ଭୁବନେଶ୍ବର: ମେ 23 ତାରିଖ ଗୁରୁବାର ଆସିବ 2019 ମହାସମରର ଅନ୍ତିମ ଫଳାଫଳ। ବିଶ୍ୱର ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ବର୍ଷରେ କିଏ ଗଢିବ ସରକାର ତାହା ସ୍ପଷ୍ଟ ହୋଇଯିବ। ମାତ୍ର ଏହା ପୂର୍ବରୁ ଚଳିତ ନିର୍ବାଚନକୁ ନେଇ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ ଫଳାଫଳ ଆସିଯାଇଛି। କିଏ କେତେ ଆସନ ପାଇବ ତାହାର ଏକ ସମ୍ଭାବ୍ୟ ତାଲିକା ମଧ୍ୟ ପ୍ରକାଶିତ ହୋଇଛି।
ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏକଜିଟ ପୋଲ ରିପୋର୍ଟ ଦେଖିବା ପରେ ଛାନିଆ ହୋଇପଡିଛି କଂଗ୍ରେସ। ଯଦିଓ ଏହି ନିର୍ବାଚନୀ ଫଳାଫଳ ସଂଖ୍ୟାକୁ ଦଳ ଗ୍ରହଣ କରିବାକୁ କୁନ୍ଥୁ କୁନ୍ଥୁ ହେଉଛି ହେଲେ ଏହାକୁ ଆପାତତଃ ଗ୍ରହଣ କରି ନେଇଛି। ଏହାସହ ଚୂଡାନ୍ତ ନିର୍ବାଚନ ଫଳାଫଳ ଆସିବ ପୂର୍ବରୁ ଯେମିତି ଆତ୍ମସମର୍ପଣ କରିଦେଇଛି।
ରାଜ୍ୟରେ ସରକାର ଗଠନ କରିବାକୁ ନେଇ ଦମ୍ଭୋକ୍ତି ଦେଖାଉଥିବା କଂଗ୍ରେସ ମୁଖ୍ୟ ବିରୋଧି ବିଜେପି ଏବଂ ବିଜେଡିର ରଣନୀତି ଆଗରେ ଚିତପଟାଙ୍ଗ ମାରିଥିବା ଜଣାପଡୁଛି। କଂଗ୍ରେସ ମ୍ୟାଜିକ ସଂଖ୍ୟା ଛୁଇଁବ, ସରକାର ଗଠନ କରି। ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ଗଣମାଧ୍ୟମରେ ଏଭଳି ଅନେକ ବୟାନ ବାଜି କରୁଥିବା ଖୋଦ୍ ପିସିସି ସଭାପତି ଏବେ ହାତ ଟେକି ଦେଇଛନ୍ତି। ଅନ୍ୟପଟେ ଦଳ ଆମ୍ତସମର୍ପଣ କଲା ଭଳି ସ୍ଥିତିକୁ ଆସିଯାଇଛି।