ଭୁବେନଶ୍ବର: ରାଜଧାନୀରେ ଥିବା ଏକ ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରୀନିବାସରେ ତିନି ଜଣ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଶୁକ୍ରବାର ବିଧାନସଭାରେ ପ୍ରତିକ୍ରିୟା ରଖିଛନ୍ତି ଆଦିବାସୀ ଉନ୍ନୟନ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରିକା । ଏହି ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ।
ଶୂନ୍ୟକାଳରେ ଏ ସମ୍ପର୍କରେ ଗୃହକୁ ଅବଗତ କରି ମନ୍ତ୍ରୀ କହିଛନ୍ତି ଯେ, ପ୍ରତି ବର୍ଷ ଗ୍ରୀଷ୍ମ ଛୁଟିରୁ ଫେରିବା ପରେ ସବୁ ଛାତ୍ରାବାସରେ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥାଏ । ଚଳିତ ବର୍ଷ ମଧ୍ୟ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଇଥିଲା । ଖୋର୍ଦ୍ଧା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ 4 ଜଣ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କ୍ୟାପିଟାଲ ହସ୍ପିଟାଲରେ କରାଯାଇଥିଲା ।
ଫଟୋ ସୌଜନ୍ୟ: ବ୍ୟୁରୋଚିଫ୍, ଭୁବନେଶ୍ବର ସେମାନଙ୍କ ମଧ୍ୟରୁ ଜଣେ ଗର୍ଭବତୀ ଥିବା ଜଣାପଡିଥିଲା । ଏନେଇ କରାଯାଇଥିବା ତଦନ୍ତରୁ ଜଣାପଡିଛି ଯେ, ଗ୍ରୀଷ୍ମଛୁଟିରେ ଘରକୁ ଯାଇଥିବା ବେଳେ ପଡୋଶୀ ଘରର ଜଣେ ଯୁବକଙ୍କ ସହ ସମ୍ପର୍କ ରଖିଥିଲେ ଗର୍ଭବତୀ ହୋଇଥିବା ନାବାଳିକା । ଏ ଘଟଣା ସମ୍ପର୍କରେ ଜଣାପଡିବା ପରେ ପୀଡିତାଙ୍କ ପରିବାରକୁ ଅବଗତ କରାଯିବା ସହ ଏଥିରେ ଜଡିତ ଥିବା ଯୁବକକୁ ଗିରଫ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ଜଣାଇଛନ୍ତି ।
ଫଟୋ ସୌଜନ୍ୟ: ବ୍ୟୁରୋଚିଫ୍, ଭୁବନେଶ୍ବର
ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ 1670ଟି ବିଦ୍ୟାଳୟ ପରିଚାଳିତ ହେଉଥିବା ବେଳେ 6500ଟି ଛାତ୍ରାବାସ ପ୍ରତିଷ୍ଠା ହୋଇଛି । ପ୍ରାୟ 5.93 ଲକ୍ଷ ଛାତ୍ରଛାତ୍ରୀ ଏଠାରେ ପାଠ ପଢୁଛନ୍ତି । ଗତ ଜାନୁଆରୀ ଓ ଫେବୃଆରୀରେ ମଧ୍ୟ ମୟୁରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାରୁ ଏଭଳି ଦୁଇଟି ଅଭିଯୋଗ ଆସିଥିଲା । ପରେ ଏନେଇ କରାଯାଇଥିବା ତଦନ୍ତରୁ ଜଣା ପଡିଥିଲା ଯେ, ଏଠାକାର ଦୁଇ ଛାତ୍ରୀ ଛୁଟିରେ ଘରକୁ ଯାଇଥିବା ବେଳେ ଗର୍ଭବତୀ ହୋଇଥିଲେ ।
ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ