ଭୁବନେଶ୍ବର: 2019 ନିର୍ବାଚନ ପାଇଁ ଓଡିଶାରେ ଦୁଇଥର ପ୍ରଚାର କଲେଣି ମୋଦି । ଆସନ୍ତା 6ରେ ଆଉ ଥରେ ଆସୁଛନ୍ତି । ଓଡିଶା ନିର୍ବାଚନୀ ପ୍ରଚାରରେ ପ୍ରଧାନମନ୍ତ୍ରୀ ଏକ ଉଦହରଣକୁ ବେଶି ଗୁରୁତ୍ବ ଦେଉଥିବା ମନେ ହେଉଛି । ଯାହା ହେଉଛି 2018ର ତ୍ରିପୁରା ବିଧାନସଭା ନିର୍ବାଚନ । ମୋଦିଙ୍କ କହିବା କଥା ହେଲା ତ୍ରିପୁରା ପରି ଓଡିଶାରେ ବି ହେବାର ଅଛି । ସୁବର୍ଣ୍ଣପୁର ସମାବେଶରେ ବି ଏକଥା ଦୋହରାଇପାରନ୍ତି ମୋଦି । ଯାହାକୁ ନେଇ ଚର୍ଚ୍ଚା ସରଗରମ । ପ୍ରଶ୍ନ ତ୍ରିପୁରା ଉଦାହରଣ କାହିଁକି ।
ଏମିତି କ’ଣ ହୋଇଥିଲା ତ୍ରିପୁରା ନିର୍ବାଚନରେ । 2018 ବିଧାନସଭା ନିର୍ବାଚନ । ବିଜେପିକୁ ମିଳିଥିଲା ଆଶାତୀତ ସଫଳତା । 60 ଆସନରୁ 36 ଆସନ ହାତେଇଥିଲା ପୂର୍ବ ନିର୍ବାଚନରେ ଖାତା ଖୋଲିନଥିବା ଭାରତୀୟ ଜନତା ପାର୍ଟି । ମେଣ୍ଟ ସହଯୋଗୀ ଆଇପିଏଫଟି ମଧ୍ୟ 8 ଆସନ ପାଇଥିଲା । ଅର୍ଥାତ ଏହି ମେଣ୍ଟକୁ ମିଳିଥିଲା 73 ପ୍ରତିଶତ ଆସନ । ଏକାକୀ ବିଜେପି ହାତେଇଥିଲା 60 ପ୍ରତିଶତ ଆସନ । 25 ବର୍ଷ ଧରି ରାଜ କରିଥିବା ବାମଦଳକୁ ଗାଦିଚ୍ୟୁତ କରିବାରେ ସଫଳ ହୋଇଥିଲା ବିଜେପି । 2013ରେ 49 ଆସନ ପାଇଥିବା ସିପିଏମକୁ ମାତ୍ର 16 ଆସନ ମିଳିଥିଲା । ହଟିଥିଲା ମାଣିକ ସରକାର। ଯାହାକୁ ନେଇ ଓଡିଶାକୁ ଏବେ ତୁଳନା କରୁଛନ୍ତି ମୋଦି ।
ମୋଦିଙ୍କ କହିବା କଥାହେଲା, ତ୍ରିପୁରାରେ ଯାହାହେଲା ଓଡିଶାରେ ବି ତାହାହେବ । ଅର୍ଥାତ ମୋଦି ନିଜେ ସ୍ବୀକାର କରୁଛନ୍ତି ତ୍ରିପୁରାରେ ତାଙ୍କୁ ସବୁଠୁ ବଡ ସଫଳତା ମିଳିଛି । ନିଜର ଅସ୍ଥିତ୍ବ ନଥିବା ରାଜ୍ୟରେ 73 ପ୍ରତିଶତ ଆସନ । କିନ୍ତୁ କଥା ହେଲା ଓଡିଶାରେ ବିଜେପିର ସ୍ଥିତି ସେତେ ଖରାପ ନୁହେଁ । ତଥାପି ମଧ୍ୟ ତ୍ରିପୁରା ସହ ତୁଳନା କାହିଁକି । ନିର୍ବାଚନ ପୂର୍ବରୁ ନେତା ବାହାସ୍ପୋଟ ମାରିବା ସ୍ୱାଭାବିକ କଥା । ଏଥିରେ ସର୍ବନିମ୍ନ ନୁହେଁ ସର୍ବାଧିକ ହିଁ ସ୍ଥାନ ପାଇଥାଏ । ଠିକ ଯେମିତି ଓଡିଶାକୁ ନେଇ ଶାହାଙ୍କ ମିଶନ 120 ପ୍ଲସ (81 ପ୍ରତିଶତ ଆସନ) । ମୋଦି କିନ୍ତୁ ନିଜର ସର୍ବାଧିକ ଆକଳନ ତ୍ରିପୁରାକୁ ନେଇ କରୁଛନ୍ତି । ଅର୍ଥାତ ତ୍ରିପୁରା ପରି ଓଡିଶାରେ ବି ଦଳ 73 ପ୍ରତିଶତ ଆସନ ପାଇପାରେ । ଅର୍ଥାତ ଶାହାଙ୍କ ଆକଳନଠୁ ଢେର କମ ।