କଟକ: 2024 ନିର୍ବାଚନ ପୂର୍ବରୁ କଟକ ବାରବାଟୀରେ ବିଜେଡିର ସମର ସଜା । ବାରବାଟୀରେ ପୁଣି ଶଙ୍ଖର ବିଜୟ ଧ୍ଵନି ବାଜିବ ସେନେଇ ଗୁରୁମନ୍ତ୍ର ଫୁଙ୍କିଛନ୍ତି କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ । ଆଜି କଟକ ବାରବାଟୀ ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ସ୍ଥିତ ଶାରଳା ଭବନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ମନ୍ତ୍ରୀ ତଥା ପର୍ଯ୍ୟବେକ୍ଷକ ପ୍ରଫୁଲ ମଲ୍ଲିକଙ୍କ ସମେତ ସମସ୍ତ ଦଳୀୟ କର୍ମୀ ନେତା ଯୋଗ ଦେଇଥିଲେ ।
ଆସନ୍ତା 2024 ନିର୍ବାଚନରେ ଜିଲ୍ଲାର ସମସ୍ତ ସିଟ୍ ଉପରେ କିପରି ଦଳ ବିଜୟ ହାସଲ କରିବ ଓ ଷଷ୍ଟଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଇବାରେ ଜିଲ୍ଲାର ଭୂମିକା ରହିବ ସେନେଇ କର୍ମକତ୍ତାଙ୍କୁ ଗୁରୁମନ୍ତ୍ର ଦିଆଯାଇଥଲା । ଦଳର ପ୍ରତିଟି କାର୍ଯ୍ୟକ୍ରମ ତଥା ସରକାରଙ୍କ ଯୋଜନାର ବହୁଳ ପ୍ରଚାର ଯେପରି ସୋସିଆଲ ମିଡ଼ିଆରେ ହୋଇପାରିବ ସେଥିଲାଗି ପଦକ୍ଷେପ ନେବାକୁ ଦେବାଶିଷ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏନେଇ ଦେବାଶିଷ ସାମନ୍ତରାୟ କହିଛନ୍ତି, "ବାରବାଟୀ କଟକରେ ଦଳୀୟ କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି । ମୁଖ୍ୟମନ୍ତ୍ରୀ ଯେପରି ଭାବରେ ପୁରୀ ପରେ କଟକର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି ତାହାକୁ ସହରବାସୀ ଗ୍ରହଣ କରିଛନ୍ତି । ତାଙ୍କରି ହାତମୁଠାକୁ ମଜଭୁତ କରିବା ପାଇଁ ଏଠାରେ ବିଜେଡି ବିପୁଳ ବିଜୟ ହାସଲ କରିବ ।"