କଟକ:କଟକରେ ଦୀପାବଳି,କାଳୀ ପୂଜା ଓ ଭସାଣି ଉତ୍ସବ ନେଇ ପ୍ରସ୍ତୁତ କମିଶନରେଟ ପୋଲିସ । ଏନେଇ କମିସନରେଟ ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କରାଯାଇଛି । ଆସନ୍ତାକାଲି ଠାରୁ ମା' କାଳୀଙ୍କ ପୂଜା ହେବାକୁ ଥିବାବେଳେ ୧୫ ତାରିଖରେ ଭସାଣୀ ଉତ୍ସବର ଆୟୋଜନ କରାଯିବ । ଚଳିତ ବର୍ଷ ପାଖାପାଖି ୮୦ଟି ପୂଜା ମଣ୍ଡପରେ ପୂଜା ପାଇବେ ମା' କାଳୀ । ସହରରେ ଶାନ୍ତିଶୃଙ୍ଖଳା ସହ ଦୀପାବଳି, କାଳୀ ପୂଜା ଓ ଭସାଣୀ ଉତ୍ସବ ସମାପନ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପୋଲିସ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ସମେତ ୪୦ରୁ ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଭିଡକୁ ନିୟନ୍ତ୍ରଣ ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ।
ଦଶହରା ପରି କାଳୀପୂଜା ମେଢ଼ ଭସାଣୀ ପାଇଁ ସମାନ ରୁଟ ରଖାଯାଇଛି । ଅନ୍ୟପଟେ ଆସନ୍ତାକାଲି ଦୀପାବଳି ଥିବାରୁ ପ୍ରାୟ ସମସ୍ତେ ବାଣ ଫୁଟାଇବେ । ସେଥିପାଇଁ ଜିଲ୍ଲା ପ୍ରଶାସନ ,ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହଯୋଗରେ ପୋଲିସ ଏକ ଟିମ ଗଠନ କରି ଅଧିକ ଶବ୍ଦ ଓ ବାୟୁ ପ୍ରଦୂଷଣ କରୁଥିବା ବାଣ ଉପରେ ନଜର ରଖିଛି । ସବୁଠାରୁ ବଡ଼ କଥା ହେଉଛି, ରାତି ୧୦ଟା ପରେ ବାଣ ଫୁଟାଇବା ଉପରେ କଟକଣା ଲଗାଇଛି କମିଶନରେଟ ପୋଲିସ । ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି କଟକ ଡିସିପି କହିଛନ୍ତି ।