କଟକ:ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ବସ୍ତି । ପାରଳାଖେମୁଣ୍ଡି SDJM କୋର୍ଟରେ ରୁଜୁ ମାମଲାରେ ଆଶ୍ବସ୍ତି ମିଳିଛି । ଗିରଫ ପାଇଁ ତଳକୋର୍ଟର ଜାରି ଜାମିନ ବିହୀନ ଗିରଫ ପରୱାନା(NBW) ଉପରେ ରୋକ୍ ଲଗାଇଛନ୍ତି ହୋଇକୋର୍ଟ । ପରବର୍ତ୍ତୀ ଶୁଣାଣି ମଧ୍ୟରେ ଆବେଦନକାରୀଙ୍କ ବିରୋଧରେ କୌଣସି କଠୋର ପଦକ୍ଷେପ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଆସନ୍ତା ଜୁଲାଇ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । SDJM କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ବାରସ୍ତ ହୋଇଥିଲେ ବିଦ୍ୟାଭାରତୀ । ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପୂର୍ବରୁ DFO ସଂଗ୍ରାମ କେଶରୀ ବେହେରାଙ୍କୁ ଆଶ୍ବସ୍ତି ମିଳିଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସୌମ୍ୟରଞ୍ଜନଙ୍କ ମୃତ୍ୟୁ ତଦନ୍ତରେ ଅସନ୍ତୁଷ୍ଟ ହୋଇ ତାଙ୍କର ବାପା ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । କୋର୍ଟ ତାଙ୍କ ଆବଦେନକୁ ବିଚାର ପାଇଁ ଗ୍ରହଣ କରିଥିଲେ । DFO ସଂଗ୍ରାମ କେଶରୀ ବେହେରା, ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କରିଥିଲେ । ହେଲେ ବାରମ୍ବାର କୋର୍ଟଙ୍କ ସମନ ପରେ ଅଭିଯୁକ୍ତମାନେ ହାଜର ହେଉନଥିଲେ । ଯାହାକୁ ନେଇ ଅଦଲାତ ୩ ଜଣଙ୍କ ବିରୋଧରେ ଜାମିନ ବିହୀନ ଗିରଫ ୱାରେଣ୍ଟ ଜାରି କରିଥିଲେ । ଆସନ୍ତା ୭ ତାରିଖରେ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏହାମଧ୍ୟ ପଢନ୍ତୁ: ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: 3 ଅଭିଯୁକ୍ତଙ୍କ ବିରୁଦ୍ଧରେ NBW ଜାରି