କଟକ:ଆଉ ଗୋଟିଏ ଦିନ ପରେ ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ବକପର ଉଦଘାଟନୀ ଉତ୍ସବ । ବିଶ୍ବକପ ହକି ଉଦଘାଟନୀ ପୂର୍ବରୁ ବାରବାଟୀର ସ୍ଥିତି ପରଖିବା ସହ ସମୀକ୍ଷା କଲେ 5T ସଚିବ ଭି କେ ପାଣ୍ଡିଆନ । ସବୁ ଦିଗକୁ ସମୀକ୍ଷା କରିବା ସହ ସଫଳ ଆୟୋଜନ ନେଇ ପ୍ରଶାସନ ସହ ଆଲୋଚନା କରିଛନ୍ତି 5ଟି ସଚିବ ।
ତେବେ ଏହି ଆଲୋଚନା ସମୟରେ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ , କ୍ରୀଡା ସଚିବ ଭିନିଲ କ୍ରିଷ୍ଣ। , କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପିନାକ ମିଶ୍ର, ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଚୌଦ୍ବାର କଟକ ବିଧାୟକ ସୌଭିକ ବିଶ୍ୱାଳ, ଓସିଏର ସମ୍ପାଦକ ସଞ୍ଜୟ ବେହେରା, ଓସିଏ ଉପ ସଭାପତି ପଙ୍କଜ ଲୋଚନ ମହାନ୍ତି ପ୍ରମୁଖ ସାମିଲ ଥିଲେ।
ଅନ୍ୟପଟେ ହକି ବିଶ୍ବକପ ଉଦଘାଟନୀ ଉତ୍ସବକୁ ନେଇ କଟକ ସହର ଏବେ ଅତି ସୁନ୍ଦର ଭାବରେ ସଜେଇ ହେଲାଣି । ପ୍ରସ୍ତୁତି ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଉତ୍ସବକୁ ସୁନ୍ଦର ସରସ ଭାବରେ କରିବା ଲାଗି କ୍ରୀଡ଼ା ବିଭାଗ ଓ ପ୍ରଶାସନ ଏଥି ଲାଗି ସମସ୍ତ ପ୍ରୟାସ କରୁଛି । ବାରବାଟୀ ଷ୍ଟାଡିୟମରେ ଉଦଘାଟିତ ହେବାକୁ ଥିବା ହକି ବିଶ୍ବକପ ଉତ୍ସବ ପାଇଁ କମିଶନରେଟ ପୋଲିସ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ଆୟୋଜିତ ହକି ଉଦଘାଟନୀର ମହାକୁମ୍ଭରେ ଯୋଗ ଦେବା ପାଇଁ ବହୁ ବିଶିଷ୍ଟ ଅତିଥି ଓ ସେଲିବ୍ରେଟିମାନେ ଆସିବାର କାର୍ଯ୍ୟକ୍ରମ ରହିଛି । ତେଣୁ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ଏହାସହ ପାର୍କିଂ ବ୍ୟବସ୍ଥା ସୁବିଧା କରିବା ଦିଗରେ କାର୍ଯ୍ୟ କରାଯାଉଛି । ଉଦଘାଟନୀ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିବେ ସେଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଉଛି ।
ଇଟିଭି ଭାରତ, କଟକ