କଟକ:ଯୋଡ଼ାରେ ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ଘଟଣା । ମାମଲାକୁ ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପୁରୁଷ ବନ୍ଧୁ । ଡାକ୍ତରାଣୀଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ବିରୁଦ୍ଧରେ ଯୋଡା ଥାନାରେ ମାମଲା ରୁଜୁ ହୋଇଛି । ମୃତ ଡାକ୍ତରାଣୀଙ୍କ ବାପା ଥାନାରେ ଏତଲା ଦେଇଛନ୍ତି । ଏବେ ଏହି ମାମଲାକୁ ଖାରଜ ଓ ତାଙ୍କୁ ଜାମିନ ପାଇଁ ପୁରୁଷ ବନ୍ଧୁ ହାଇକୋର୍ଟରେ ଦ୍ଵାରସ୍ଥ ହୋଇଥିବା ଜଣାପଡିଛି ।
ଡାକ୍ତରାଣୀ ଶୁଭଶ୍ରୀଙ୍କ ମୃତ୍ୟୁ ବିଷପାନ ଜନିତ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟ ଓ ଭିସେରାରୁ ସ୍ପଷ୍ଟ ହୋଇଛି । ଶୁଭଶ୍ରୀଙ୍କ ପରିବାର ଲୋକ ପୁରୁଷ ବନ୍ଧୁଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି । ତେଣୁ ଏହି ମାମଲା ରବ୍ଦ ପାଇଁ ସେ ହାଇକୋର୍ଟରେ ଆବଦେନ କରିଛନ୍ତି ।
ଚାରିଆଡେ ଇଂରାଜୀ ନବ ବର୍ଷ ଧୁମଧାମରେ ପାଳନ କରାଯାଉଥିବା ବେଳେ କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳର ସରକାରୀ ଡାକ୍ତରଖାନାର ଜଣେ ଡାକ୍ତରଙ୍କ ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର କରାଯାଇଥିଲା । ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ଘର କଟକ ଜିଲ୍ଲା ନିଆଳିରେ । ସରକାରଙ୍କ ନିରାମୟ ଯୋଜନାରେ ଯୋଡା ପୌରାଞ୍ଚଳର ବନେଇକଳା ଠାରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ କାର୍ଯ୍ୟରତ ଥିଲେ । ଡାକ୍ତରାଣୀ ସ୍ୱାସ୍ଥ୍ୟକେନ୍ଦ୍ରର ଉପର ମହଲାରେ ରହୁଥିବା ବେଳେ ଜାନୁୟାରୀ ୨ ତାରିଖ ଦିନ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି ନଥିଲେ। ରୁମ୍ ଭିତରୁ ତାଙ୍କର କୌଣସି ସ୍ବର ଶବ୍ଦ ନଶୁଣାଯିବାରୁ ସନ୍ଧ୍ୟାରେ ସହକର୍ମୀମାନେ ଯୋଡା ଥାନାକୁ ଖବର ଦେଇଥିଲେ ।