ଓଡିଶା

odisha

ETV Bharat / state

ରାଜଧାନୀର ଗହଳିରେ ପାର୍କ ସାଜିଛି ଚାଟଶାଳୀ

ଘରଠାରୁ ଦୂରରେ ରହିବା ସହ ଆର୍ଥିକ ଅଭାବ । ଏଭଳି କିଛି ପରିସ୍ଥିତିରୁ ଉଠି ଭଲ ଚାକିରୀ ଖଣ୍ଡେ ପାଇବା ପାଇଁ ସାହାରା ସାଜିଛି ପାଠ । ତେଣୁ ଜଣେ କି ଦୁଇ ଜଣ ନୁହେଁ ଅନେକ ଛାତ୍ରଛାତ୍ରୀଙ୍କୁ ନେଇ ରାଜଧାନୀର ପାର୍କ ସାଜିଛି ଏବେ ଚାଟଶାଳୀ ।

By

Published : Mar 17, 2019, 11:54 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଘରଠାରୁ ଦୂରରେ ରହିବା ସହ ଆର୍ଥିକ ଅଭାବ । ଏଭଳି କିଛି ପରିସ୍ଥିତିରୁ ଉଠି ଭଲ ଚାକିରୀ ଖଣ୍ଡେ ପାଇବା ପାଇଁ ସାହାରା ସାଜିଛି ପାଠ । ତେଣୁ ଦିନ ରାତି ଏକ କରି ପାଠ ପଢିବା ପାଇଁ ଏବେ ରାଜଧାନୀର ବିଭିନ୍ନ ପାର୍କରେ ଦେଖିବାକୁ ମିଳୁଛି ବିଦ୍ୟାର୍ଥୀଙ୍କ ଭିଡ । ଜଣେ କି ଦୁଇ ଜଣ ନୁହେଁ ଅନେକ ଛାତ୍ରଛାତ୍ରୀଙ୍କୁ ନେଇ ରାଜଧାନୀର ପାର୍କ ସାଜିଛି ଏବେ ଚାଟଶାଳୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବୁବନେଶ୍ବର

ଲାଗେ ସତେ ଯେମିତି ଗାଁ ଚାଟଶାଳୀର ଦୃଶ୍ୟ ପରି । ଗଛ ତଳେ ବସି ପାଠ ପଢୁଛନ୍ତି ଅନେକ ଛାତ୍ରଛାତ୍ରୀ । ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ । ଦଳ ଦଳ ହୋଇ ଏକାଠି ବସି ପଢୁଛନ୍ତି ଛାତ୍ରଛାତ୍ରୀ । ଏ ଦୃଶ୍ୟ ହେଉଛି ରାଜଧାନୀର ବିଭିନ୍ନ ପାର୍କର । ଯେଉଁଠି ଦେଖିବାକୁ ମିଳୁଛନ୍ତି ବିଭିନ୍ନ କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ।

ଏକାଠି ବସିବା ସହ ଖିଆ ପିଆ ଓ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ରହୁଥିବା ମେସ୍‌ ହେଉ କି ହଷ୍ଟେଲ, ସେଠାରେ ଶାନ୍ତ ପରିବେଶ ମିଳୁ ନଥିବାରୁ ପାଠ ପଢିବା ପାଇଁ ପାର୍କର ନିରୋଳା ପରିବେଶକୁ ଚାଲି ଆସୁଛନ୍ତି ଛାତ୍ରଛାତ୍ରୀ । ସୁଲୁସୁଲିଆ ପବନ ସାଙ୍ଗକୁ ଗଛର ଛାଇ । ପାଠ ପଢିବାକୁ ଚାହୁଁଥିବା ଅନେକ ଛାତ୍ରଛାତ୍ରୀଙ୍କୁ ଶୀତଳତା ସହ ଅନୁକୂଳ ପରିବେଶ ଯୋଗାଉଛି ସ୍ମାର୍ଟ ସିଟିର ପାର୍କ । ବ୍ୟାଙ୍କିଂ,ରେଲୱେ, ପୋଲିସ, ଓଏଏସ୍‌ ଓ ଆଇଏଏସ୍‌ ଭଳି ସିଭିଲ ସର୍ଭିସ ପାଇଁ ଏଠାରେ ପ୍ରସ୍ତୁତ ହେଉଛନ୍ତି ଛାତ୍ରଛାତ୍ରୀ ।

ରାଜଧାନୀରେ ଛାତ୍ରଛାତ୍ରୀଙ୍କ ପଢିବା ପାଇଁ ପ୍ରମୁଖ ଲାଇବ୍ରେରୀ ରହିଛି ସତ ହେଲେ ସେଠାରେ ନାହିଁ ପର୍ଯ୍ୟାପ୍ତ ସ୍ଥାନ । ଯେଉଁଥିପାଇଁ ପଢିବା ପାଇଁ ପାର୍କ ସାଜିଛି ସାହା । ତେବେ କେବଳ ପାର୍କ ନୁହେଁ ଲାଇବ୍ରେରୀ ବାହାର ପିଣ୍ଡା ସହ ସୂଚନା ଭବନ ଓ ରବିନ୍ଦ୍ର ମଣ୍ଡପ ପରିସର ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପାଲଟିଛି ଚାଟଶାଳୀ। କେବଳ ବର୍ଷା ଦିନ ଛାଡିଦେଲେ ବର୍ଷ ତମାମ ଏହି ସ୍ଥାନାମାନଙ୍କରେ ଦେଖିବାକୁ ମିଳେ ଛାତ୍ରଛାତ୍ରୀଙ୍କ ଭିଡ ।

ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ପାର କରି ପାର୍କ ଭଳି ସ୍ଥାନକୁ ଚାଟଶାଳୀରେ ପରିଣତ କରିଛନ୍ତି ଆଜିର ଯୁବପିଢି । ଅନ୍ୟପଟେ ସ୍ମାର୍ଟ ସିଟିର ସ୍ମାର୍ଟ ଷ୍ଟୁଡେଣ୍ଟଙ୍କ ପାଇଁ ସରକାର କେବେ ଯେ ସ୍ଥାୟୀ ବ୍ୟବସ୍ଥା କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details