କଟକ: ଆସନ୍ତା ୫ ତାରିଖରେ ରାଜ୍ୟ ସରକାର ପାଳନ କରିବାକୁ ଯାଉଛନ୍ତି ନିଜର ୨୦ ବର୍ଷ ପୂର୍ତ୍ତି ଉତ୍ସବ । ଏହା ସହ ସେହିଦିନ ପଞ୍ଚାୟତରାଜ ଦିବସ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ ମଧ୍ୟ ପାଳିତ ହେବ । ଏଥିପାଇଁ କଟକରେ ଆୟୋଜନ କରାଯାଇଛି ଏକ ବିରାଟ କାର୍ଯ୍ୟକ୍ରମ । ଏପଟେ ମଙ୍ଗଳବାର ଏନେଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପ୍ରଶାସନ ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ ।
ମାର୍ଚ୍ଚ 5ରେ ବିଜେଡିର 20 ବର୍ଷ ପୂର୍ତ୍ତି, ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ନିଜର ୨୦ ବର୍ଷର ପୂର୍ତ୍ତି ଉତ୍ସବ ପାଳନ କରିବେ ରାଜ୍ୟ ସରକାର । ଏଥିପାଇଁ ବାଲିଯାତ୍ରା ପଡିଆରେ ଏକ ବିରାଟ ଉତ୍ସବର ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦେବେ । ଏହି ଉତ୍ସବରେ କଟକ ସମେତ ୫ଟି ଜିଲ୍ଲାର ପ୍ରାୟ ୫୦ ରୁ ୬୦ ହଜାର ଲୋକଙ୍କ ସମାଗମ ହେବ । ଏହି କାର୍ଯ୍ୟକ୍ରମକୁ ଆଉ ଗୋଟିଏ ଦିନ ହାତରେ ଥିବା ବେଳେ ମଙ୍ଗଳବାର ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଛି ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଏହି ଦିନିଆ କଟକ ଗସ୍ତ ପାଇଁ ଚଳଚଞ୍ଚଳ ତଳ ବାଲିଯାତ୍ରା ପଡିଆ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଏସସିବି ମେଡିକାଲର ନବକଳେବର ପାଇଁ ଆରମ୍ଭ ହେବାକୁ ଥିବା ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ ସହ କଟକ ରିଙ୍ଗ ରୋଡର ପ୍ରଶସ୍ତିକରଣ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଗୋଟିଏ ପଟେ ବାଲିଯାତ୍ରା ପଡିଆରେ ପ୍ରାୟ ୬୦ ହଜାର ଲୋକଙ୍କ ସମାଗମ ଓ ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ଥିବାରୁ ଏଥିପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ତତ୍ପରତା ପ୍ରକାଶ ପାଇଛି ।
ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଉପଲବ୍ଧି କଣ ରହିଛି ଏବଂ ରାଜ୍ୟବାସୀଙ୍କ ପାଇଁ ସରକାର କଣ ସବୁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଏସବୁର ବିସ୍ତୃତ ବିବରଣୀ ସାଙ୍ଗକୁ ସରକାରଙ୍କ ବିଭିନ୍ନ ୟୋଜନାର ସଫଳ ରୂପାୟନ ବିଷୟରେ ଏହି ମଞ୍ଚରେ ବଖାଣିବେ ମୁଖ୍ୟମନ୍ତ୍ରୀ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ