ଓଡିଶା

odisha

ETV Bharat / state

କଂଗ୍ରେସ ବିଧାୟକ ହାତ ଛାଡିବାର ଅସଲ କାରଣ କଣ? - କଂଗ୍ରେସ ବିଧାୟକ

କାହିଁକି ଦଳ ଛାଡୁଛନ୍ତି କଂଗ୍ରେସ ବିଧାୟକ ? ଦଳ ଛାଡିବା ପଛର ଭିତରି କାରଣ କ’ଣ ? ସଗରିଆ, ନବ, ଯୋଗେଶ ଦଳ ଛାଡି ଅନ୍ୟ ଦଳକୁ ଡିଆଁ ମାରିଥିଲେ । ଆଉ ଏବେ ସାଲେପୁର ବିଧାୟକ ପ୍ରକାଶ ବେହେରା । ଦଳ ଛାଡିଛନ୍ତି । କ’ଣ ରହିଛି ଦଳ ଛାଡିବା ପଛର ଅସଲ କାରଣ ?

ଡିଜାଇନ ଫଟୋ

By

Published : Mar 16, 2019, 3:18 PM IST

ଭୁବନେଶ୍ବର: କିଛିଦିନ ପୂର୍ବରୁ କ୍ରମାନ୍ବୟରେ 3 କଂଗ୍ରେସ ବିଧାୟକ ଦଳ ଛାଡିଥିଲେ । ଆଉ ଆଜି ସାଲେପୁର ବିଧାୟକ ପ୍ରକାଶ ବେହେରା ବି ଦଳରୁ ଇସ୍ତଫା ଦେଇଛନ୍ତି । ରାଜନୀତି ମଇଦାନରେ ଏବେ କଂଗ୍ରେସ ଯେ ଏକ ପ୍ରକୃଷ୍ଠ ମାଧ୍ୟମ ନୁହେଁ, ହୁଏତ ଏନେତା ମାନେ ଏପରି କିଛି ବୁଝିଛନ୍ତି । ଦୁଇ ଶଙ୍ଖ ଫୁଙ୍କିଥିବା ବେଳେ ଜଣେ ହାତୀ ପିଠିରେ ବସିଛନ୍ତି । ହେଲେ ପ୍ରକାଶ କେଉଁ ଦଳକୁ ଯିବେ, କିଛି କହିନାହାଁନ୍ତି । ଆଉ କିଛି ଦଳ ଡେଇଁବାକୁ ପ୍ରସ୍ତୁତ ହେଉଛନ୍ତି । କେତେବେଳେ ବି କୁଦ ମାରିପାରନ୍ତି । ହୁଏତ ଆଉ ଅଳ୍ପଦିନ ଭିତରେ ଏହା ସ୍ପଷ୍ଟ ହୋଇଯିବ ।

ନିଜ ଇସ୍ତଫା ପତ୍ରରେ ପ୍ରକାଶ ଯାହାସବୁ ଦର୍ଶାଇଛନ୍ତି, ତାହା ଚିରାଚରିତ ଅଭିଯୋଗ । ନିର୍ବାଚନୀ ବର୍ଷରେ ଅଣଦେଖାର ଅଭିଯୋଗରେ କିଛି ନୂତନ୍ବତ ଥିଲାପରି ମନେ ହୁଏନାହିଁ । ଆହୁରି ମଧ୍ୟ, ପିସିସି ସଭାପତିଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ରାଜ୍ୟ କଂଗ୍ରେସ ନେତାଙ୍କ ପାଇଁ ଏକ ଅଭ୍ୟାସଗତ ପ୍ରସଙ୍ଗ । ହେଲେ ବିଧାୟକଙ୍କ ଦଳ ଛାଡିବାରେ କିଛି ଅଲଗା କାରଣ ରହୁଥିବା ବାରି ହେଉଛି ।

2014 ସାଧାରଣ ନିର୍ବାଚନ । କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଥିଲା ଅଗ୍ନିପରୀକ୍ଷା । ସାରା ଦେଶରେ ବହୁଥିଲା ମୋଦି ଲହରୀ । ଏପଟେ ରାଜ୍ୟରେ ନବୀନଙ୍କ ଲୋକପ୍ରିୟତା ଶୀର୍ଷରେ ପହଞ୍ଚି ସାରିଥିଲା । ଆଉ ଏଭଳି ସମୟରେ ବି କିଛି ନେତା ଥିଲେ, ଯେଉଁମାନେ କଂଗ୍ରେସକୁ ସମ୍ମାନଜନକ ଆସନ ଦେବାରେ ସଫଳ ହୋଇଥିଲେ । ରାଜ୍ୟରେ କଂଗ୍ରେସକୁ ମିଳିଥିଲା 16ଟି ଆସନ । ଦଳ ଦ୍ବିତୀୟ ସ୍ଥାନ ବଜାଇ ରଖି ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଥିଲା । କେବଳ ଦଳର ହାୱା ନୁହେଁ, ନିଜର ବ୍ୟକ୍ତିତ୍ବଦ୍ବାରା ମଧ୍ୟ ନିର୍ବାଚନରେ ବିଜୟୀ ହେବା ସମ୍ଭବ, ରାଜ୍ୟ କଂଗ୍ରେସକୁ ଏଭଳି କିଛି ଆଭାସ ଦେଇଥିଲେ ଏହି ବିଧାୟକଗଣ ।

ହେଲେ ଆଜି ସ୍ଥିତି ବଦଳିଛି । ଦଳ ଟିକେଟ ଯାଚୁଛି । ନାଁ ବି AICC କୁ ସୁପାରିସ କରୁଛି । ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ଦଳର ହାୱା ବି ରହିଛି । ତଥାପି ମଧ୍ୟ କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଆଉ ବିଧାୟକଙ୍କ ମନବଳୁନି।

ବୋଧେ ଏହାର ଦୁଇଟି କାରଣ ହୋଇପାରେ । ପ୍ରଥମତଃ ନିଜ ଉପରେ ବିଶ୍ବାସ ହରାଇ ସାରିଛନ୍ତି ଦଳ ଛାଡୁଥିବା କଂଗ୍ରେସ ବିଧାୟକ । ନିଜ ଦମରେ ଦଳକୁ ଜିତାଇବାକୁ ଆଉ ଭରଷା ପାଉନି। କଂଗ୍ରେସର ସ୍ଥିତି ଯାହା, ହାତ ଚିହ୍ନ ଯେ ନେତାଙ୍କୁ ନିର୍ବାଚନୀ ବୈତରଣୀ ପାର କରାଇବ, ସେମିତି ବି ମନେ ହେଉନି । ଯେଉଁଥି ପାଇଁ ଅନ୍ୟ ଚିହ୍ନର ସାହାରା ଖୋଜୁଛନ୍ତି କଂଗ୍ରେସ ବିଧାୟକ ।

ଦ୍ବିତୀୟ କାରଣ ଏପରି କିଛି ହୋଇପାରେ । କଂଗ୍ରେସ ବିଧାୟକ ବୁଝିସାରିଛନ୍ତି, ନବୀନ ନିବାସ ଓ ବିଜେପି ରାଜ୍ୟ କାର୍ଯ୍ୟାଳୟରେ କିପରି ଟିକଟ ଖଣ୍ଡେ ପାଇଁ ଲମ୍ବାଧାଡି ଲମ୍ବିଛି । ବହୁ ବିଧାୟକ ଏବଂ ସାଂସଦ ମଧ୍ୟ ଟିକେଟ ପାଇଁ ଘଣ୍ଟା ଘଣ୍ଟା କସରତ କରୁଛନ୍ତି । ନବୀନ ଯେ ଏବେ ସବୁଠୁ ବଡ ବ୍ରାଣ୍ଡ, ତାହା ସମସ୍ତେ ବୁଝିସାରିଛନ୍ତି । ଆଉ ଯଦି ଏପରି ରେସରେ ଲବି କରି ଟିକେଟ ଖଣ୍ଡେ ମିଳିପାରୁଛି, ତାହେଲେ ସେ ସୁଯୋଗ ବୋଧେ ହାତଛଡା କରିବାକୁ ଚାହୁଁନାହାଁନ୍ତି କିଛି କଂଗ୍ରେସ ବିଧାୟକ । ସେମିତିରେ ବି ଯଚେଇ ହୋଇ ମିଳିବା ଅପେକ୍ଷା ଛଡେଇ ଆଣି ଖାଇବାରେ ବେଶି ମଜା ମିଳିଥାଏ । ପ୍ରକାଶଙ୍କ କ୍ଷେତ୍ରରେ ମଧ୍ୟ ଏପରି କିଛି ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ନ୍ୟୁଜ

For All Latest Updates

ABOUT THE AUTHOR

...view details