ଡିଆନ ନାସନାଲ ଟ୍ରଷ୍ଟ ପକ୍ଷରୁ ମାମଲା ରୁଜୁ କରାଯାଇ ଶିଶୁପାଳ ଗଡର ସୁରକ୍ଷା ପାଇଁ ପ୍ରାର୍ଥନା କରାଯାଇଥିଲା ।
ଐତିହାସିକ ଶିଶୁପାଳ ଗଡ ସୁରକ୍ଷା ମାମଲା, ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ହାଇକୋର୍ଟ - ଶିଶୁପାଳ ଗଡ
ଐତିହାସିକ ଶିଶୁପାଳ ଗଡ ସୁରକ୍ଷା ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ
ଐତିହାସିକ ଶିଶୁପାଳ ଗଡ ସୁରକ୍ଷା ମାମଲା, ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ହାଇକୋର୍ଟ
ଇଟିଭି ଭାରତ, କଟକ