ଓଡିଶା

odisha

ETV Bharat / state

'ଫନି' ଫିଅର: ଓଡିଶାକୁ ୟଲୋ ୱାର୍ଣ୍ଣିଂ - funny cyclone

ସାମୁଦ୍ରିକ ଝଡ 'ଫନି'ପ୍ରଭାବରେ ହେବାରକୁ ଥିବା ପ୍ରବଳ ବର୍ଷାରେ ଭିଜିବ ଓଡିଶା । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ପ୍ରବଳ ବର୍ଷାକୁ ଛାଡି 'ଫନି' ର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ନେଇ ଆଗୁଆ ସତର୍କତା ଜାରି କରିଛି ଆଇଏମଡି ।

ଫଟୋ ସୌଜନ୍ୟ: ଟ୍ୱିଟର@ANI

By

Published : May 1, 2019, 12:04 PM IST

Updated : May 1, 2019, 12:32 PM IST

ଭୁବନେଶ୍ୱର: ସାମୁଦ୍ରିକ ଝଡ 'ଫନି' କୁ ନେଇ ରାଜ୍ୟରେ ଖେଳିଯାଇଛି କୋକୁଆ ଭୟ । ଆସନ୍ତା ଶୁକ୍ରବାର ପୁରୀ ଠାରେ ସ୍ଥଳଭାଗ ଛୁଇଁବ ଏହି ସାମୁଦ୍ରିକ ଝଡ । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) । ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଓଡିଶା ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି। ଏହାର ପ୍ରଭାବରେ ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର, ଦେବଗଡ ଏବଂ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

କେନ୍ଦ୍ର ଗୃହମନ୍ତ୍ରଣାଳୟର ଡିଜାଷ୍ଟର ମ୍ୟାନେଜମେଣ୍ଟ ଡିଭିଜନ ପକ୍ଷରୁ କୁହାଯାଇଛି ମେ 1 ତାରିଖ ମଧ୍ୟାନ୍ନ ବେଳକୁ 'ଫନି' ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପରେ ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗକୁ ଅଗ୍ରସର ହେବ। ସାମୁଦ୍ରିକ ଝଡ 'ଫନି' ଗୋପାଳପୁର-ଚାନ୍ଦବାଲି ଉପକୂଳ ଦେଇ ଓଡିଶା ଅତିକ୍ରମ କରିବ । ଆସନ୍ତା 3 ତାରିଖ ଅପରାହ୍ନରେ ଏହା ପୁରୀର ଦକ୍ଷିଣ ଦିଗକୁ ମୁହାଁଇବ। ଏହି ସମୟରେ ପବନର ବେଗ 175-185 କିମି ମଧ୍ୟରେ ରହିବା ନେଇ ଆଶଙ୍କା କରାଯାଉଛି। ପବନର ବେଗ ଏହା ଠାରୁ ଅଧିକ ବଢି 205 କିମି ପର୍ଯ୍ୟନ୍ତ ପହଞ୍ଚିବା ନେଇ ସମ୍ଭାବନା ରହିଛି।

ମେ 3 ତାରିଖ ଶୁକ୍ରବାର ରାଜ୍ୟର ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରପଡା ଆଦି ଜିଲ୍ଲାରେ 150-160 କିମିରୁ ବଢି 170 କିମି ବେଗର ପବନ ବହିବ । ସେହିପରି ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ,ବାଲେଶ୍ୱର ଆଦି ସ୍ଥାନରେ 110-120 କିମିରୁ ବଢି 130 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ନୟାଗଡ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଆଦି ଅଞ୍ଚଳରେ 30-40 କିମିରୁ ବଢି 50 କିମି ବେଗରେ ପବନ ବହିବାର ଆଶଙ୍କା କରାଯାଉଛି ।

ମେ 1ରୁ 3 ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ, କେନ୍ଦ୍ର-ପଶ୍ଚିମ ଭାଗରେ ଥିବା ଉତ୍ତର ତାମିଲନାଡୁ ଉପକୂଳ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ଉପକୂଳ ସଂଲଗ୍ନ ସମୁଦ୍ର ଅଶାନ୍ତ ରହିବ । ଆସନ୍ତା 2 ତାରିଖରୁ 4 ତାରିଖ ମଧ୍ୟରେ ବଙ୍ଗୋପସାଗରର ଉତ୍ତର ପଶ୍ଚିମ ଭାଗରେ ଅବସ୍ଥିତ ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅଶାନ୍ତ ରହିବ । ଏହି ସମୟ ସୀମା ମଧ୍ୟରେ ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ଚେତାବନୀ ଦିଆଯାଇଛି । ଅନ୍ୟପଟେ ଯେତେବେଳେ 'ଫନି' ସ୍ଥଳଭାଗ ଛୁଇଁବ ସେତେବେଳେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଯଥା ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାର ସମୁଦ୍ରତଟରେ ବଡ ବଡ ସାମୁଦ୍ରିକ ଢେଉ ସୃଷ୍ଟି ହେବ।

'ଫନି' ର ପ୍ରଭାବରେ ହେବାକୁ ଥିବା ବର୍ଷାରେ ଓଡିଶା ଭିଜିବା ନେଇ ପୂର୍ବାନୁମାନ କରିଛି ଆଇଏମଡି । ଏଥିପାଇଁ ୱାର୍ଣ୍ଣି ମଧ୍ୟ ଜାରି କରାଯାଇଛି । ମେ 2 ତାରିଖ ଆସନ୍ତାକାଲି ପାଇଁ ରାଜ୍ୟର ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ରାୟଗଡା, କନ୍ଧମାଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଠାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।

ସେହିପରି 3 ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନ ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଯାହାର ପ୍ରଭାବରେ ରାଜ୍ୟର ପ୍ରାୟ ଅଧିକାଂଶ ଭାଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି । ଅନ୍ୟପଟେ ଏହି ଦିନ ସମ୍ବଲପୁର, ଦେବଗଡ, ବୌଦ୍ଧ, କଳାହାଣ୍ଡି ଏବଂ ସୁନ୍ଦରଗଡ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

ଅନ୍ୟପଟେ ମେ 4 ତାରିଖରେ ଯାଜପୁର, ଭଦ୍ରକ, କେନ୍ଦ୍ରପଡା, ବାଲେଶ୍ବର, କେନ୍ଦୁଝର ଏବଂ ମୟୂରଭଞ୍ଜ ଆଦି ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଦିନ ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । କଟକ, ଅନୁଗୋଳ ଏବଂ ଢେଙ୍କାନାଳ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଠାରେ ମେ 4ରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 1, 2019, 12:32 PM IST

ABOUT THE AUTHOR

...view details