ଓଡିଶା

odisha

ETV Bharat / state

ଆସୁଛି ନିର୍ବାଚନ, ଭୋଟରଙ୍କୁ ଆକୃଷ୍ଟ କରିବାକୁ ପିସିସିର ପ୍ରୟାସ

ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଜୋରସୋରରେ ଚାଲିଛି କଂଗ୍ରେସର ପ୍ରସ୍ତୁତି । ଏନେଇ ନୂଆଦିଲ୍ଲୀ କାର୍ଯ୍ୟାଳୟରେ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ଜାତୀୟ ସଭାପତି ରାହୁଲ ଗାନ୍ଧୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Feb 10, 2019, 10:23 PM IST

ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଜୋରସୋରରେ ଚାଲିଛି କଂଗ୍ରେସର ପ୍ରସ୍ତୁତି । ଏନେଇ ନୂଆଦିଲ୍ଲୀ କାର୍ଯ୍ୟାଳୟରେ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ଜାତୀୟ ସଭାପତି ରାହୁଲ ଗାନ୍ଧୀ । ତେବେ ରାଜ୍ୟ ପିସିସି ସଭାପତି ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ଆଲୋଚନାରେ ଉପସ୍ଥିତ ରହିଛନ୍ତି ।

ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ କହିବା ଅନୁଯାୟୀ ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ବିଧାନସଭା ଓ ଲୋକସଭା ଆସନରୁ କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରଦାନ କରିବା ପାଇଁ ସଭାପତି ରାହୁଲ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଚଳିତ ମାସ ଶେଷ ସୁଦ୍ଧା କଂଗ୍ରେସର ପ୍ରାର୍ଥୀମାନଙ୍କ ତାଲିକା ଚୂଡ଼ାନ୍ତ ହେବ। ଆବଶ୍ୟକ ବୋଲି କହିଛନ୍ତି ରାହୁଲ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ତେବେ ଦଳର ପୂର୍ବ ନିଷ୍ପତ୍ତି ଅନୁଯାୟୀ ନିର୍ବାଚନରେ ତିନିଥର ପରାସ୍ତ ହୋଇଥିବା କଂଗ୍ରେସ ପ୍ରାର୍ଥୀ, ଅଧିକ ବ୍ୟବଧାନରେ ପରାଜିତ ପ୍ରାର୍ଥୀ ଓ ଗୋଟିଏ ପରିବାରର ଏକାଧିକ ପ୍ରାର୍ଥୀଙ୍କୁ ଟିକେଟ୍‌ ମିଳିବ ନାହିଁ । ତେଣୁ ଜିତିବା ସମ୍ଭାବନା ଅଧିକ ଥିବା ପ୍ରାର୍ଥୀଙ୍କୁ ଦଳ ଟିକେଟ୍ ଦେବ ବୋଲି ନରସିଂହ କହିଛନ୍ତି ।

ଆଗାମୀ ନିର୍ବାଚନକୁ ଦଳ ପାଇଁ ସହଜ କରିବା ପାଇଁ ମିସନ ମୋଡ୍‌ରେ ଓ ଆକ୍ରମଣାତ୍ମକ ଭଙ୍ଗୀରେ କାମ କରିବା ସହ ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିବାକୁ ହେବ । ଏଥିସହ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ମଧ୍ୟ ରାହୁଲ ଗୁରୁମନ୍ତ୍ର ଦେଇଥିବା ନରସିଂହ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଲୋଭନୀୟ ପ୍ରତିଶୃତି ଦେଇ ଚାଲିଛି ପ୍ରଦେଶ କଂଗ୍ରେସ କମିଟି । ପୂର୍ବରୁ ଓଡ଼ିଶା ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ୍‌ ପିଛା ୨୬୦୦ ଟଙ୍କା ଘୋଷଣା କରିଥିବା ବେଳେ ରବିବାର ଆହୁରି ଆକର୍ଷଣୀୟ ପ୍ରତିଶ୍ରୁତିର ପେଡ଼ି ଖୋଲିଛି ପିସିସି ।

ଯେଉଁଥିରେ ସର୍ବାଗ୍ରେ ରହିଛି ପ୍ରତି ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ କିମ୍ବା ବେସରକାରୀ ଚାକିରୀ ଯୋଗାଇବା । ଏଥିସହ ଭୋଟ ବିଭାଜନକୁ ଦୃଷ୍ଟିରେ ରଖି ସମଭାବାପନ୍ନ ଦଳମାନଙ୍କ ସହ ମେଣ୍ଟ କରିବା ନେଇ ନରସିଂହ ମିଶ୍ର ସୂଚନା ଦେଇଛନ୍ତି । ତେବେ କୃଷି, କୃଷକ ସମସ୍ୟା ଓ ଯୁବକଙ୍କୁ ରୋଜଗାର ସହିତ ଦୁର୍ନୀତି ନିବାରଣ ମୁଖ୍ୟ ପ୍ରସଙ୍ଗ ରହିବ ବୋଲି ନରସିଂହ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details