କଟକ: ସିଲଭର ସିଟିରେ ଏଥର ଫିକା ପଡ଼ିପାରେ ବାଣ ବ୍ୟବସାୟ । ସବୁଜ ବାଣ ବ୍ୟବସାୟ କରିବାକୁ ଅନୁମତି ରହିଥିବା ବେଳେ ପ୍ରଶାସନର ମାତ୍ରାଧିକ କଟକଣା ବେପାରକୁ ଫିକା ପକାଇ ପାରେ । ସହରରେ ଅନେକ ଷ୍ଟଲ୍ ଖୋଲିଲାଣି ମାତ୍ର ହାତ କେଇଟା ଦୋକାନକୁ ଛାଡ଼ି ଦେଲେ ଆଉ ସବୁ ଫାଙ୍କା । ଯେଉଁ ବାଣ ଦୋକାନ ସବୁ ଖୋଲିଛି, ସେମାନଙ୍କୁ ଅନୁମତି ମିଳିଛି । ମାତ୍ର ଏହା ବିଳମ୍ବ ହୋଇଥିବା କୁହାଯାଉଛି । ହାତରେ ଆଉ ମାତ୍ର ଦୁଇ ଦିନ ରହିଥିବା ବେଳେ ଏଥିରେ ଭଲ ବ୍ୟବସାୟ ହେବ କି ନାହିଁ ସେନେଇ ଆଶା ଆଶଙ୍କାରେ ଅନେକ ବ୍ୟବସାୟୀ । ପାଗ ଭଲ ରହିଥିବାରୁ ବ୍ୟବସାୟ ହେବ ବୋଲି କୁହାଯାଉଛି । ଆଜି ସମସ୍ତ ବାଣ ଷ୍ଟଲ ଖୋଲିଯିବ ।
ସହରରେ ବାଣ ବିକ୍ରି ପାଇଁ ଅନୁମତି ନେବାକୁ ପଡ଼ିଥାଏ । ପୋଲିସର ବିନା ଅନୁମତିରେ କୌଣସି ଦୋକାନରେ ବାଣ ବ୍ୟବସାୟ ହୋଇନଥାଏ । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଆସିବା ପରେ ପୋଲିସ ଏନେଇ ଅନୁମତି ଦେଇନପାରେ ବୋଲି ଚର୍ଚ୍ଚା ହେଉଥିଲା । ସହରରେ ବାଣ ଫୁଟିବା ଉପରେ କଟକଣା ଲାଗୁହେବାର ଯଥେଷ୍ଟ ସମ୍ଭାବନା ରହିଥିଲା । ଏଭଳି ସ୍ଥିତିରେ କଟକରେ ବାଣ ବିକ୍ରି ହେବ କି ନାହିଁ ସେନେଇ ଦ୍ଵନ୍ଦ ସୃଷ୍ଟି ହୋଇଥିଲା । ଦୀପାବଳିରେ ବାଣ କଟକଣା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର । ବିଶେଷକରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ପରେ କମିଶନରେଟ ପୋଲିସର କଣ ପଦକ୍ଷେପ ରହିବ ସେନେଇ କହିଛନ୍ତି ଡିସିପି । ବାଣ ବ୍ୟବସାୟ ପାଇଁ ପ୍ରାୟ ୪ ଶହରୁ ଅଧିକ ବାଣ ବ୍ୟବସାୟୀ କଟକ ଡ଼ସିପିଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ସେଥିରୁ ପ୍ରାୟ ୪୧ ଜଣ ବ୍ୟବସାୟୀ ଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି। ମାତ୍ର ପରବର୍ତ୍ତୀ ନିର୍ଦ୍ଦେଶଷ ନ ଆସିବା ପର୍ଯ୍ୟନ୍ତ ବାଣ ବିକ୍ରି ଲାଇସେନ୍ସ ପ୍ରଦାନ ଉପରେ ରୋକ ଲଗାଇଛି ପୋଲିସ। ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ତର୍ଜମା କରିବା ପରେ, ସେନେଇ ପଦକ୍ଷେପ ନିଆଯିବ ବୋଲି ଡ଼ିସିପି କହିଛନ୍ତି
ଏହା ମଧ୍ୟ ପଢନ୍ତୁ-Diwali 2023: ଜଟଣୀରେ ଜମୁଛି ବାଣ ବ୍ୟବସାୟ, ଜିଲ୍ଲା ବାହାରୁ ଗ୍ରାହକଙ୍କ ଭିଡ଼