ନିଆଳି: ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ଲକ୍ଷ୍ମୀଧର । ସେ ଏକାସାଙ୍ଗରେ ପାରାଲିସିସ୍ ଓ କର୍କଟ ଭଳି ଦୁରାରୋଗର ଶିକାର ହୋଇ ମୃତ୍ଯୁ ସହ ସଂଗ୍ରାମ କରୁଛନ୍ତି । ସେପଟେ ଲକ୍ଷ୍ମୀଧରଙ୍କ ସ୍ତ୍ରୀ ଶାନ୍ତିଲତା ମଧ୍ୟ ଆଣ୍ଠୁଗଣ୍ଠି ରୋଗରେ ଆକ୍ରାନ୍ତ । ଓଳିଏ ଚୁଲି ଚଳିଲେ ଆଉ ଓଳିଏ ରୋଷେଇ ବନ୍ଦ ରହୁଛି । ବହୁ କଷ୍ଟ ଓ ଦୁଃଖରେ ଅସହାୟ ଜୀବନ କାଟୁଛନ୍ତି କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣବାଟି ପଞ୍ଚାୟତ ସାନମଳେଇ ଗାଁ ୭ ନମ୍ବର ୱାର୍ଡର ଏହି ପରିବାର । ଏଭଳି ସ୍ଥିତିରେ ଲକ୍ଷ୍ମୀଧରଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଜରୁରୀ ହୋଇପଡିଛି ।
ଖବର ପାଇବା ପରେ ସ୍ଥାନୀୟ ସରପଞ୍ଚ ସେମାନଙ୍କ ନିକଟରେ ପହଞ୍ଚିଛନ୍ତି । ସରପଞ୍ଚ ସଞ୍ଜୟ କୁମାର ରାଉତରାୟ କହିଛନ୍ତି, "ମୁଁ ଏଭଳି ଦୁଃଖଦ ଘଟଣା ବିଷୟରେ ଜାଣିବା ପରେ ଅନଲାଇନ ମାଧ୍ୟମରେ ଆବେଦନ କଲି । ମଧୁବାବୁ ପେନସନ୍ ଯୋଜନାରେ ଶାନ୍ତିଲତାଙ୍କୁ ସାମିଲ କରି ତାଙ୍କ ପ୍ରାପ୍ୟ ପ୍ରଦାନ କରିଛି । ଏହି ପରିବାରକୁ ସହାୟତା କରିବା ପାଇଁ ଏନଜିଓ ମାନଙ୍କୁ ମଧ୍ୟ ନିବେଦନ କରୁଛୁ ।"
ଦୀର୍ଘ ବର୍ଷ ଧରି ଦୁରାରୋଗରେ ପୀଡ଼ିତ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଲକ୍ଷ୍ମୀଧର ମଲ୍ଲିକ । ପତ୍ନୀ ଶାନ୍ତିଲତା ମଧ୍ୟ ଆଣ୍ଠୁଗଣ୍ଠି ରୋଗରେ ପୀଡିତ ଥିବାବେଳେ ସ୍ୱାମୀଙ୍କ ସେବା ସହ ଘରର ସମସ୍ତ ଦାୟତ୍ବ ତୁଲାଇବା ତାଙ୍କ ପକ୍ଷେ ମଧ୍ୟ ମୁସ୍କିଲ ହୋଇପଡୁଛି । ପଡୋଶୀଙ୍କ ସହାୟତାରେ ସେମାନେ ଓଳିଏ ଖାଇ ଓଳିଏ ଉପାସ ରହି ଜୀବନ ଅତିବାହିତ କରୁଛନ୍ତି । ସେପଟେ ରାସନ କାର୍ଡ ଦ୍ବାରା ମିଳୁଥିବା ଚାଉଳରେ କଷ୍ଟେ ମଷ୍ଟେ ଚଳୁଛି ପରିବାର । ଚିକିତ୍ସା ପାଇଁ ସରକାରୀ ମେଡିକାଲ ଓ ବେସରକାରୀ ମେଡିକାଲ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଥିବାବେଳେ ପାଖରେ ଆଉ ସମ୍ବଳ ନାହିଁ । ସରକାରୀ ଇନ୍ଦିରା ଆବାସ ତଳେ କେବଳ ଜୀବନ କଟୁଛି ।