ଭୁବନେଶ୍ବର: ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତି ଭୀଷଣ ସାମୁଦ୍ରିକ ଝଡ଼ 'ଫନି' ପ୍ରଳୟ ନେଇ ଆସୁଛି । ବାତ୍ୟା 'ଫନି'କୁ ନେଇ ବ୍ୟାପକ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । 'ଫନି'କୁ ନେଇ ମୁଖ୍ୟମନ୍ତ୍ରୀ 'ଜିରୋ କାଜୁଆଲିଟି' ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଘୋଷଣା କରିଛନ୍ତି । ଏହାସହ ଗୁରୁବାର ଠାରୁ ଆରମ୍ଭ ହେବା ସ୍ଥାନାନ୍ତରଣ ଓ ଜିରୋ କାଜୁଆଲିଟିକୁ ପ୍ରାଥମିକତା ଦେବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରାଜ୍ୟର ପ୍ରତିଟି ନାଗରିକଙ୍କ ଜୀବନ ମୂଲ୍ୟବାନ । ତେଣୁ ସମ୍ଭାବ୍ୟ ବାତ୍ୟାରେ ଯେଭଳି ଗୋଟିଏ ହେଲେ ଜୀବନହାନୀ ହେବ ନାହିଁ ତା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତକାଲିଠାରୁ ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ କରିବା ସହ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଶତ ପ୍ରତିଶତ ସ୍ଥାନାନ୍ତରଣକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ସମୀକ୍ଷା କରି ପୁଣି ଥରେ ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦେଇଛନ୍ତି । ଆସନ୍ତାକାଲିଠାରୁ ଆରମ୍ଭ ହେବ ସ୍ଥାନାନ୍ତରଣ ପ୍ରକ୍ରିୟା । ଏଥିରେ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଲକ୍ଷ୍ୟ ରଖାଯାଇଛ । ଏଥିସହିତ ଆସନ୍ତାକାଲିଠାରୁ ମାଗଣା ରନ୍ଧାଖାଦ୍ୟ ଯୋଗାଣ ବି ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।