ଓଡିଶା

odisha

ETV Bharat / state

ଶ୍ରୀକ୍ଷେତ୍ର ସାଆନ୍ତେ: ଜାଣନ୍ତୁ ଅଣସର ପିଣ୍ଡିର ରହସ୍ୟ

ସୋମବାର ଭାବଗ୍ରାହୀ ଭଗବାନଙ୍କୁ ସ୍ନାନବେଦୀରୁ ସିଧାସଳଖ ଅଣସର ପିଣ୍ଡି‌କୁ ନିଆଯାଇଛି। ସେଠାରେ ଦଇତା ଗୁପ୍ତ ସେବା ଆରମ୍ଭ କରିଛନ୍ତି । ୧୪ ଦିନ ଅଣସର ଘରେ ରହି ଚାଲିବ ଗୁପ୍ତ ଚିକିତ୍ସା । ତା'ପରେ ରଥଯାତ୍ରା ପୂର୍ବଦିନ ନବଯୌବନ ଦର୍ଶନ ଦେବେ ମହାବାହୁ । ଆସନ୍ତୁ ଜାଣିବା ମହାପ୍ରଭୁ ଅଣସରରେ କେଉଁଠି ରୁହନ୍ତି ମହାବାହୁ, ଜ୍ବର ଭଲ ହେବା ପାଇଁ ଜଗାର କେଉଁ ଚିକିତ୍ସା ହୁଏ ।

By

Published : Jun 18, 2019, 3:04 PM IST

Updated : Jun 18, 2019, 3:21 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ସ୍ନାନବେଦୀରେ 108 ଗରା ସୁବାସିତ ଜଳରେ ମହାସ୍ନାନ କରି ହାତୀ ବେଶରେ ଦର୍ଶନ ଦେବା ପରେ ପରମେଶ୍ବରଙ୍କୁ ଜର ଧରିଛି, ଅସୁସ୍ଥ ହୋଇ ପଡିଛନ୍ତି ମହାପ୍ରଭୁ । ଶ୍ରୀଅଙ୍ଗକୁ ବାଧା ଲାଗିଛି । ସୋମବାର ଭାବଗ୍ରାହୀ ଭଗବାନଙ୍କୁ ସ୍ନାନବେଦୀରୁ ସିଧାସଳଖ ଅଣସର ପିଣ୍ଡି‌କୁ ନିଆଯାଇଛି। ସେଠାରେ ଦଇତା ଗୁପ୍ତ ସେବା ଆରମ୍ଭ କରିଛନ୍ତି । ୧୪ ଦିନ ଅଣସର ଘରେ ରହି ଚାଲିବ ଗୁପ୍ତ ଚିକିତ୍ସା । ତା'ପରେ ରଥଯାତ୍ରା ପୂର୍ବଦିନ ନବଯୌବନ ଦର୍ଶନ ଦେବେ ମହାବାହୁ । ଆସନ୍ତୁ ଜାଣିବା ମହାପ୍ରଭୁ ଅଣସରରେ କେଉଁଠି ରୁହନ୍ତି ମହାବାହୁ, କଣ ସବୁ ଗୁପ୍ତ ନୀତିକାନ୍ତି ହୁଏ, ଜ୍ବର ଭଲ ହେବା ପାଇଁ ଜଗାର କେଉଁ ଚିକିତ୍ସା ହୁଏ ।

ଆଷାଢ କୃଷ୍ଣପକ୍ଷ ପ୍ରତିପଦା(ସ୍ନାନପୂର୍ଣ୍ଣିମା)ଠାରୁ ପନ୍ଦର ଦିନ ପର୍ଯ୍ୟନ୍ତ, ଶ୍ରୀଜଗନ୍ନାଥ, ମହାପ୍ରଭୁଙ୍କର ଗୁପ୍ତ ବାସ କରନ୍ତି । ଦେବସ୍ନାନ ପୂର୍ଣ୍ଣିମା ଓ ନେତ୍ରୋତ୍ସବର ମଧ୍ୟବର୍ତ୍ତୀ ପନ୍ଦର ଦିନ ଏହି ନିବାସ ଅଟେ । ଏହି ସମୟରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ନିଷିଦ୍ଧ । ଅଣସର ସମୟରେ ଖାଲି ଥିବା ରତ୍ନ ସିଂହାସନରେ ପଟ୍ଟିଦିଅଁ ଓ ଦଶାବତାର ଠାକୁର ପୂଜା ପାଆନ୍ତି ।

ଶ୍ରୀଜଗନ୍ନାଥ ମନ୍ଦିରର କଳାହାଟ ଦ୍ବାର ଏବଂ ଭିତର କାଠ ମଧ୍ୟରେ ଥିବା ସ୍ଥାନକୁ ଅଣସର ଘର କୁହାଯାଏ । ଶ୍ରୀମନ୍ଦିର ଅଣସର ନୀତି ନିମନ୍ତେ ପ୍ରସ୍ତୁତ ବାଉଁଶ ତାଟି ଏହାକୁ ଅଣସର ତାଟି କୁହାଯାଏ । ଏହି ଗୁପ୍ତ ଗୃହ ମଧ୍ୟରେ ସେବା ପାଇଁ ନିୟୋଜିତ ସମ୍ପୃକ୍ତ ସେବକଙ୍କ ବିନା ଅନ୍ୟ କାହାର ପ୍ରବେଶ ଅଧିକାର ନାହିଁ ।

ଶ୍ରୀମନ୍ଦିର ଭିତରେ ଥିବା ବଲ୍ଲଭ ପିଣ୍ଡିକୁ ଅଣସର ପିଣ୍ଡି କୁହାଯାଏ । ଭିତର କାଠ ପରେ କଳା ହାଟ ଦୁଆରକୁ ଲାଗି ମୁଗୁନି ପଥର ପିଣ୍ଡି । ଏଠାରେ ଶ୍ରୀଜିଉଙ୍କର ପ୍ରଥମ ଭୋଗ ଗୋପାଳବଲ୍ଲଭ ଅର୍ପିତ ହୁଏ । ଅଣସରର ସମୟରେ ବିଗ୍ରହମାନେ ଏହିଠାରେ ରୁହନ୍ତି । ଅଣସର ପିଣ୍ଡିରେ ଶ୍ରୀଜିଉଙ୍କ ମସ୍ତକରେ ଶୋଭିତ ସୁନା ଚିତା ଓ ରାହୁରେଖା ଆଦି ଅଳଙ୍କାରକୁ ଓହ୍ଲାଇ ଦିଆଯାଇଛି। ଏହି ପିଣ୍ଡିରେ ଅସୁସ୍ଥ ଠାକୁରମାନେ ବୈଦ୍ୟଙ୍କ ପରାମର୍ଶ ମୁତାବକ ପତି ମହାପାତ୍ର ଓ ଦଇତାପତି ସେବାୟତମାନେ ମହାପ୍ରଭୁଙ୍କ ଗୁପ୍ତ ସେବା କରିଥାନ୍ତି ।

ଅଣସରରେ ଥାଇ ଶ୍ରୀବିଗ୍ରହଙ୍କୁ ଜ୍ବରରୁ ଆରୋଗ୍ୟ ନିମନ୍ତେ ସେବନ କରିବା ପାଇଁ ଦଶମୂଳ ପାଚନ ଅର୍ପଣ କରାଯାଇଥାଏ । ଦଶ ଗୋଟି ଗଛର ମୂଳ, ବେଲ୍‌, ଗମ୍ଭାରୀ, ଫଣଫଣା, ଅଗବଥୁ, ପାଟେଳୀ, ଶାଳପର୍ଣ୍ଣୀ, କୃଷ୍ଣପର୍ଣ୍ଣୀ, ବୃହତୀ(ଲଟା ବରକୋଳି), ଅଙ୍କରାନ୍ତି ଓ ଗୋଖୁରା ଏହି ଦଶଟି ଔଷଧୀୟ ମୂଳ ଅଟନ୍ତି । ଗର୍ଭଣା ସଂକ୍ରାନ୍ତିରେ ଦଶ ଜଣ ଲୋକ ଏହି ଦଶଟି ମୂଳକୁ ପୃଥକ ରୂପେ ସଂଗ୍ରହ କରି ଆଣି ପାଣିରେ ସିଝାଇ ତିଆରି କରାଯାଇଥିବା ପାଚନ ମୋଦକ ପ୍ରସ୍ତୁତ କରାଯାଇଥାଏ । ପରେ ଏହା ମହାବାହୁଙ୍କ ଜ୍ବର ଚିକିତ୍ସାରେ ବ୍ୟବହୃତ ହୋଇଥାଏ ।


ଅଣସର ସମୟରେ ଶ୍ରୀଜୀଉଙ୍କୁ କେବଳ ଫଳମୂଳ ଓ ପଣା ଆଦି ଅର୍ପଣ କରାଯାଏ ଏହାକୁ ଅଣସରପଣା କୁହାଯାଏ । ପ୍ରତ୍ୟେହ ମଧ୍ୟାହ୍ନ ଧୂପ, ଓ ସଂଧ୍ୟାର ଧୂପ ପରେ ଦୁଇଥର ସର, ନବାତ, କର୍ପୂର, ଜାଇଫଳ, ଚନ୍ଦନ, ମିଶ୍ରିତ ମୋଟ, ଅଠେଇଶ ଓଳି ପଣା(ଚଉଦ ଓଳି ସାନ ଓ ଚଉଦ ଓଳି ବଡ) ମହାପ୍ରଭୁଙ୍କୁ ସମର୍ପଣ କରାଯାଏ ।

ଅଣସରନୀତିରେ ମହାପ୍ରଭୁଙ୍କ ସମସ୍ତ ଗୁପ୍ତ ନୀତିକାନ୍ତି ନିହିତ ଥାଏ । ଏହି ଚିକିତ୍ସା ସମୟରେ ପ୍ରବଳ ଜ୍ବରରେ ଠାକୁରଙ୍କ ପାଖରେ ଅବଢା କି କୈାଣସି ପ୍ରକାରର ଶଙ୍ଖୁଡି ଭୋଗ ଲାଗି କରାଯାଇନଥାଏ । ଏହି ସମୟରେ ଶୁଖିଲା ଭୋଗ କେବଳ ଲାଗି କରାଯାଏ । ସ୍ନାନପୂର୍ଣ୍ଣିମାରେ ଜଳରେ ତିନ୍ତି ଯାଇଥିବା ଅଙ୍ଗବସ୍ତ୍ରକୁ ଫିଟାଇ ଦିଆଯାଏ । ଏହାକୁ ଶ୍ରୀଅଙ୍ଗ ଫିଟା କୁହାଯାଏ । ଶ୍ରୀଅଙ୍ଗରୁ ଝୁଣାରେ ପ୍ରସ୍ତୁତ ଚନ୍ଦନର ଲେପ ଛଡା ଯାଏ । ଏହି ସମୟରେ ଶ୍ରୀବିଗ୍ରହଙ୍କ ଆବଶ୍ୟକ ମରାମତି ହୋଇଥାଏ । ଏହି ସମୟରେ ଜ୍ବରରେ ଜର୍ଜରିତ ପ୍ରଭୁଙ୍କ ପୀଡା କମିବା ପାଇଁ ଦେହରେ ଫୁଲୁରୀ ତେଲକୁ ଘର୍ଷଣ କରାଯାଏ । ଏହି ଭଳି ଭାବରେ ମହାପ୍ରଭୁଙ୍କ ଗୁପ୍ତ ନୀତି ସମାପନା କରାଯାଇଥାଏ । ଚତୁର୍ଦଶୀ ରାତ୍ରରେ ଶ୍ରୀଜୀଉଙ୍କ ନବଯୌବନ ବେଶ ଧାରଣ କରି ନେତ୍ରୋତ୍ସବ ଲାଗି ବିଜେ ହୁଅନ୍ତି । ରଥଯାତ୍ରା ପୂର୍ବରୁ ଅଣସର ପରେ ଏହାକୁ ନବଯୌବନ ଦର୍ଶନ ବା ନେତ୍ରୋତ୍ସବ ବୋଲି କୁହାଯାଏ ।

ମହାବିଗ୍ରହଙ୍କ ଅଣସର ସମୟରେ ଅଲାରନାଥଙ୍କ ଦର୍ଶନ କଲେ କୋଟି ପୂର୍ଣ୍ଣଫଳ ମିଳିଥାଏ । ବିଶ୍ବାସ ଓ ଆସ୍ଥା ଯେ ଏହି 15 ଦିନ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସମଫଳ ପ୍ରାପ୍ତି ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 18, 2019, 3:21 PM IST

ABOUT THE AUTHOR

...view details