ଭୁବନେଶ୍ବର: ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ । ପ୍ରଥମଥର ପାଇଁ ଓଡିଶାରେ ବିରୋଧୀ ଦଳର ମାନ୍ୟତା ପାଇଥିବା ବିଜେପି ପୁରା ଗଦଗଦ । ପ୍ରଥମ ଦିନରେ ବିଧାୟକଙ୍କ କଷ୍ଟ୍ୟୁମ ବି ଥିଲା ସେମିତି କିଛି । ଧଳା ପୋଷାକରେ ହଳଦିଆ ଗାମୁଛା । ମୁହଁ ଦେଖି ଚିହ୍ନିବା ପୂର୍ବରୁ ପଦ୍ମ ଦଳର ବିଧାୟକ ବୋଲି ବାରି ହୋଇ ପଡୁଥିଲେ । ହେଲେ ଦଳର କିଛି ବିଧାୟକଙ୍କ କ୍ଷେତ୍ରରେ ଥିଲା ଏହାର ବ୍ୟତିକ୍ରମ । ବିଜେପି ବିଧାୟକଙ୍କ ମେଳରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବେକ ଖାଲି ଖାଲି ମନେ ହେଉଥିଲା । ଲାଗୁଥିଲା, ରୁଷିଛନ୍ତି ‘ଜୟ’ ।
ବିଜେପି ବିଧାୟକ ହୁଅନ୍ତୁ ବା ବିରୋଧୀ ଦଳ ନେତା, ସଭିଙ୍କ ବେକରେ ପଡିଥିଲା ହଳଦିଆ ଗାମୁଛା । ହେଲେ ଏହାରି ବ୍ୟତିକ୍ରମ ଦେଖାଯାଇଥିବା ବିଧାୟକଙ୍କ ମଧ୍ୟରେ ଥିଲେ ‘ଜୟ’ । ଅବଶ୍ୟ ପୁରୀ ଓ ପାରଳାଖେମୁଣ୍ଡି ବିଧାୟଙ୍କ କ୍ଷେତ୍ରରେ ବି ସମାନ ଚିତ୍ର । କିନ୍ତୁ ସେମାନେ ଚର୍ଚ୍ଚାର ବିଷୟ ନଥିଲେ । ହେଲେ ବିଜେପିର ଚର୍ଚ୍ଚିତ ବିଧାୟକ ‘ଜୟ’ ହଳଦିଆ ଗାମୁଛା ପକାଇବାକୁ ପସନ୍ଦ କରିନଥିଲେ ନା ଅବୁଝା ଥିବାର ଏକ ବାର୍ତ୍ତା ଦେବାକୁ ଚାହୁଁଥିଲେ, ତାକୁ ନେଇ ଚର୍ଚ୍ଚା ।