ଓଡିଶା

odisha

By

Published : May 4, 2021, 5:52 PM IST

ETV Bharat / state

24 ଘଣ୍ଟା ସେବାରେ କଟକ କୋଭିଡ କଣ୍ଟ୍ରୋଲ ରୁମ, ଦିନକୁ ଆସୁଛି 3 ହଜାର କଲ

କଟକ ଜିଲ୍ଲାରେ କୋଭିଡ ନିୟନ୍ତ୍ରଣର ମୁଖ୍ୟ ସହାୟକ ପାଲଟିଛି କୋଭିଡ କଣ୍ଟ୍ରୋଲ ରୁମ । 24 ଘଣ୍ଟା ଯୋଗାଉଛି ସେବା । ଅଧିକ ପଢନ୍ତୁ...

କଟକ କୋଭିଡ କଣ୍ଟ୍ରୋଲ ରୁମ; 24 ଘଣ୍ଟା ଯୋଗାଉଛି ସେବା, ଦିନକୁ ଆସୁଛି 3 ହଜାର କଲ
କଟକ କୋଭିଡ କଣ୍ଟ୍ରୋଲ ରୁମ; 24 ଘଣ୍ଟା ଯୋଗାଉଛି ସେବା, ଦିନକୁ ଆସୁଛି 3 ହଜାର କଲ

କଟକ: କଟକ ଜିଲ୍ଳାରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ 70 ପ୍ରତିଶତରୁ ଅଧିକ କେବଳ ସହରରୁ ଚିହ୍ନଟ ହେଉଛନ୍ତି । ଫଳରେ ପ୍ରତିଦିନ ହାରାହାରି 3ଶହ ଜଣେ ଲୋକ ସଂକ୍ରମିତ ହେଉଥିବାବେଳେ ସକ୍ରିୟ ମାମଲା ମଧ୍ୟ ବଢିଚାଲିଛି । ଏଭଳି ଏକ ପ୍ରତିକୂଳ ପରିସ୍ଥିତିରେ କଟକ ସହରରେ କୋଭିଡ ପରିଚାଳନାରେ ଏକ ଗୁରୁତ୍ବପୂର୍ଣ୍ଣ ଭୁମିକା ନିର୍ବାହ କରୁଛି କୋଭିଡ ନିୟନ୍ତ୍ରଣ କକ୍ଷ ।

କଟକ କୋଭିଡ କଣ୍ଟ୍ରୋଲ ରୁମ; 24 ଘଣ୍ଟା ଯୋଗାଉଛି ସେବା, ଦିନକୁ ଆସୁଛି 3 ହଜାର କଲ

ନାଁ ସିନା କୋଭିଡ କଣ୍ଟ୍ରୋଲ ରୁମ ,କିନ୍ତୁ ଏହା ଭିତରର ବ୍ୟବସ୍ଥା ଏକ ଓ୍ବାର ରୁମ୍ ଠାରୁ କୌଣସି ଗୁଣରେ କମ ନୁହେଁ । ଏଠାରେ ଥିବା ଟେଲ-ଫ୍ରି ନମ୍ବରରେ ପ୍ରତି 10 ସେକେଣ୍ଡ ବ୍ୟବଧାନରେ ସହରର ବିଭିନ୍ନ ସ୍ଥାନରୁ ଆସୁଛି କଲ । ପରିସ୍ଥିତି ଏପରି ହୋଇଛି ଯେ ଦୁଇଟି ଯାକ ଟୋଲ ଫ୍ରି ନମ୍ବର ପାଇଁ ଉପଲବ୍ଧ ଥିବାବେଳେ ଦୁଇଟି ଯାକ ଫୋନ ଏକାଥରେ ବାଜୁଛି । କୋଭିଡ ଲକ୍ଷଣ ପ୍ରକାଶ ପାଇବା, ଟେଷ୍ଟିଂ କରାଇବା, ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବା ଭଳି ଆବଶ୍ୟକତା ପାଇଁ ଏଠାକୁ ଲୋକେ ଫୋନ କରୁଛନ୍ତି । କଲ ପାଇବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ମିଳିଥିବା ତଥ୍ୟକୁ ସେହି ସମ୍ପର୍କିତ ବିଭାଗ ବା ବ୍ୟକ୍ତିଙ୍କ ନିକଟକୁ ପଠାଯାଉଛି ।

ଏହା ସହିତ ସେଠାରେ ଉପସ୍ଥିତ ଥିବା ଡାକ୍ତରମାନେ ମଧ୍ୟ ଫୋନ ଯୋଗେ ଲୋକଙ୍କୁ ପରାମର୍ଶ ଦେଉଛନ୍ତି ।ତେବେ ଯଦି କେହି କୋଭିଡ ସମ୍ପର୍କିତ କୌଣସି ସହାୟତା ବା ପରାମର୍ଶ ଆବଶ୍ୟକ କରୁଛନ୍ତି ତେବେ କୋଭିଡ କଣ୍ଟ୍ରୋଲ ରୁମ ନମ୍ବର 7077775555 ଓ ଜରୁରୀ ସେବା ପାଇଁ 1800-345-8289 ନମ୍ବରରେ ଫୋନ କରିବା ପାଇଁ କୁହାଯାଇଛି । କଟକ ସହରରେ କୋଭିଡ ମୁକାବିଲା ପାଇଁ ହେଉଥିବା ଟ୍ରେସିଂ, ଟେଷ୍ଟି ଓ ଟ୍ରିଟମେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟ ଏହି ଠାରୁ ହିଁ ସଂଞ୍ଚାଳନ ହେଉଛି ।

କୌଣସି ବ୍ୟକ୍ତି କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ରଖିବା, ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିବା, ତାଙ୍କ ନିକଟକୁ ଔଷଧ ଓ ଚିକିତ୍ସା ସମ୍ବନ୍ଧୀୟ ଜରୁରୀ ସାମଗ୍ରୀ ପହଞ୍ଚାଇବା, ଆବଶ୍ୟକ ହେଲେ କୋଭିଡ କେୟାର ହୋମ୍ ବା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଇବା ଓ କଣ୍ଟାକ୍ଟରେ ଆସିଥିବା ଲୋକମାନଙ୍କର ପରୀକ୍ଷା କରାଇବା ଭଳି କାର୍ଯ୍ୟର ପରିଚାଳନା ଏହି ଠାରୁ ହିଁ ହେଉଛି । ଦିନ ରାତି 24 ଘଣ୍ଟା କାର୍ଯ୍ୟ କରୁଥିବା ଏହି କଣ୍ଟ୍ରୋଲ ରୁମରେ 4 ଜଣ ଡାକ୍ତରଙ୍କ ସହ 12 ଜଣ ପାରାମେଡିକାଲ ଷ୍ଟାଫ ନିୟୋଜିତ ଅଛନ୍ତି ।

ସେହିପରି ଗତବର୍ଷ ଠାରୁ ସିଏମସି କାର୍ଯ୍ୟାଳୟରେ ଏହି ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବା ଆରମ୍ଭ କରୁଛି । କିନ୍ତୁ ଏବେ ପ୍ରତିଦିନ ହାରାହାରି 3 ହଜାର କଲ ସେଠାକୁ ଆସୁଛି ଯାହାକି ଗତବର୍ଷ ତୁଳନାରେ ପ୍ରାୟ ଦୁଇ ଗୁଣ ଅଧିକ ବୋଲି କୋଭିଡ ନିୟନ୍ତ୍ରଣ କକ୍ଷ ପକ୍ଷରୁ କୁହାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details