କଟକ:ଭୁବନେଶ୍ୱର ହିଟ୍ ଆଣ୍ଡ ରନ୍ ଘଟଣା । ଆଖି ବୁଜିଲେ ରେଞ୍ଜ ରୋଭର ଗାଡ଼ିରେ ଦୁର୍ଘଟଣା ଶିକାର ହୋଇଥିବା ଯୁବତୀ ଲୋପାମୁଦ୍ରା । କଟକରେ ଚିକିତ୍ସାଧୀନ ଅବସ୍ଥାରେ ଲୋପାମୁଦ୍ରା ସାହୁଙ୍କୁ ମୃତ୍ୟୁ ଘୋଷଣା କଲେ ଡାକ୍ତର । ଗତ ତିନି ଦିନ ହେବ ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ତାଙ୍କ ଅବସ୍ଥାରେ ଅଧିକ ଗୁରୁତର ଥିବା ବେଳେ ସେ ଆଜି ଆଖି ବୁଜିଛନ୍ତି । ତେବେ ମୃତ ଯୁବତୀଙ୍କ ଅଙ୍ଗ ଦାନ କରିବେ ପରିବାର । ତାଙ୍କର ଆଖି ଏବଂ କିଡନୀ ଦାନ କରାଯିବ ବୋଲି ପରିବାର ପକ୍ଷରୁ ସ୍ପଷ୍ଟ ହୋଇଛି ।
ସୂଚନା ଅନିସାରେ, ଗତ ୩୧ ତାରିଖ ଅପରାହ୍ନରେ ଭୁବନେଶ୍ୱରର ପାୱାର ହାଉସ ଛକରେ ଜନଗହଳି ସ୍ଥାନରେ ଏହି ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ବାଇକରେ ଥିବା ଦୁଇଜଣ ଗୁରୁତର ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ଜଣେ ପୁରୁଷ ଓ ମହିଳା ରହିଥିଲେ । ପୁରୁଷ ଜଣକ କଳିଙ୍ଗ ବିହାର ଅଞ୍ଚଳର ଅବସରପ୍ରାପ୍ତ ସିଆରପିଏଫ ଯବାନ କାହ୍ନୁ ଚରଣ ଓ ମହିଳା ଜଣକ ଲୋପାମୁଦ୍ରା ସାହୁ ବୋଲି ଜଣାପଡିଛି । ତେବେ କାହ୍ନୁଙ୍କର ଗୋଡ ଭାଙ୍ଗି ଯାଇଥିବାବେଳେ ମୁଣ୍ଡରେ ଆଘାତ ଲାଗିଥିଲା । ସେପଟେ ମହିଳାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଥିଲା । ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ସ୍ବାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତରଣ କରାଯାଇଥିଲା ।