ଭୁବନେଶ୍ବର: ବିଜେପିକୁ ଘେରିଲେ ରାଜ୍ୟ ବିରୋଧୀ ଦଳ। ବିଜେଡି ପରେ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ବିରୋଧରେ ଫେରାଦ ହେଲା ରାଜ୍ୟ କଂଗ୍ରେସ। ତେବେ ଏହା କୌଣସି କର୍ମୀ କିମ୍ବା ପ୍ରାର୍ଥୀଙ୍କ ବିରୋଧରେ ନୁହେଁ, ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛି ରାଜ୍ୟ କଂଗ୍ରେସ । ପ୍ରଧାନମନ୍ତ୍ରୀ ମୋଦି କ୍ଷମତାର ଅପବ୍ୟବହାର କରୁଛନ୍ତି କହି, ମୋଦିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କଂଗ୍ରେସ ନେତା ଶିବାନନ୍ଦ ରାୟ।
ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର ନିର୍ବାଚନ ଆୟୋଗକୁ ବେଖାତିର କରୁଛନ୍ତି ପ୍ରଧାନମନ୍ତ୍ରୀ । ଏ ନେଇ ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟଙ୍କ ନେତୃତ୍ୱରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ୩ ଜଣିଆ କଂଗ୍ରେସ ଟିମ ଭେଟିଛନ୍ତି।
ମୋଦିଙ୍କ ସମ୍ବଲପୁର ଗସ୍ତ ବେଳେ ତାଙ୍କ ହେଲିକପ୍ଟର ଯାଞ୍ଚ ହୋଇଥିଲା। ତେବେ ଏହି ଦାୟିତ୍ବରେ ଥିବା ମହମ୍ମଦ ମହସିନ୍ କାର୍ଯ୍ୟରେ ଅବହେଳା ଦର୍ଶାଇ ତାଙ୍କୁ ନିଲମ୍ବନ କରାଯାଇଛି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ସେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ତନ ତନ ଯାଞ୍ଚ କରୁଥିଲେ । ହେଲେ ପରେ ଉକ୍ତ ଅଫିସରଙ୍କୁ ନିଲମ୍ବନ ଆଦୌ ଗ୍ରହଣୀୟ ନୁହେଁ ବୋଲିଂ କଂଗ୍ରେସ କହିଛି।
ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀଙ୍କ ପଦ ମର୍ଯ୍ୟାଦା ନିର୍ବାଚନ କମିଶନଙ୍କ ଠାରୁ ବଡ ନୁହେଁ । ତେଣୁ ଭାରତୀୟ ନିର୍ବାଚନ ମୁଖ୍ୟ ଅଧିକାରୀ ତାଙ୍କ ପ୍ରାର୍ଥୀତ୍ବକୁ ରଦ୍ଦ କରନ୍ତୁ । ତାଙ୍କୁ ନିର୍ବାଚନ ଲଢ଼ିବା ପ୍ରକ୍ରିୟାରୁ ବାଦ ଦିଆଯାଉ । ସେହିପରି ହେଲିକପ୍ଟର ଯାଞ୍ଚ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅସହଯୋଗ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ