ଭୁବନେଶ୍ବର: ଦୀର୍ଘ 20 ବର୍ଷର ବ୍ୟବଧାନ ପରେ ଅନ୍ୟ ଏକ ପ୍ରାକୃତିକ ବିପର୍ଯ୍ୟୟରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି ଓଡିଶା । ସାମୁଦ୍ରକି ଝଡ 'ଫନି' ମାଡରେ ଘାଇଲା ହୋଇଯାଇଛି ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ। ବ୍ୟାପକ ପରିମାଣରେ ହୋଇଛି କ୍ଷୟକ୍ଷତି । ଏଥିରେ ପ୍ରାୟ 35 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 1 କୋଟି 40 ଲକ୍ଷ 60 ହଜାର 602 ଲୋକ ଏବଂ 16074ଟି ଗ୍ରାମ ପ୍ରଭାବିତ ହୋଇଛି । କ୍ଷୟକ୍ଷତି ସମ୍ପର୍କରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପକ୍ଷରୁ ଜଣାଇ ଦିଆଯାଇଛି।
ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଥିଲା ସାମୁଦ୍ରକି ଝଡ 'ଫନି' ର ମୁକାବିଲା । ପ୍ରାୟ 14 ଲକ୍ଷ 18 ହଜାର 082 ଲୋକ ଏବଂ 24,889 ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। ଖାସକରି ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଯଥା ପୁରୀ, ଗଞ୍ଜାମ, କଟକ ଏବଂ ବାଲେଶ୍ବର ଆଦି ଜିଲ୍ଲାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଏହି ସାମୁଦ୍ରିକ ଝଡର ପ୍ରଭାବରେ ଅନେକ ସରକାରୀ ସମ୍ପତ୍ତି ନଷ୍ଟ ହୋଇଯାଇଛି । ଯାହା ମଧ୍ୟରେ ରହିଛି 1031ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, 5244ଟି ପ୍ରାଥମିକ ବିଦ୍ୟାଳୟ ଏବଂ 547ଟି ମାଧ୍ୟମିକ ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ 160 ଜଣ ଲୋକ ଏଥିରେ ଆହତ ହୋଇଛନ୍ତି । ଅନ୍ୟପଟେ ବିଦ୍ୟୁତ ବିଭାଗର ପ୍ରାୟ 100 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ପ୍ରାୟ 1 କୋଟି ବିଦ୍ୟୁତ ଉପଭୋକ୍ତା ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି।
ସାମୁଦ୍ରକି ଝଡ 'ଫନି' ର ମାଡରେ ବଦଳିଯାଇଛି ଉପକୂଳ ଆଭ୍ୟନ୍ତରୀଣ ଓଡିଶାର ଚିତ୍ର । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ, ଢେଙ୍କାନାଳ ଏବଂ ଅନୁଗୋଳ ଆଦି ଜିଲ୍ଲା ଧ୍ୱସ୍ତବିଧ୍ୱସ୍ତ ହୋଇପଡିଛି । ଜିଲ୍ଲା ହିସାବରେ ସର୍ବାଧିକ ପରିମାଣର କ୍ଷୟକ୍ଷତି ପୁରୀରେ ହୋଇଛି। ବିଭିନ୍ନ କ୍ଷେତ୍ରରେ 'ଫନି' ର ପ୍ରଭାବ ଦେଖିବାକୁ ମିଳିଛି । ଏହାଯୋଗୁଁ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ବିଧାନସଭା ଆସନରେ ହେବାକୁ ଥିବା ନିର୍ବାଚନକୁ 60 ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ବେଳେ ଅନେକ ଶିକ୍ଷାନୁଷ୍ଠାନ ପକ୍ଷରୁ ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇଛି । ସେହିପରି ପରିବହନ ସେବା କ୍ଷେତ୍ରରେ ଦେଖାଦେଇଛି ଅନେକ ସମସ୍ୟା ।