ବିଜେଡ଼ିର ୨୬ତମ ପ୍ରତିଷ୍ଠା ଦିବସ କଟକ : 2024 ନିର୍ବାଚନରେ କଟକରେ ବିଜେଡି ମାରିବ ବାଜି । 2019ର ନେବ ବଦଲା । କଟକ ବାରବାଟୀ ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନରେ ବିଜେଡି କିଛି ଭୋଟରେ କଂଗ୍ରେସଠୁ ପରାଜିତ ହୋଇଥଲା । କିନ୍ତୁ ବିଜୁଜନତା ଦଳ ଆସନ୍ତା ନିର୍ବାଚନରେ ତାହାକୁ ପରିବର୍ତ୍ତନ କରି ଦେଖାଇବେ । ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ । ଆଜି ଆନନ୍ଦ ଭବନ ନିକଟରେ ଥିବା ଖ୍ରୀଷ୍ଟିଆନ ପଡିଆରେ ଆୟୋଜିତ ବିଜୁ ଜନତା ଦଳର 26ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏପରି ସଂକଳ୍ପ ନେଇଛି ବିଜେଡି । ଗତ ପୌରନିର୍ବାଚନ ସମୟରେ ବିଜେଡି ବାରବାଟୀରେ ଦେଖାଇଥିଲା ତାର ଦମ୍ ।
ଏହି ନିର୍ବାଚନ ମଣ୍ଡଳୀରୁ ବିଜେଡି 28ଟି କର୍ପୋରେଟର ଆସନରେ ବିଜୟ ହାସଲ କରିଛି । ତେଣୁ ଆସନ୍ତା 2024ରେ ବିଜେଡି ଜିତିବା ଏକ ପ୍ରକାର ନିଶ୍ଚୟ ହୋଇ ସାରିଥିବା ସମୀକ୍ଷକ ମତ ଦେଉଛନ୍ତି । ଏହାକୁ ନେଇ ବିଜେଡି ବିଧାୟକ ଓ କଟକ ଜିଲ୍ଲା ସଭାପତି କହିଛନ୍ତି ଯେ, କଟକର ବିକାଶ ଦିଗରେ ରାଜ୍ୟ ସରକାର ଯେଉଁ ତତ୍ପରତା ଦେଖାଉଛନ୍ତି ତାହାକୁ ନେଇ କଟକବାସୀ ସର୍ବଦା ଋଣୀ । ସେ ବସ ଟର୍ମିନାଲ ହେଉ କି ଏସିବି ମେଡିକାଲ ସମ୍ପ୍ରସାରଣ । ସବୁ ବିକାଶମୂଳକ କାର୍ଯ୍ୟ କଟକରେ ଜାରି ରହିଛି । ଯେହେତୁ ବିଜୁ ପଟ୍ଟନାୟକଙ୍କ ଜନ୍ମ ମାଟି ହେଉଛି କଟକ ।
ସେଥିପାଇଁ ମୁଖ୍ୟମନ୍ତ୍ରୀ କଟକକୁ ସର୍ବଦା ଫୋକସରେ ରଖିଛନ୍ତି । କଟକର ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ସବୁ ଦିଗକୁ ନୂଆ ରୂପ ଦେବା ଲାଗି ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବିଶେଷକରି ତାଳଦଣ୍ଡା କେନାଲରେ ପର୍ଯ୍ୟଟନକୁ ରଖିବା । ତାହା ମଧ୍ୟ ଏକ ନୂତନ ପରିଚୟ ସୃଷ୍ଟି କରିବ । ଏହି ପ୍ରରିପ୍ରେକ୍ଷୀରେ କଟକରେ ଆସନ୍ତା 2024 ନିର୍ବାଚନ ବିଜେଡି ପକ୍ଷରେ ହିଁ ଯିବ ବୋଲି କହିଛନ୍ତି ବିଜେଡି ନେତାଏ ।
ଏ ସମ୍ପର୍କରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା କହିଛନ୍ତି,"କଟକରେ ବିଜୁ ଜନତା ଦଳର 26ତମ ପ୍ରତିଷ୍ଠା ଦିବସ ପାଳିତ ହେଉଛି । ଏନେଇ ଜିଲ୍ଲା ବିଜେଡ଼ି ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ମୁଁ ଧନ୍ୟବାଦ ଦେଉଛି । ତାଙ୍କରି ନେତୃତ୍ବରେ ଆଜି କଟକ ସହରରେ ଆମର ୨୬ତମ ପ୍ରତିଷ୍ଠା ଦିବସ ପାଳନ ହେଉଛି । ବିଜୁ ଜନତା ଦଳ ୨୫ ବର୍ଷ ପୂରଣ କରିଛି ଏବଂ ଆମେ 26ତମ ପ୍ରତିଷ୍ଠା ଦିବସ ପାଳନ କରୁଛୁ । ନିକଟରେ ଅର୍ବାନ ଇଲେକସନରେ କଟକ ସହରରେ ବିଜୁ ଜନତା ଦଳ ବହୁ ସଫଳତା ସହ ନିର୍ବାଚନ ଲଢିଥିଲା । ବିଜୁ ଜନତା ଦଳ ସଂଗଠନକୁ ଆମେ ମଜଭୁତ କରିବା ସହିତ କଟକ ସହରକୁ ଏକ ନୂଆ ରୂପରେଖ ଦେବା ପାଇଁ ଆମ ସମସ୍ତଙ୍କର ଉଦ୍ୟମ ରହିଛି । ଆମର ପ୍ରିୟ ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକର ଏହି ଜନ୍ମସ୍ଥାନକୁ ଅଧିକ ରୁ ଅଧିକ ଉନ୍ନତି କରିବା ପାଇଁ ଚେଷ୍ଟା ଚାଲିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କର ସମସ୍ତ ସହଯୋଗ ରହିଛି। ହଜାରେ ବର୍ଷ ପୂରୁଣା କଟକ ସହର ଆଜି ଗୋଟେ ନୂଆ ରୂପ ନେବାକୁ ଯାଉଛି । ତେବେ ଆଜି ଏଠାରେ ଯେଉଁ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ପ୍ରତିଷ୍ଠା ଦିବସ ତାହା ଏକ ପ୍ରତିଷ୍ଠା ଦିବସ ନୁହେଁ ତାହା ଆମ ପାଇଁ ଏକ ସଂକଳ୍ପ ଦିବସ ।"
ଇଟିଭି ଭାରତ, କଟକ