ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର, ପୁଣି ରାଜ୍ୟର ମନ୍ଦିରମାଳିନୀ ସହର ଦେଶର ପ୍ରଥମ ସ୍ମାର୍ଟ ସିଟି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନ, ପ୍ରଯୁକ୍ତି ବିଦ୍ୟା, କଳା ସଂସ୍କୃତିର ଅନେକ ସମ୍ଭାର ନେଇ ବଢୁଥିବା ସହର ହେଉଛି ଭୁବନେଶ୍ୱର । ସେଥିପାଇଁ ଏହି ସହରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ବର୍ଗର ଲୋକ ପ୍ରତିଦିନ ଛୁଟି ଆସିଥାନ୍ତି । ଯେଉଁଥି ପାଇଁ ସହରର ବିକାଶ ଦୃତଗତିରେ ବୃଦ୍ଧି ପାଇବା ସହ ସବୁକ୍ଷେତ୍ରରେ ପରିର୍ବତ୍ତନ ଘଟୁଛି । ମନ୍ଦିର ମାଳିନୀ ସହରରୁ ସ୍ମାର୍ଟ ସିଟି ଆଡକୁ ବଢୁଛି ଭୁବନେଶ୍ୱର, ଯଦ୍ୱାରା ସବୁକ୍ଷେତ୍ରରେ ସ୍ମାର୍ଟ ହେଉଛି ସହର । କିନ୍ତୁ ସ୍ମାର୍ଟ ହେଇପାରୁନି ସହରର ସୁରକ୍ଷା ବ୍ୟବସ୍ଥା ।
ପ୍ରତିଦିନ ଏଠି ଘଟୁଛି ଘଟଣା । ଦୁର୍ଘଟଣା ଏହାସହ ସ୍ମାର୍ଟ ସିଟିରେ ବଢିଚାଲିଛି ଚୋରି, ଡକାୟତି, ହତ୍ୟା ଓ ମହିଳାଙ୍କୁ ଅସଦାଚରଣ । ଦୀର୍ଘ ଦିନରୁ ଘଟିଥିବା ଘଟଣାରେ ପୋଲିସକୁ ସଫଳତା ମିଳିନଥିବା ବେଳେ ଦିନକୁ ଦିନ ଘଟି ଚାଲିଛି ନୂଆ ନୂଆ ଘଟଣା ଯାହା ପୋଲିସର ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତ ଏକମାସ ମଧ୍ୟରେ ସହରରେ ମାତ୍ରାଧିକ ଭାବେ ବଢିଚାଲିଛି ଲୁଣ୍ଠନ ଯାହାର ଶିକାର ହୋଇଛନ୍ତି ବରିଷ୍ଠ ନାଗରିକ, ବ୍ୟବସାୟୀ, ମହିଳା, ସାଧାରଣ ନାଗରିକ ଓ ଅବସରପ୍ରାପ୍ତ ସୈନିକ । ସବୁ ଘଟଣାର ପୋଲିସ ତଦନ୍ତ କରୁଥିଲେ ମଧ୍ୟ ଅପରାଧିଙ୍କ ଆଗରେ ସ୍ମାର୍ଟ ସିଟିର ଲଢୁଆ ପୋଲିସ ଅସହାୟ ।
ଘଟଣା ନଂ1
ଭୁବନେଶ୍ୱରର ଗୁରୁତ୍ବପୂର୍ଣ୍ଣସ୍ଥାନ କୁହାଯାଉଥିବା ଚନ୍ଦ୍ରଶେଖରପୁର ଅଞ୍ଚଳରେ ରୁହନ୍ତି ପ୍ରତିରକ୍ଷା ବିଭାଗରୁ ଅବସର ନେଇଥିବା ସେନା କର୍ମଚାରୀ । ଏହି ଅଫିସରଙ୍କ ଘରେ ଦୁର୍ବୃତ୍ତ ପଶି ଲୁଟିନେଇଛନ୍ତି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଏହି ଡକାୟତ ଘଟଣାର ସମସ୍ତ କାରନାମା ସିସିଟିଭିରେ କଏଦ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୋଲିସ ହାତ ଖାଲି ।
ଘଟଣା ନଂ2
ଉତ୍କଳ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ବିଭାଗର ଜଣେ ଛାତ୍ରୀ ମଧ୍ୟାହ୍ନ ୧୨ଟାରେ ଭିଏସଏସ ନଗର ସ୍କୁଲ ନିକଟରେ ଏକୁଟିଆ ଅଟୋକୁ ଅପେକ୍ଷା କରିଥିଲେ । ସେହି ସମୟରେ ନିକଟସ୍ଥ ଗଳିରୁ ବାହାରି ଦୁଇ ଯୁବକ ଛାତ୍ରୀଙ୍କ ଠାରୁ ଲୁଟ ଉଦ୍ୟମ କରିଥିଲେ । ଠେଲାପେଲା ମଧ୍ୟରେ ଯୁବତୀଙ୍କ ମୋବାଇଲ ଫୋନ ଲୁଟି ନେଇଥିଲେ ଲୁଟେରା। ଏନେଇ ଯୁବତୀ ଜଣକ ସହିଦନଗର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଲୁଟେରାଙ୍କ କୌଣସି ସୁରାକ ପାଇନି ।