ଓଡିଶା

odisha

ETV Bharat / state

ଏସସିବିରେ ସଫଳ ଅସ୍ତ୍ରୋପଚାର: ଯୁବକଙ୍କ ହାତ ହାଣିଦେଲେ ଦୃର୍ବୃତ୍ତ, ଯୋଡ଼ିଦେଲେ ଡାକ୍ତର

ବିରଳ ଅସ୍ତ୍ରୋପଚାର କରି ଇତିହାସ ରଚିଲା ଏସସିବି ମେଡ଼ିକାଲ । ଅସ୍ତ୍ରୋପଚାର ଦ୍ବାରା କଟା ହାତକୁ ପୁଣି ଥରେ ଯୋଡ଼ିବାରେ ସଫଳ ହୋଇଛି କଟକ ଏସସିବି ମେଡ଼ିକାଲ । ଅଧିକ ପଢ଼ନ୍ତୁ

rare surgery at scb medical
ଏସସିବିରେ ବିରଳ ଅସ୍ତ୍ରୋପଚାର

By

Published : Jun 30, 2023, 5:59 PM IST

Updated : Jun 30, 2023, 6:07 PM IST

ଏସସିବିରେ ବିରଳ ଅସ୍ତ୍ରୋପଚାର

କଟକ: କଟାହାତକୁ ଯୋଡ଼ି ରୋଗୀଙ୍କୁ ନୂଆ ଜୀବନ ଦେଲେ ଡାକ୍ତର । ଏସସିବି ମେଡ଼ିକାଲ କଲେଜର ପ୍ଲାଷ୍ଟିକ ସର୍ଜରୀ ବିଭାଗ ଏପରି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛି । ପାଖାପାଖି 6 ଘଣ୍ଟାର ସଫଳ ଅସ୍ତ୍ରୋପଚାର ପରେ ରୋଗୀ ଜଣକ ନିଜ ଫେରି ପାଇଛନ୍ତି । ସେ ପୂର୍ବଭଳି ନିଜ ହାତରେ ସବୁ କାମ କରିପାରିବେ । ହାତ ହରାଇ ଆଶା ଛାଡ଼ି ଦେଇଥିବା ରୋଗୀଙ୍କ ହାତ ଯୋଡ଼ି ଏସସିବି ମେଡ଼ିକାଲ ପୁଣି ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।

ବାଲେଶ୍ଵର ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁଟାପାଳ ଗ୍ରାମର 23 ବର୍ଷୀୟ ଯୁବକ ପ୍ରକାଶ ଦାସ ଗତ 21 ତାରିଖ ସନ୍ଧ୍ୟା ସମୟରେ ଟିଉସନ ସାରି ରଥଯାତ୍ରା ଦେଖିବାକୁ ଆସୁଥିଲେ । ଏହି ସମୟରେ ହଠାତ ସେହି ଗ୍ରାମର କିଛି ଯୁବକ ନିଛାଟିଆ ସ୍ଥାନରେ ପ୍ରକାଶଙ୍କ ଉପରେ ଆକ୍ରମଣ କରିବା ପରେ ବାମ ପଟ ହାତଟିକୁ ସମ୍ପୂର୍ଣ୍ଣ ଭାବେ ହାଣି ଅଲଗା କରି ଦେଇଥିଲେ । ଏହାପରେ ପ୍ରକାଶଙ୍କ ପରିବାର ଲୋକେ କଟାହାତକୁ ଧରି ଗୁରୁତର ଅବସ୍ଥାରେ ବାଲେଶ୍ଵରରୁ କଟକ ବଡ଼ ମେଡିକାଲରେ ଆସି ପହଞ୍ଚିଥିଲେ । ତୁରନ୍ତ ମେଡ଼ିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତରୀ ଟିମ, ପ୍ରକାଶଙ୍କ ଅସ୍ତ୍ରୋପଚାର ପାଇଁ ପ୍ରକ୍ରିୟା ଆରମ୍ଭ କରି ଦେଇଥିଲେ । ରାତି ପ୍ରାୟ 12ରୁ ସକାଳ 6ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ଜଟିଳ ଅସ୍ତ୍ରୋପଚାର । ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ବିଭୂତି ଭୂଷଣ ନାୟକଙ୍କ ନେତୃତ୍ବରେ 10 ଜଣିଆ ଡାକ୍ତରୀ ଟିମ୍‌ ପ୍ରତିଟି ଶିରା, ପ୍ରଶିରା ସହ ହାଡ଼କୁ ଯୋଡ଼ିବା ପାଇଁ ଅତି ସୂକ୍ଷ୍ମ ଅସ୍ତ୍ରୋପଚାର କରିଥିଲେ । ପାଖାପାଖି 6 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ଫଳରେ ପ୍ରକାଶଙ୍କ କଟା ହାତକୁ ଯୋଡ଼ିବାରେ ସଫଳ ହେଲା ଏସିସିବି ମେଡ଼ିକାଲ ।

ବର୍ତ୍ତମାନ ଯୋଡ଼ା ହାତ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆଉ 3 ରୁ 4 ମାସ ମଧ୍ୟରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଯିବ ବୋଲି କହିଛନ୍ତି ପ୍ଲାଷ୍ଟିକ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ବିଭୂତି ଭୂଷଣ ନାୟକ । ସେହିଭଳି ସମସ୍ତ ଡାକ୍ତରୀ ଦଳଙ୍କୁ ତାଙ୍କର ଏହି ପରିଶ୍ରମ ପାଇଁ ଏସସିବି ଅଧିକ୍ଷକ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ନିଜ ହାତ ଫେରି ପାଇଥିବା ଯୁବକ ଜଣକ କହିଛନ୍ତି, "ଦୁର୍ବୃତ୍ତଙ୍କ ଦ୍ବାରା ଆକ୍ରମଣ ହେବା ପରେ ତୁରନ୍ତ ଏସସିବି ମେଡ଼ିକାଲରେ ଭର୍ତ୍ତି ହୋଇଥିଲି । ମାତ୍ର ପୁଣି ଥରେ ନିଜ ହାତକୁ ଫେରି ପାଇବାର ଆଶା ରଖିନଥିଲି । କିନ୍ତୁ ଡାକ୍ତରଙ୍କ ଅଦମ୍ୟ ପ୍ରଚେଷ୍ଟା ଯୋଗୁଁ ପୁଣି ଥରେ ହାତ ଫେରିପାଇଛି । ଏଥିପାଇଁ ପ୍ଲାଷ୍ଟିକ ସର୍ଜରୀ ବିଭାଗର ସମସ୍ତ ଡାକ୍ତରୀ ଟିମକୁ ଧନ୍ୟବାଦ ଜଣାଉଛି ।

ଇଟିଭି ଭାରତ, କଟକ

Last Updated : Jun 30, 2023, 6:07 PM IST

ABOUT THE AUTHOR

...view details