କଟକ: ରାଜ୍ୟ ପୋଲିସ ଉତ୍ତରାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ନିର୍ଯାତନାର ଶିକାର ହୋଇଛନ୍ତି ଅନୁଗୋଳ ଜିଲ୍ଲାର ମହିଳା ହୋମଗାର୍ଡ ଶୈରିନ୍ଦ୍ରୀ ସାହୁ । ତାଙ୍କ ଲାଗି ନିର୍ଯାତନାର ଭାର ଏତେ ହୋଇଥିଲା ଯେ ହୋମଗାର୍ଡ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏନେଇ ରାଜ୍ୟ ରାଜନୀତି ତୀବ୍ର ହୋଇଥିବା ବେଳେ ଡିଆଇଜି ବ୍ରିଜେଶ ରାୟଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ରାଜ୍ୟ ସରକାର । ତେବେ ଡିଆଇଜିଙ୍କ ବଦଳି କେବଳ ଭେଳିକି ବୋଲି ଅଭିଯୋଗ କରିଛି ବିଜେପି । ମହିଳା ହୋମଗାର୍ଡଙ୍କୁ ନ୍ୟାୟ ପ୍ରଦାନ ଦାବି ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଛନ୍ତି ବିଜେପି ପ୍ରତିନିଧି ଦଳ ।
ରାଜ୍ୟ ବିଜେପି ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ଦଳର ଏକ ପ୍ରତିନିଧି ମଣ୍ଡଳ ଆଜି ଅପରାହ୍ନରେ ମହିଳା ହୋମଗାର୍ଡଙ୍କୁ ନ୍ୟାୟ ପ୍ରଦାନ ଦାବି ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଛନ୍ତି । ଏହା ସହିତ ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ପାଇଁ ଦାୟୀ ଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ତେବେ ଗତ କିଛି ଦିନ ପୂର୍ବେ ଅନୁଗୁଳ ଜିଲ୍ଲାରେ ମହିଳା ହୋମ ଗାର୍ଡ ଶୈରିନ୍ଦ୍ରୀ ସାହୁ ଉତ୍ତରାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କ ଘରୋଇ କାର୍ଯ୍ୟରେ ନିୟୋଜିତ ଥିଲେ । ହେଲେ ଏହି ବରିଷ୍ଠ ପୋଲିସ ଅଧିକାରୀଙ୍କ ଧର୍ମପତ୍ନୀଙ୍କ ନିର୍ଯାତନା ସହିନପାରି ଶେଷରେ ମହିଳା ହୋମ ଗାର୍ଡ ଜଣଙ୍କ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ସିଡିଏସ୍ଥିତ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । ଏବେ ସେ ଆଇସିୟୁରେ ଅଛନ୍ତି । ସେ ବଞ୍ଚିଯାଇଥିଲେ ମଧ୍ୟ ଦୁଇଟି ଯାକ ଗୋଡ଼ ହରାଇଛନ୍ତି ।