କଟକ:ପେଟ୍ରୋଲ ଦର ବଢିବା ପରେ ସୋମବାର ରାଜ୍ୟରେ ବଢିଛି ବସଭଡ଼ା । ସାଧାରଣ ବସଭଡ଼ା କିଲୋମିଟର ପ୍ରତି 6 ପଇସା ବଢିଛି । ତେବେ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଅନୁସାରେ ବସଭଡା ବୃଦ୍ଧି କରାଯାଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଙ୍ଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ ।
ସାଧାରଣ (ଅର୍ଡିନାରୀ) ଭଡ଼ା କିଲୋମିଟର ୬ ପଇସା ବୃଦ୍ଧି ହୋଇଥିବା ବେଳେ ଏକ୍ସପ୍ରେସ ଭଡ଼ା ୭ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ବସ ଭଡା କିଲୋମିଟର ପିଛା ୨ ପଇସା ଏବଂ AC ଡିଲକ୍ସ ଭଡ଼ା ୮ ପଇସାକୁ ବୃଦ୍ଧି ପାଇଛି। ଏଥିସହ ନୂଆକରି ସୁପର ପ୍ରିମିୟମ ବସଭଡା କିମି ପିଛା ୨ ଟଙ୍କା ୧୭ ପଇସା ଧାର୍ଯ୍ୟ କରାଯାଇଛି । ତେବେ ୧୨ଟି ପାରାମିଟରକୁ ନେଇ ଏହି ଦର ନିର୍ଦ୍ଧାରିତ କରିଛନ୍ତି ସରକାର । ଡିଜେଲ ଦର ବୃଦ୍ଧି ପାଇବା ସହ ମୋବିଲ, ଗାଡି ପାର୍ଟସ, ଟାୟାର ଭଳି ବିଭିନ୍ନ ବସ୍ ସାମଗ୍ରୀ ଦର ବୃଦ୍ଧି ପାଇଛି । ତେବେ ବର୍ଷକୁ ଥରେ ପରିବହନ ବିଭାଗ ପକ୍ଷରୁ ଦର ବୃଦ୍ଧି କରାଯିବାର ବ୍ୟବସ୍ଥା ଥିବା ବେଳେ ତିନିବର୍ଷ ହେବ ବସଭଡା ବୃଦ୍ଧି କରାଯାଇନଥିଲା ।