ଭୁବନେଶ୍ବର: ରାତି ପାହିଲେ ମହାଶିବରାତ୍ରି । ଚଳଚଞ୍ଚଳ ହୋଇପଡିଛି ସମସ୍ତ ଶୈବ ପୀଠ । ମନ୍ଦିରମାନଙ୍କରେ ଶୃଙ୍ଖଳିତ ଦର୍ଶନ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ବ୍ୟାରିକେଟିଂ ଚାଲିଥିବାବେଳେ ଜାଗର ଜାଳିବା ପାଇଁ ପ୍ରସ୍ତୁତ ହେଉଛି କ୍ଷେତ୍ର । ଏପଟେ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ପ୍ରସ୍ତୁତି ମଧ୍ୟ ଚୂଡାନ୍ତ ପର୍ଯ୍ୟାୟ । ଶୃଙ୍ଖଳିତ ଦର୍ଶନ ପାଇଁ ଟ୍ରାଫିକ କଟକଣା ସହ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଖଞ୍ଜିଛି ସିସିଟିଭି କ୍ୟାମେରା । ଏଥିସହିତ ବ୍ୟବସାୟୀ ମଧ୍ୟ ମାଟି ଦୀପ ତେଲ ଧରି ଆସ୍ଥାନ ଜମାଇଛନ୍ତି ।
ମହାଶିବରାତ୍ରୀକୁ ନଜରରେ କମିଶନରେଟ ପୋଲିସ ପକ୍ଷରୁ ଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡାକଡି ଗ୍ରହଣ କରାଯାଉଛି । ପାଖାପାଖି ୧୦୦ ଜଣ ପୋଲିସ ଅଫିସର ସହ ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ । ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଖାଲି ସ୍ଥାନରେ ଗାଡ଼ି ଷ୍ଟାଣ୍ଡ ସହ ମନ୍ଦିର ନିକଟସ୍ଥ ସ୍କୁଲ ଓ ମାର୍କେଟ କମ୍ପ୍ଲେକ୍ସରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।