କଟକ: ବୋର୍ଡରେ ଖୋଲିବ କଣ୍ଟ୍ରୋଲ ରୁମ । ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ଡାଉଟ୍ କ୍ଲିଅର କରିପାରିବେ ଛାତ୍ରଛାତ୍ରୀ । ଏହାସହ ସେଠାରେ ଥିବା କାଉନସିଲର ମଧ୍ୟ ଛାତ୍ରଛାତ୍ରୀମାନଙ୍କ ଆଗାମୀ ପାଠ୍ୟକ୍ରମ କୋର୍ସ ପାଇଁ ପରାମର୍ଶ ଦେବେ। କେବଳ ଅଫିସ ସମୟରେ ଏହି କଣ୍ଟ୍ରୋଲ ରୁମ ଖୋଲା ରହିବ । ତେବେ ଆଜି ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ କଣ୍ଟ୍ରୋଲ୍ ରୁମ୍ ନେଇ ବୋର୍ଡ ସଭାପତି ରାମାସିସ ହାଜରା ସୂଚନା ଦେଇଛନ୍ତି ।
ଏହି କଣ୍ଟ୍ରୋଲ ରୁମରେ ଓସେପାରୁ ୨ ଜଣ କାଉନସିଲର ରହିଥିଲା ବେଳେ ବୋର୍ଡ କର୍ତ୍ତୃପକ୍ଷ ମଧ୍ୟ ରହିବେ । ତେବେ ଏହି ୨ ଜଣ କାଉନସିଲର ବେଶ ଦକ୍ଷ । ସେମାନେ କେବଳ ଛାତ୍ରଛାତ୍ରୀ ନୁହଁନ୍ତି ବରଂ ଅଭିଭାବକମାନଙ୍କୁ ମଧ୍ୟ କାଉନସିଲ କରିବେ। ଏହାସହ ରି-ଚେକିଂ ବ୍ୟବସ୍ଥା ଯେପରି ସବୁ ବର୍ଷ ପରି ହୁଏ ତାହା ମଧ୍ୟ ଅନଲାଇନ ଆବଦେନରେ ହେବ। ଏନେଇ ଏକ ନୋଟିସ ଜାରି କରାଯିବ ବୋଲି କହିଛନ୍ତି ବୋର୍ଡ ସଭାପତି ରମାସିସ ହାଜରା । ଯଦି କୌଣସି ନାଁ ସମ୍ବନ୍ଧୀୟ ତ୍ରୁଟି ରହିଥାଏ ତାହା ସ୍କୁଲ ଜରିଆରେ ସଂଶୋଧନ କରାଯିବ ।
ତେବେ ସପ୍ଲିମେଣ୍ଟାରୀ ପରୀକ୍ଷା ଏହି ଗୋଟିଏ ସପ୍ତାହ ମଧ୍ୟରେ ନୋଟିସ କରାଯିବ ବୋଲି କହିଛନ୍ତି ବୋର୍ଡ ସଭାପତି । ସୂଚନା ଥାଉ କି ଆଜି ପ୍ରକାଶ ପାଇଛି ବୋର୍ଡ ପରୀକ୍ଷା ଫଳ। । ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଚଳିତ ବର୍ଷ ପାସ୍ ହାର ୯୬.୪ ପ୍ରତିଶତ ରହିଛି । A1 ଗ୍ରେଡରେ ପାସ୍ କରିଛନ୍ତି ୪୧୫୮ ଜଣ ଛାତ୍ରଛାତ୍ରୀ । ସେହିପରି A2 ଗ୍ରେଡରେ ୩୫,୮୩୮ ଜଣ ଛାତ୍ରଛାତ୍ରୀ, B1 ଗ୍ରେଡରେ ୭୭,୫୬୭ ଏବଂ B2 ଗ୍ରେଡରେ ୧,୧୮,୭୫୧ ଜଣ ପାସ କରିଛନ୍ତି । ଚଳିତ ବର୍ଷ ପରୀକ୍ଷାରେ ୭,୬୪୫ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି । ଯେଉଁମାନେ ପରୀକ୍ଷା ଦେଇନାହାନ୍ତି ସେମାନଙ୍କୁ କାଉନସିଲ କରାଯିବ । ତେବେ କେବଳ ପିଲା ନୁହେଁ ଅଭିଭାବକଙ୍କୁ ମଧ୍ୟ କାଉନସିଲ କରାଯିବ ବୋଲି ବୋର୍ଡ ସଭାପତି କହିଛନ୍ତି।