କଟକ: ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ୪ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ଓଡିଶା ହାଇକୋର୍ଟ । ମନ୍ଦିର ପରିଚାଳନା କମିଟି ଅଧକ୍ଷ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏଏସ୍ଆଇ ଡିଜି ଓ ଅଧିକ୍ଷକଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ । ଅଗଷ୍ଟ ୭ ତାରିଖ ସୁଦ୍ଧା ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆସନ୍ତା ଅଗଷ୍ଟ ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।
ସୂଚନାଯୋଗ୍ୟ, ରତ୍ନଭଣ୍ଡାର ନେଇ ରାଜନୀତି ତଜିଥିବା ବେଳେ ଏହାକୁ ଖୋଲି ତାର ସବିଶେଷ ତାଲିକା ପ୍ରସ୍ତୁତ କରିବା ପାଇଁ ପ୍ରାର୍ଥନା କରି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ବିଜେପି ନେତା ସମୀର ମହାନ୍ତି । ରତ୍ନଭଣ୍ଡାର ଖୋଲି ତାର ବିପଦଶଙ୍କୁଳ ଅଂଶ ମରାମତି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସେ ପ୍ରାର୍ଥନା କରିଛନ୍ତି । ପୂର୍ବତନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପ୍ରସ୍ତାବିତ ଢାଞ୍ଚାରେ ରାଜ୍ୟପାଳ କିମ୍ବା ଜଣେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ କମିଟି ଗଠନ କରାଯାଇ ରତ୍ନ ଅଳଙ୍କାର ତାଲିକା ପ୍ରସ୍ତୁତ କରିବା ପାଇଁ ସେ ଆବେଦନ କରିଛନ୍ତି । ରତ୍ନଭଣ୍ଡାରର ଚାବି ହଜାଇଥିବା ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ଦାୟର କରିବା ସହ ସିବିଆଇ ଦ୍ବାରା ତଦନ୍ତ କରିବା ପାଇଁ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ।