ଓଡିଶା

odisha

ETV Bharat / state

କଟକକୁ କଲବଲ କରୁଛି ଜଣ୍ଡିସ

କେବେ ଜଣ୍ଡିସମୁକ୍ତ ହେବ କଟକ ? କେବେ ବଦଳିବ ପିଏଚଡି ପାଇପ ? ଏସବୁର ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଏବେ ସହରବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Jun 27, 2019, 6:02 PM IST

କଟକ: ରାଜ୍ୟର ସର୍ବପୁରାତନ ସହର କଟକ, ଯେଉଁ ସହରରେ ରାଜ୍ୟର ଶ୍ରେଷ୍ଠ ମେଡିକାଲ ପ୍ରତିଷ୍ଠିତ ହୋଇଛି । ଯେଉଁ ସହର ସାରା ରାଜ୍ୟକୁ ସ୍ବାସ୍ଥ୍ୟସେବା ଯୋଗାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି, ସେହି ସହରର ସ୍ବାସ୍ଥ୍ୟ ଏବେ ଅସୁସ୍ଥ । ପ୍ରତିବର୍ଷ ଜଣ୍ଡିସ ଆକ୍ରମଣରେ ସହରବାସୀ କଲବଲ ହେଉଛନ୍ତି । ବାରମ୍ବାର ଜଣ୍ଡିସ କଟକରେ ଜନ୍ମ ନେଉଥିଲେ ମଧ୍ୟ କାହିଁକି ଜିଲ୍ଲା ପ୍ରଶାସନ କି ମହାନଗର ନିଗମ ଜଣ୍ଡିସକୁ ନିପାତ କରିବା ପାଇଁ ଦୀର୍ଘସ୍ଥାୟୀ ବ୍ୟବସ୍ଥା କରୁନାହାନ୍ତି ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ବଦଳୁଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ବଦଳୁଛନ୍ତି ଜିଲ୍ଲା ପ୍ରଶାସନ, ବଦଳୁଛନ୍ତି କଟକ ମହାନଗର ନିଗମର କମିଶନର ହେଲେ ବଦଳୁ ନାହିଁ ଅସୁସ୍ଥ କଟକର ସ୍ବାସ୍ଥ୍ୟସେବା । ପୁଣି ଏବେ କଟକରେ ମାତିଛି ଜଣ୍ଡିସ , ଧୀରେ ଧୀରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା ତେଣୁ ତୁରନ୍ତ ଜଣ୍ଡିସକୁ ନିପାତ କରିବା ପାଇଁ ଦାବି ହେଉଛି ।

କଟକରେ କିଛିବର୍ଷ ଧରି ଜଣ୍ଡିସ ତାର କାୟା ବିସ୍ତାର କରୁଥିବା ବେଳେ ପ୍ରଶାସନ ଯେମିତି ଜଣ୍ଡିସ ଆଗରେ ଆତ୍ମସର୍ମଣ କରିଦେଇଛି । ଜଣ୍ଡିସ ମୁକାବିଲା ପାଇଁ ନା କରୁଛି ଦୀର୍ଘସ୍ଥାୟୀ ଯୋଜନା ନା ପରିବର୍ତ୍ତନ ହେଉଛି ପିଏଚଡି ପାଇପ କନେକ୍ସନ । ଏଥିଯୋଗୁଁ ଏବେ ଗଙ୍ଗାମନ୍ଦିର ଅଞ୍ଚଳରେ ଘରେ ଘରେ ମାତିଛି ଜଣ୍ଡିସ । କେବଳ ଅଭିଯୋଗ ହେଲେ ପ୍ରଶାସନ କିଛି ବ୍ଳିଚିଂ ପାଉଡର ପକାଇ ହାଲୋଜିନ ବଟିକା ବାଣ୍ଟିଦେଇ ନିଜ କାମ ସାରିଦେଉଛି ।

ଆଗକୁ ଆସୁଛି ବର୍ଷା ପୁଣି ଭାସିବ କଟକ ସହର, ଆହୁରି ବଳବାନ ହେବ ଜଣ୍ଡିସ ଯଦି ଏବେଠାରୁ କିଛି ପଦକ୍ଷେପ ନିଆ ନଯିବ ତେବେ ଜଣ୍ଡିସ ଯେ ନିୟନ୍ତ୍ରଣ ବାହାରକୁ ଚାଲିଯିବ ଏଥିରେ ସନ୍ଦେହ ନାହିଁ ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details