କଟକ :ବାଇକ ଲୁଟେରାଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଦୀର୍ଘ ଦିନ ଧରି ପୋଲିସ ହାତରୁ ଖସିବା ପରେ ଆଜି ସେହି ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି ମଧୁପାଟଣା ଥାନା ପୋଲିସ । ଗିରଫ ସମୟରେ ଅଭିଯୁକ୍ତ ନିକଟରୁ 7ଟି ବାଇକ୍ ଓ ଦୁଇଟି ସାଇକେଲ ପୋଲିସ ଜବତ ହୋଇଛି । ତେବେ କଟକ ମଧୁପାଟଣା ଥାନା ଅଧୀନରେ ଥିବା ଦରଘା ପାଟଣା ଅଞ୍ଚଳରେ ଜଣେ ବ୍ୟକ୍ତି ନିଜର ବାଇକ ରଖି କାମରେ ଯାଇଥିଲା । ହେଲେ ଫେରିବା ପରେ ବାଇକଟି ସେଠାରେ ନ ଥିଲା । ଆଉ ଦୀର୍ଘ ସମୟ ଧରି ପଚରାଉଚରା ପରେ ନିରାଶ ହୋଇ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ କୃଷ୍ଣ ଚନ୍ଦ୍ର ଭୂୟାଁ । ତେବେ ଗାଡି ଚୋରି ହୋଇଯାଇଥିବା ଅଭିଯୋଗ କରିବା ପରେ ଖୋଳତାଡ ଆରମ୍ଭ କରିଥିଲା ପୋଲିସ ।
ଏନେଇ ବିଶ୍ଵସ୍ତ ସୂତ୍ର ଆଧାରରେ ଅଭିଯୁକ୍ତ ବିନୋଦ ବରାଦକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ଏହାପରେ ଯେତେବେଳେ ପୋଲିସ ପଚରଉଚରା କରିଥିଲା ସେ ସମୟରେ ଗୋଟିଏ ପରେ ଗୋଟିଏ ଗାଡ଼ି ଓ ସାଇକେଲ ସମ୍ପର୍କରେ ସୂଚନା ଦେଇଥିଲା ବିନୋଦ । ଏହାପରେ ସମସ୍ତ ଗାଡ଼ି ଓ ସାଇକେଲଗୁଡ଼ିକୁ ପୋଲିସ ଜବତ କରିବାରେ ସକ୍ଷମ ହୋଇଥିଲା । ବିଶେଷ କରି ଏକ ମାଷ୍ଟର ଚାବିର ବ୍ୟବହାର କରି ଗାଡ଼ିଗୁଡ଼ିକୁ ଚୋରି କରୁଥିଲା ଲୁଟେରା ।