ନିଆଳି: ସରକାରଙ୍କ ଉନ୍ନତି ପଛର ନଗ୍ନ ଚିତ୍ର । ବର୍ଷା ପାଣିରେ ଉବୁଟୁବୁ ହେଉଛି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକର ଉରାଡ ପଞ୍ଚାୟତ ସରକାରୀ କୂଳମଣିକୁଣ୍ତା ପ୍ରାଥମିକ ବିଦ୍ୟାଳୟ ।ଏହି ବିଦ୍ୟାଳୟ ୧୯୮୭ ମସିହାରେ ନିର୍ମାଣ ହୋଇଥିଲା। ଏଠାରେ ପ୍ରଥମରୁ ୫ ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପାଠ ପଢନ୍ତି । ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀଙ୍କୁ ନେଇ ଚାଲିଛି କୂଳମଣିକୁଣ୍ତା ପ୍ରାଥମିକ ବିଦ୍ୟାଳୟ। ହେଲେ ଗତକାଲି ଅସରାଏ ବର୍ଷାରେ ବିଦ୍ୟାଳୟ ପରିସରରେ ଲହଡି ମାରୁଛି ବର୍ଷା ପାଣି। ଫଳରେ ପାଠ ପଢା ଠପ ।
ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ରାଜ୍ୟ ସରକାର ନାରା ଦେଉଥିବା ବେଳେ ଅସରାଏ ବର୍ଷାରେ ଭାସୁଛି ସରକାରୀ ବିଦ୍ୟାଳୟ। ବର୍ଷା ପାଣି ବିଦ୍ୟାଳୟରେ ପଶିବା ଫଳରେ ପାଠ ପଢ଼ାରେ ଘୋର ବ୍ୟାଘାତ ସୃଷ୍ଟି ହୋଇଛି। ବିଦ୍ୟାଳୟ ପରିସରରୁ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ନ ଥିବାରୁ ଏପରି ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛି। ଶିକ୍ଷା ବ୍ୟବସ୍ଥା ପାଇଁ ଭିର୍ତ୍ତି ଭୂମି ସଜାଡ଼ିବା ଠାରୁ ଆରମ୍ଭ କରି ବିଦ୍ୟାଳୟ ଢାଞ୍ଚା ବଦଳୁଛି କିନ୍ତୁ ୩୬ ବର୍ଷ ତଳର ସରକାରୀ ବିଦ୍ୟାଳୟରେ ପରିସରରେ ଲହଡି ମାରୁଛି ବର୍ଷା ପାଣି। ଏଭଳି ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଅଭିଭାବକ, ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟର ଶିକ୍ଷକ।
ଅନ୍ୟପଟେ ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ 37 ଜଣ ଛାତ୍ରଛାତ୍ରୀ ଅଧ୍ୟୟନ ରତ ଅଛନ୍ତି। ବାରମ୍ବାର ଏପରି ସମସ୍ୟା ଲାଗି ରହିଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉ ନ ଥିବାରୁ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେଣୁ ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।