ଓଡିଶା

odisha

ETV Bharat / state

ରାତି ପାହିଲେ ବାଲିଯାତ୍ରା, ଏଥର ଜଳକ୍ରୀଡା ସାଙ୍ଗକୁ ପଥ ଉତ୍ସବ - ଐତିହାସିକ କଟକ ବାଲିଯାତ୍ରା

ରାତି ପାହିଲେ ଉଦଘାଟିତ ହେବ କଟକର ଐତିହାସିକ ବାଲିଯାତ୍ରା । ଏଥିପାଇଁ ପଡିଆରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Nov 11, 2019, 7:39 PM IST

Updated : Nov 11, 2019, 11:01 PM IST

କଟକ: ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା । ଉଦଘାଟିତ ହେବ କଟକର ଐତିହାସିକ ବାଲିଯାତ୍ରା । ଲୋକାରଣ୍ୟ ହୋଇ ଉଠିବ ମହାନଦୀ ପଠା । ଏଥିପାଇଁ ପଡିଆରେ ସମସ୍ତ ପ୍ରକାର ପ୍ରସ୍ତୁତି ପହଞ୍ଚିଛି ଶେଷ ପର୍ଯ୍ୟାୟରେ । ଵର୍ତ୍ତମାନ ସୁଦ୍ଧା 70 ପ୍ରତିଶତରୁ ଉର୍ଦ୍ଧ୍ବ ଷ୍ଟଲର ନିର୍ମାଣ କାର୍ଯ୍ୟ ସରିଥିବାବେଳେ ବାକି 30 ପ୍ରତିଶତ ମଙ୍ଗଳବାର ସକାଳ ସୁଦ୍ଧା ଶେଷ ହୋଇଯିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ମଙ୍ଗଳବାର ଅପରାହ୍ନରେ ଉଦଘାଟିତ ହେବାକୁ ଥିବା ଚଳିତବର୍ଷ ବାଲିଯାତ୍ରାରେ କିଛି ନୂଆ ଦେଖିବାକୁ ପାଇବେ ଦର୍ଶକ । ପ୍ରତିବର୍ଷ ବାଲିଯାତ୍ରାରେ ରାମଦୋଳି, ବ୍ରେକ ଡ୍ୟାନ୍ସ, ରାଉଣ୍ଡିଙ୍ଗ କାର ସହ ଚଟପଟା ଖାଦ୍ୟ ଓ ଘରକରଣା ଷ୍ଟଲର ମଜା ଉଠାଉଥିଲେ ଦର୍ଶକ । ହେଲେ ଚଳିତ ବର୍ଷ ଜିଲ୍ଲାପ୍ରଶାସନ ପକ୍ଷରୁ ବୋଇତ ଯାତ୍ରା, ଜଳକ୍ରୀଡା, ମହାନଦୀ ଆରତୀ, ପଥୋତ୍ସବ ଏବଂ ମୋ ରିକ୍ସାର ଆୟୋଜନ କରାଯାଇଛି । ଯାହା ଦର୍ଶକଙ୍କୁ ବେଶ ଆକୃଷ୍ଟ କରିବ ।

କେବଳ ସେତିକି ନୁହେଁ ଏଥର ମେଳାରେ ଷ୍ଟଲ ବୁଲା ସାଙ୍ଗକୁ ବଲିଓଡ ଏବଂ ଓଲିଉଡ କଣ୍ଠଶିଳ୍ପୀଙ୍କ ସଙ୍ଗୀତରେ ଝୁମିବେ ଦର୍ଶକ । ଦିଲେର ମେହେନ୍ଦୀ, କେକେ, ସୋନା ମହାପାତ୍ରଙ୍କ ଭଳି କଣ୍ଠଶିଳ୍ପୀଙ୍କ ସହ ରିତୁରାଜ, ଅସୀମା ପଣ୍ଡା, ହ୍ୟୁମାନ ସାଗର, ତାରକେ ଅଜିଜଙ୍କ ଭଳି ନାମଦାମୀ ଗାୟକ ନିଜ ଗୀତ ପରିବେଷଣ କରିବେ । ସେହିପରି ସର୍ବକାଳୀନ ଲୋକପ୍ରିୟ ଗାୟକ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ସ୍ମତିରେ ଗୋଟିଏ ଦିନ ପ୍ରୋଗ୍ରାମ ରଖାଯାଇଛି । ମୋଟାମୋଟି ଭାବେ ଚଳିତ ବର୍ଷ 4ଟି ଷ୍ଟେଜ ନିର୍ମାଣ କରାଯିବା ସହ ପ୍ରତ୍ୟେକ ଦିନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କିଛି ଦିନ ପୂର୍ବରୁ ଆତଙ୍କ ଖେଳାଇଥିବା ସାମୁଦ୍ରିକ ଝଡ 'ବୁଲବୁଲ'କୁ ନେଇ ସମସ୍ତେ ଚିନ୍ତାରେ ପଡିଯାଇଥିଲେ । ହେଲେ ବର୍ତ୍ତମାନ ପାଗ ଅନୁକୂଳ ଥିବାରୁ ଉଭୟ ଜିଲ୍ଲାପ୍ରଶାସନ ଓ ବ୍ୟବସାୟୀ ଆଶ୍ବସ୍ତି ଅନୁଭବ କରିଛନ୍ତି । ଚଳିତ ବର୍ଷର ଜିଲ୍ଲା ପ୍ରଶାସନର ସ୍ବତନ୍ତ୍ର ଆୟୋଜନ ଦର୍ଶକ ମେଳା ପଡିଆକୁ ଆକୃଷ୍ଟ କରିବା ସହ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ।

ଅପରପକ୍ଷେ ବାଲିଯାତ୍ରାକୁ କଡା ସୁରକ୍ଷା ଭିତରେ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି କମିଶନରେଟ୍ ପୋଲିସ । ପଡିଆରେ ସମୁଦାୟ 50 ପ୍ଲାଟୁନ ଫୋର୍ସ ନିୟୋଜିତ ହେବା ସହ ସିସିଟିଭି, ୱାଚ୍ ଟାୱାର, ସାଧା ପୋଷାକଧାରୀ ପୋଲିସ ଏବଂ ସଶସ୍ତ୍ର ପୋଲିସବାହିନୀ ମେଳା ପଡିଆରେ ନିୟୋଜିତ ରହିବେ । ସେହିପରି ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ଯାହାଦ୍ବାରା ଅସାମାଜିକ କାର୍ଯ୍ୟକଳାପକୁ ରୋକା ଯିବା ସହ ସେ ଦିଗରେ ଆକ୍ସନ ନେଇପାରିବେ ପୋଲିସ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Nov 11, 2019, 11:01 PM IST

ABOUT THE AUTHOR

...view details