ଓଡିଶା

odisha

ETV Bharat / state

ବାତ୍ୟା ବିପନ୍ନ ପଶୁପକ୍ଷୀଙ୍କୁ ସାହା ସ୍ମାର୍ଟସିଟିର ଯୁବ ପଶୁପ୍ରେମୀ

ଚାଲିଯାଇଛି ସାମୂଦ୍ରିକ ଝଡ ‘ଫନି’ । ବଦଳି ଯାଇଛି ରାଜ୍ୟର ମାନଚିତ୍ର । ଆଉ ଏହି ବିଭୀଷିକାରେ ପ୍ରଭାବିତ ମଣିଷ ଠୁ ଜୀବଜନ୍ତୁ । ଏପରି ସ୍ଥିତିରେ ବାତ୍ୟା ବିପନ୍ନ ପଶୁପକ୍ଷୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ଦୁଇ ଯୁବ ପଶୁପ୍ରେମୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : May 16, 2019, 5:00 PM IST

Updated : May 16, 2019, 6:04 PM IST

ଭୁବନେଶ୍ବର: ଚାଲିଯାଇଛି ସାମୂଦ୍ରିକ ଝଡ ‘ଫନି’ । ବଦଳିଯାଇଛି ରାଜ୍ୟର ମାନଚିତ୍ର । ଛାରଖାର ହୋଇ ଯାଇଛି ପ୍ରକୃତି । ଏପରି ସ୍ଥିତିରେ ବର୍ତ୍ତମାନ ମଣିଷ ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ପାଉନଥିବା ବେଳେ ପଶୁଙ୍କୁ ବା ପଚାରେ କିଏ । ବାତ୍ୟାର ବିଭିଷୀକା ସମୟରେ ମଣିଷ ନିଜକୁ ସୁରକ୍ଷିତ କରିବାକୁ ଯାଇ ଆଶ୍ରୟ ନେଇଥିବା ବେଳେ ପଶୁପକ୍ଷୀଙ୍କୁ ଖୋଲା ଛାଡିଦିଆଯାଇଥିଲା । ଫଳରେ ବାତ୍ୟା ଚାଲିଯିବା ପରେ ଛାଡି ଯାଇଥିଲା ଅନେକ ପଶୁପକ୍ଷୀଙ୍କ ମୃତଦେହ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ହେଲେ ରାଜଧାନୀର ଦୁଇ ପଶୁପ୍ରେମୀଙ୍କ ପଶୁପକ୍ଷୀଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ଆଦରକୁ ଟିକେ ବି କମାଇ ପାରିନି ‘ଫନି’ । ଫଳରେ ବାତ୍ୟା ସମୟରେ ନିରାଶ୍ରୟ ପଶୁପକ୍ଷୀଙ୍କୁ ଆଶ୍ରୟ ଦେବା ପାଇଁ ଆଗେଇ ଆସିଥିଲେ ପ୍ରିୟରଞ୍ଜନ ଓ ପୂର୍ବୀ ପାତ୍ର । ଉଭୟଙ୍କ ଦ୍ବାରା ପରିଚାଳିତ ‘ଆନିମଲ ୱେଲଫେୟାର ଟ୍ରଷ୍ଟ’ ନାମକ ଏହି ସ୍ବୟଂ ଚାଳିତ ଟ୍ରଷ୍ଟରେ ପଶୁପକ୍ଷୀଙ୍କୁ ଆଶ୍ରୟ ଦେବା ସହ ଚିକିତ୍ସା ମଧ୍ୟ କରାଯାଏ । ବାତ୍ୟା ସମୟରେ ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ଉଭୟେ ଖୋଲିଦେଇଥିଲେ ନିଜ ଟ୍ରଷ୍ଟର ଦ୍ବାର । ଯେଉଁଠାରେ ଆଶ୍ରୟ ନେଇ ଜୀବନ ଫେରି ପାଇଛନ୍ତି ଅନେକ ନିରୀହ ଜନ୍ତୁ ।

ବାତ୍ୟା ‘ଫନି’ ଆସିବା ସମୟରେ ନିଜ ଶହ ଶହ ଗୃହପାଳିତ ପଶୁଙ୍କ ସମେତ ଅନେକ ନିରାଶ୍ରୟ ଜନ୍ତୁଙ୍କୁ ଆଶ୍ରୟ ଦେଇଥିଲେ ଉଭୟେ । ତେବେ ଟ୍ରଷ୍ଟରେ ପଶୁପକ୍ଷୀଙ୍କ ପାଇଁ ଥିବା ଘରର ସ୍ଥିତି ମଜବୁତ ନଥିବାରୁ ସେମାନଙ୍କୁ ବାହାରେ ଛଡା ଯାଇଥିଲା । ଏଥିସହ ବାତ୍ୟା ଚାଲିଯିବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ହେଲେ ଗୋଟିଏ କୁକୁର ନମିଳିଥିବାରୁ ସେନେଇ ବିଭିନ୍ନ ଯାଗାରେ ପୋଷ୍ଟର ଲଗାଯାଇ ସନ୍ଧାନ ଜାରି ରହିଛି । ଯେଉଁଥିରେ ଖୋଜି ପାଇବା ବ୍ୟକ୍ତିଙ୍କୁ 5000ଟଙ୍କାର ପୁରସ୍କାର ଦିଆଯିବା ନେଇ ଘୋଷଣା କରାଯାଇଛି ।

ବାତ୍ୟା ପ୍ରଭାବିତଙ୍କୁ ବର୍ତ୍ତମାନ ରିଲିଫ ସ୍ବରୂପ ଶୁଖିଲା ଖାଦ୍ୟ ଯୋଗାଯାଉଥିବା ବେଳେ ଟ୍ରଷ୍ଟ ହାଉସ୍‌ରେ ଥିବା ବାତ୍ୟା ପ୍ରଭାବିତ ପଶୁପକ୍ଷୀମାନଙ୍କୁ ମଧ୍ୟ ଯୋଗାଯାଉଛି ରନ୍ଧା ଖାଦ୍ୟ । ସେମାନଙ୍କର ବର୍ତ୍ତମାନ ଦୈନିକ ଡାକ୍ତରୀ ପରୀକ୍ଷା କରାଯିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ।

ବାତ୍ୟା ବିପନ୍ନ ପଶୁପକ୍ଷୀଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ସହାୟତା ଯୋଗାଇ ଏକ ଉଦାହରଣ ପାଲଟିଛନ୍ତି ପ୍ରିୟରଞ୍ଜନ ଓ ପୂର୍ବୀ । ଏମାନଙ୍କୁ ଦେଖିଲେ ସତରେ ଲାଗେ ଯେ ସମୟର କ୍ରୁର ଗତିରେ ଏବେ ବି କେଉଁଠି ନା କେଉଁଠି ବଞ୍ଚି ରହିଛି ମାନବିକତା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : May 16, 2019, 6:04 PM IST

ABOUT THE AUTHOR

...view details