କଟକ: ପୁଣି ଗିରଫ ହେଲା କଟକର କୁଖ୍ୟାତ ଅପରାଧୀ ସେକ୍ ସକିଲ୍ । ନିଜ ନାଁରେ 40ଟି ଅପରାଧୀକ ମାମଲାର ବୋଝ ମୁଣ୍ଡାଇଥିବା ଗ୍ୟାଙ୍ଗଷ୍ଟର ସହ ତାର 6 ଜଣ ସହଯୋଗୀକୁ ଗିରଫ କରିଛି କଟକ ସଦର ଥାନା ପୋଲିସ । ସେମାନଙ୍କ ନିକଟରୁ ପୋଲିସ ବନ୍ଧୁକ, ଗୁଳି,ଗାଡ଼ି ସମେତ ବିପୁଳ ପରିମାଣର ବେଆଇନ ସାମଗ୍ରୀ ଜବତ କରିଛି । ତେବେ ପୂର୍ବରୁ NSA ଓ ତଡ଼ିପାର ଭଳି ଦଣ୍ଡ ପାଇ ସାରିଥିବା ସକିଲକୁ ସାବାଡ଼ କରିବା ପାଇଁ ତାର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିବା ଯୋଜନା କରୁଛି ପୋଲିସ ।
ସକିଲର ଅପରାଧିକ ରେକର୍ଡ ବହୁତ ଲମ୍ବା । ଡି ବ୍ରଦର୍ସ ଓ ଟିଟୋ ଗିରଫ ହେବା ପରେ କଟକରେ ସୃଷ୍ଟି ହୋଇଥିବା ଅପରାଧୀଙ୍କ ଶୂନ୍ୟ ସ୍ଥାନ ପୂରଣ କରିବା ପାଇଁ ସକିଲ ସବୁବେଳେ ଉଦ୍ୟମ କରି ଆସିଛି । ମଙ୍ଗଳାବାଗ ଥାନାରେ କୈଫ ଓ ସକିଲ ବିରୋଧରେ ରୁଜୁ ହୋଇଥିବା ୫ ଟି ମାମଲାରେ ମଧ୍ୟ ମଙ୍ଗଳାବାଗ ଥାନା ପୁଲିସ ତାକୁ ରିମାଣ୍ଡ ଦେଇଥିଲା । ଏହି ମାମଲାରେ ଚୌଦ୍ବାର ଜେଲରେ ଥିବା ସକିଲ୍ ନିକଟରେ ଜେଲରୁ ଜାମିନରେ ବାହାରିବା ପରେ ପୁଣି ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରି ଦେଇଥିଲା ।
ଗିରଫ ଅଭିଯୁକ୍ତ ହେଲେ ଅବଦୁଲ କାଦିର, ସେକ ନଦିମ, ସୟଦ ଅବଦୁଲ ସୋଫିଆନ, ଶ୍ରୀନାଥ ରାଉତ, ହିମାଂଶୁ ସାହୁ ଓ ପ୍ରଦୀପ ସାହୁ । ସମସ୍ତଙ୍କ ନାଁରେ ପୂର୍ଵରୁ ଅପରାଧିକ ମାମଲା ରହିଥିବାବେଳେ ସର୍ବାଧିକ 40 ମାମଲା ସକିଲ ନାଁରେ ରହିଛି । ଏମାନଙ୍କ ନିକଟରୁ ଗୋଟିଏ ଖେଳନା ବନ୍ଧୁକ ସହ ମୋଟ 3ଟି ବନ୍ଧୁକ, 7ଟି ଗୁଳି, 3ଟି ଗାଡ଼ି ସମେତ ବିପୁଳ ପରିମାଣର ବେଆଇନ ସାମଗ୍ରୀ ଜବତ କରିଛି ପୋଲିସ। ଗତକାଲି ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ଏମାନଙ୍କୁ ଗିରଫ କରାଯାଇ ଥିବା କଟକ ଡିସିପି ସୂଚନା ଦେଇଛନ୍ତି । ବଡ଼ କଥା ହେଲା, ସକିଲ ପ୍ରତି ଆକର୍ଷିତ ହୋଇ ସ୍ଥାନୀୟ ଅଞ୍ଚଳରେ ଅନେକ ଯୁବକ ତାର ଗ୍ୟାଙ୍ଗରେ କାମ କରିବା ଆରମ୍ଭ କରିଛନ୍ତି । ସେପଟେ ବାରମ୍ବାର ଅପରାଧ ଘଟାଉଥିବା ସକିଲକୁ ସାବାଡ଼ କରିବା ପାଇଁ ତାର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିବା ଯୋଜନା କରୁଛି ପୋଲିସ ।