ଭୁବନେଶ୍ବର: ‘ରାଜ୍ୟ ତମାମ ବିଜେପି କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କ ଉପରେ ଆକ୍ରମଣ ବିଜେଡି଼ର ପରାଜୟ ପୂର୍ବର ହତାଶର ପ୍ରତିଫଳନ । ଯେଉଁମାନେ ଅହଙ୍କାରରେ ମଦମସ୍ତ ହୋଇ ବୁଲେଟର ସାହରା ନେଇଛନ୍ତି, ତାଙ୍କୁ ସାଧାରଣ ଜନତା ବିଶେଷ କରି ଗରିବ ଲୋକମାନେ ବାଲାଟ ବା ଭୋଟରେ ଜବାବ ଦେବେ’ ବୋଲି ବିଜେଡି ପ୍ରାୟୋଜିତ ହିଂସା ବିରୋଧରେ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଧାନ କହିଛନ୍ତି ଯେ, ‘ଚଳିତ ନିର୍ବାଚନରେ ଏଭଳି ରାଜନୈତିକ ହିଂସା ବା ପ୍ରତିପକ୍ଷକୁ ଆକ୍ରମଣ ପ୍ରଥମ ଥର ପାଇଁ ଦେଖାଦେଇଛି । ସରକାରୀ ଦଳକୁ ରାଜନୈତିକ ବିରୋଧ କାରଣରୁ ବିଜେପି କର୍ମୀଙ୍କୁ ହତ୍ୟା କରାଯାଉଛି । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆକ୍ରମଣର ନେତୃତ୍ୱ ନେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧୀନସ୍ଥ ଥିବା ଗୃହ ବିଭାଗ, ମୁଖ୍ୟମନ୍ତ୍ରୀଙ୍କ ଦଫ୍ତରରେ ବସିଥିବା ୨-୩ ଜଣ ଅଣଓଡି଼ଆ ସରକାରୀ ଅଧିକାରୀ ଓଡିଶାରେ ଗଣତନ୍ତ୍ରର କଣ୍ଠରୋଧ କରିବା ପାଇଁ ଏକ ଦୁଃସାହସ କରିବା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟ ତମାମ ହିଂସା, ଅପରାଧ ଓ ଭୟର ବାତାବରଣ ତିଆରି କରିବା ପାଇଁ ଚାହୁଁଛନ୍ତି । ଏ ରାଜନୈତିକ ହିଂସା ହାରିବାର ପୂର୍ବ ଲକ୍ଷଣ । ପାଦତଳୁ ଯାହାର ମାଟି ଖସିଯାଏ, ଯାହା ପାଖରେ ଲୋକସମର୍ଥନ କମିଯାଏ ସେ ମାଟପିଟ୍ କରେ’ ।
ଧର୍ମେନ୍ଦ୍ର ଏହା ମଧ୍ୟ କହିଛନ୍ତି ଯେ, ‘ଯେ ଓଡିଆ ଲୋକ ନରେନ୍ଦ୍ର ମୋଦିଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ କରିବା ନେଇ ଡର ମୁଖ୍ୟମନ୍ତ୍ରୀଙ୍କ ମନରେ ଅଛି । ମୁଖ୍ୟମନ୍ତ୍ରୀ ଆସନ୍ନ ପରାଜୟରେ ରକ୍ତମୁଖା ହୋଇଯାଇଛନ୍ତି । ଓଡିଆ ଲୋକଙ୍କୁ ମାରିବା ଓ ହତ୍ୟା କରିବା ପର୍ଯ୍ୟନ୍ତ ପଛାଉନାହାନ୍ତି । ତାଙ୍କ ଉପରେ କିଏ ଆଖି ଉଠାଇଦେଲେ ଫ୍ଲାଗମାର୍ଚ୍ଚ ହେବା ସହ ଲୋକମାନେ ଗିରଫ ହେଇଯାଉଛନ୍ତି । ଦଳର ମନ୍ତ୍ରୀଙ୍କୁ କେହି ବିରୋଧ କଲେ ୩୦୭ ଦଫାରେ ମାମଲା ରୁଜୁ ହୋଇଯାଉଛି । କିନ୍ତୁ ପ୍ରତିପକ୍ଷଙ୍କୁ ହତ୍ୟା କଲା ପରେ ମଧ୍ୟ କିଛି ପଦକ୍ଷେପ ନିଆଯାଉନାହିଁ । କାରଣ ମୁଖ୍ୟମନ୍ତ୍ରୀ ପଣ୍ଡିତ ପୁଅ, ତାଙ୍କୁ ଚାରି ଖୁନ୍ ମାଫ, ସୁନା ଚାମଚ ନେଇ ସେ ଜନ୍ମ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଭାବୁଛନ୍ତି ଓଡିଶା ତାଙ୍କ ଜାଗିର’। ଏଭଳି କଡ଼ା ଭାଷାରେ ନବୀନଙ୍କୁ ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର ।
ଆହୁରି ପଢନ୍ତୁ: ନିର୍ବାଚନ ଆଚରଣ ବିଧି ଉଲଘଂନ, ସମ୍ବିତ ପାତ୍ରଙ୍କ ନାଁରେ ମାମଲା